ଜଳମଗ୍ନ ବାଂଶପାଳ BEOଙ୍କ କାର୍ଯ୍ୟାଳୟ: ଆଣ୍ଠୁଏ ପାଣିରେ ଚାଲିଛି ସରକାରୀ କାମ, ନଷ୍ଟ ହେଉଛି ପିଲାଙ୍କ ବହି

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ (BEO) କାର୍ଯ୍ୟାଳୟ ବର୍ତ୍ତମାନ ଲଗାଣ ବର୍ଷା ଯୋଗୁ ଜଳମଗ୍ନ ଅବସ୍ଥାରେ ରହିଛି। କାର୍ଯ୍ୟାଳୟ ପରିସରରେ ଆଣ୍ଠୁଏ ଉଚ୍ଚର ପାଣି ଏବଂ କାଦୁଅ ଜମି ରହିଥିବା ବେଳେ ଛାତରୁ ଅବିରାମ ପାଣି ଗଳୁଥିବାରୁ ଦିନକୁ ଦିନ କାର୍ଯ୍ୟାଳୟର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଏହି ବିପଜ୍ଜନକ ଓ ଦୁର୍ଦ୍ଦଶାପୂର୍ଣ୍ଣ ପରିବେଶ ମଧ୍ୟରେ କର୍ମଚାରୀମାନେ ବାଧ୍ୟ ହୋଇ କାର୍ଯ୍ୟ କରୁଛନ୍ତି।

ଏହି ପରିସ୍ଥିତିରେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଛାତରୁ ପାଣି ଗଳିବା ଫଳରେ କାର୍ଯ୍ୟାଳୟରେ ଗଚ୍ଛିତ ଥିବା କୋମଳମତି ଶିଶୁଙ୍କ ବହୁମୂଲ୍ୟ ପାଠ୍ୟପୁସ୍ତକଗୁଡ଼ିକ ଭିଜି ନଷ୍ଟ ହେବାକୁ ବସିଛି। ଗୋଟିଏ ପଟେ ସରକାର ଶିକ୍ଷାର ବିକାଶ ଓ ଗୁଣାତ୍ମକ ମାନ ବୃଦ୍ଧି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଅନ୍ୟପଟେ ଶିକ୍ଷା ପ୍ରଶାସନର ମୁଖ୍ୟ କେନ୍ଦ୍ରସ୍ଥଳୀର ଏପରି ଜଳମଗ୍ନ ଓ ଅବହେଳିତ ଅବସ୍ଥା ସରକାରୀ ଭିତ୍ତିଭୂମିର ପ୍ରକୃତ ଚିତ୍ରକୁ ପଦାରେ ପକାଇଦେଇଛି।

ଆଣ୍ଠୁଏ ପାଣି ମଧ୍ୟରେ ଜରୁରୀ ନଥିପତ୍ର ଏବଂ ଫାଇଲ୍‌ପତ୍ରଗୁଡ଼ିକୁ ସୁରକ୍ଷିତ ରଖିବା କର୍ମଚାରୀଙ୍କ ପାଇଁ ଏକ କଠିନ ଆହ୍ୱାନ ପାଲଟିଛି। କାର୍ଯ୍ୟାଳୟର ସ୍ଥାୟୀ ମରାମତି ଏବଂ ଜଳ ନିଷ୍କାସନର କୌଣସି ଉଚିତ୍ ବ୍ୟବସ୍ଥା ନଥିବାରୁ ସାଧାରଣରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି। ଜିଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବାଂଶପାଳ BEO କାର୍ଯ୍ୟାଳୟର ଭିତ୍ତିଭୂମିକୁ ସୁଧାରିବା ସହ ପାଠ୍ୟପୁସ୍ତକଗୁଡ଼ିକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସାଧାରଣରେ ଦୃଢ଼ ଦାବି ହେଉଛି।

Dharitri – Odisha’s No.1 Odia Daily

Share