ଶାନ୍ତି ପାଇଁ ଜଳ

ଡ. ପ୍ରମୋଦ କୁମାର ପଣ୍ଡା            ଡ. ଅର୍ଜମାଦତ୍ତ ଷଡ଼ଙ୍ଗୀ

 

 

ଜଳ ବିନା ସୃଷ୍ଟି ଅସମ୍ଭବ। ସେଥିପାଇଁ ତ କୁହାଯାଏ ଜଳ ହିଁ ଜୀବନ। ବିଶ୍ୱସ୍ତର ହେଉ କିମ୍ବା ରାଷ୍ଟ୍ରସ୍ତର କିମ୍ବା ରାଜ୍ୟସ୍ତର ଅଥବା ଆଞ୍ଚଳିକସ୍ତର, ସବୁଠି ବାର୍ଷିକ ମୁଣ୍ଡ ପିଛା ଜଳ ଉପଲବ୍ଧତା ହ୍ରାସ ଏକ ବଡ଼ ଚିନ୍ତାର କାରଣ। ଜଳବାୟୁ ପରିବର୍ତ୍ତନ ଜନିତ ଅନିୟମିତ ବର୍ଷା, ସ୍ବଳ୍ପକାଳୀନ ଅତିବୃଷ୍ଟି ଓ ଭୂତଳ ଜଳର କ୍ରମାଗତ ହ୍ରାସ ଆମ ଦେଶର ଜଳ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟିକରୁଛି। ସେଥିପାଇଁ ତ ଆମ ଦେଶର ବିଭିନ୍ନ ରାଜ୍ୟ ମଧ୍ୟରେ ଜଳ ବିବାଦ ଉଗ୍ରରୂପ ଧାରଣ କରୁଛି। ପଞ୍ଜାବ ଓ ହରିୟାଣା ମଧ୍ୟରେ ଜଳ ବିବାଦ ହେଉ କିମ୍ବା ତାମିଲନାଡୁ ଓ କର୍ନାଟକ ମଧ୍ୟରେ ଥିବା ଜଳ ବିବାଦ କିମ୍ବା ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଥିବା ଜଳ ବିବାଦ କିମ୍ବା ଓଡ଼ିଶା- ଆନ୍ଧ୍ରପ୍ରଦେଶ ଜଳ ବିବାଦ ଦୀର୍ଘ ବର୍ଷ ହେବ ଅଦାଲତର କାଠଗଡ଼ାରେ ଭାଗ୍ୟ ନିର୍ଣ୍ଣୟ ପାଇଁ ପ୍ରତିଯୋଗିତା କରୁଛନ୍ତି। ଫଳ ସ୍ବରୂପ ବିଭିନ୍ନ ରାଜ୍ୟର ଜନସାଧାରଣଙ୍କ ମନରେ ହିଂସା ଓ ଦ୍ୱେଷର ବାତାବରଣ ସୃଷ୍ଟି କରି ଶାନ୍ତି ଭଙ୍ଗ ମଧ୍ୟ କରୁଛି। ସେହିପରି ଅନ୍ତର୍ଜାତୀୟ ସ୍ତରରେ ଆମ ଦେଶର ବାଂଲାଦେଶ ସହିତ ଜଳ ବିବାଦ ଥିବା ବେଳେ ଭାରତ ଓ ପାକିସ୍ତାନ ଏବଂ ଭାରତ ଓ ଚାଇନା ମଧ୍ୟରେ ମଧ୍ୟ ଜଳ ବିବାଦ ଅନେକ ଦିନରୁ ଚାଲିଆସିଛି। ଏହି ଜଳ ବିବାଦ ଅନେକ ସମୟରେ ଦୁଇ ଦେଶରେ ବାସ କରୁଥିବା ଲୋକଙ୍କ ଜୀବନ ଶୈଳୀକୁ ପ୍ରଭାବିତ କରୁଛି ଏବଂ ଶାନ୍ତି ଭଙ୍ଗ କରି ହିଂସା ଓ ଦ୍ୱେଷର ବୀଜ ବପନ କରୁଛି। ଅମ୍ଳଜାନ ପରି ମଧ୍ୟ ଜଳ ଏକ ବିଶ୍ୱ ସମ୍ପଦ। ଏହା ସମଗ୍ର ଜୀବଜଗତ ପାଇଁ ଉଦ୍ଦିଷ୍ଟ। ବିଶ ସ୍ତରରେ ପାଖାପାଖି ୩୦୦ କୋଟି ଲୋକ ଅଛନ୍ତି, ଯେଉଁମାନେ ଅନ୍ୟ ଦେଶରୁ ଆସୁଥିବା ଜଳ ଉପରେ ନିର୍ଭର କରି ବଞ୍ଚନ୍ତି। କିନ୍ତୁ ଦୁଃଖର କଥା, କେବଳ ମାତ୍ର ୨୪ଟି ଦେଶ ମଧ୍ୟରେ ଜଳ ବଣ୍ଟନ ଚୁକ୍ତି ସାକ୍ଷରିତ। ପ୍ରାୟ ପାଖାପାଖି ୨୨୦ କୋଟି ଲୋକଙ୍କ ପାଖରେ ଶୁଦ୍ଧ ପାନୀୟ ଜଳ ଉପଲବ୍ଧ ନIହିଁ। ସେହିପରି ମୋଟ ୧୧.୫ କୋଟି ଲୋକ ଆଜି ବି ଭୂପୃଷ୍ଠରେ ଥିବା ଖୋଲା ଜଳାଶୟରୁ ପାଣି ନେଇ ପିଉଛନ୍ତି। ଆଇପିସିସି ୨୦୨୨ ତଥ୍ୟ ଅନୁସାରେ ବିଶ୍ୱର ପ୍ରାୟ ଅର୍ଦ୍ଧାଧିକ ଲୋକ ବର୍ଷର କୌଣସି ନା କୌଣସି ସମୟରେ ଜଳ ସଙ୍କଟ ଅନୁଭବ କରୁଛନ୍ତି। ତେଣୁ ଆମ ସମସ୍ତଙ୍କୁ ଜଳ ସମ୍ପଦର ଉପଲବ୍ଧତା ବିଷୟରେ ସଚେତନ ହୋଇ କିପରି ତା’ର ଅପଚୟ ବନ୍ଦ ହେବ ଓ ଜଳ ସମ୍ପଦର ସଦୁପଯୋଗ ସବୁଦିନ ପାଇଁ ହୋଇପାରିବ, ସେ ବିଷୟରେ କାର୍ଯ୍ୟ କରିବାକୁ ପଡିବ। ଆମେ ଯଦି ଜଳ ଚକ୍ରର ସନ୍ତୁଳନ ବଜାୟ ରଖି ନ ପାରିବା, ଆମ ପରିସଂସ୍ଥା ଓ ସେଥିରେ ବାସ କରୁଥିବା ଜୀବଜଗତ ପ୍ରତି ବିପଦ ମାଡି ଆସିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ଅଛି।
ସମଗ୍ର ବିଶ୍ୱରେ ଉପଲବ୍ଧ ଜଳ ସମ୍ପଦର ସିଂହ ଭାଗ ଅର୍ଥାତ୍‌ ଶତକଡା ୯୭.୩ ଭାଗ ଲବଣାକ୍ତ ଜଳ ଓ ମାତ୍ର ଶତକଡା ୨.୭ ଭାଗ ମଧୁର ଜଳ। ତେଣୁ ମଧୁର ଜଳର ମହତ୍ତ୍ୱ ସହଜରେ ଅନୁମେୟ। ଏହି ମଧୁର ଜଳଳୁ ଆମେ ବର୍ଷା ମାଧ୍ୟମରେ ପାଉଥିବାରୁ, ବର୍ଷା ଜଳ ସଂରକ୍ଷଣ ଓ ତା’ର ସଦୁପଯୋଗ ଉପରେ ଅଧିକ ଧ୍ୟାନ ଦେବାକୁ ହେବ। ଭୂତଳ ଜଳ ହ୍ରାସ ମଧ୍ୟ ଆଉ ବଡ ଚିନ୍ତାର କାରଣ। ଆମର ଯୋଜନାକାରୀଙ୍କୁ ମଧ୍ୟ ବୁଝିବାକୁ ହେବ ଯେ ବର୍ଷା ଜଳକୁ ସଂରକ୍ଷିତ କରି ନ ରଖିଲେ ଭୂତଳ ଜଳ ଭରଣା ହୋଇପାରିବ ନାହିଁ। ଭୂତଳ ଜଳ ଭରଣା ଉତ୍ତୋଳନରୁ କମ୍‌ ହେଲେ ଭୂଜଳ ସରିଯିବାର ଭୟ ରହିଛି। କୌଣସି ସ୍ଥାନରେ ଭୂଜଳ ସରିଗଲେ, ସେଠାରେ ଥିବା ସବୁଦିନିଆ ବୃକ୍ଷ ମଣ୍ଡଳ ଉଭେଇ ଯିବାର ଭୟ ମଧ୍ୟ ରହିଛି। ତତ୍‌ସହିତ ଜଳ ଯୋଗାଣ ଖର୍ଚ୍ଚ ବୃଦ୍ଧିର ମଧ୍ୟ ସମ୍ଭାବନା ରହିଛ, ଯାହାଦ୍ୱାରା ଜନଜୀବନ ଗଭୀର ଭାବରେ ପ୍ରଭାବିତ ହେବ। ୧୯୫୧ ମସିହା ବେଳକୁ ଆମ ଦେଶର ବାର୍ଷିକ ମୁଣ୍ଡ ପିଛା ଜଳ ୫୧୭୭ ଘନମିଟର ଥିଲା ଏବଂ ଆମର ଜନସଂଖ୍ୟା ବୃଦ୍ଧି ଓ ଜଳ ସମ୍ପଦର କୁପରିଚାଳନା ଯୋଗୁ, ବାର୍ଷିକ ମୁଣ୍ଡ ପିଛା ଜଳ ଉପଲବ୍ଧତା କ୍ରମଶଃ ହ୍ରାସ ପାଇବାରେ ଲାଗିଲା। ୨୦୨୩ ମସିହା ବେଳକୁ ଆମର ବାର୍ଷିକ ମୁଣ୍ଡ ପିଛା ଜଳ ଉପଲବ୍ଧତା ହେଉଛି ମାତ୍ର ୧୪୫୦ ଘନ ମିଟର, ଯାହାକି ଆମର ଜଳକ୍ଳିଷ୍ଟ ଅବସ୍ଥାକୁ ସୂଚାଉଅଛି। ଓଡ଼ିଶାରେ ମଧ୍ୟ ୬ଟି ବ୍ଲକରେ ଯଥା ବାଲେଶ୍ୱର ଜିଲାର ବାଲିଆପାଳ, ଯାଜପୁର ଜିଲାର କୋରେଇ, କେନ୍ଦ୍ରାପଡ଼ା ଜିଲାର ଗରଦପୁର, ଖୋର୍ଦ୍ଧା ଜିଲାର ଭୁବନେଶ୍ୱର ଓ ବୋଲଗଡ଼ ଏବଂ ନୂଆପଡା ଜିଲାର ନୂଆପଡାରେ ଭୂତଳ ଜଳ ମାତ୍ରାଧିକ ଉତ୍ତୋଳନ ହେଉଛି ଓ ଆଗାମୀ ଦିନ ପାଇଁ ସତର୍କଘଣ୍ଟି ଦେଲାଣି। ତେଣୁ ଆମକୁ ଓ ସମାଜର ସବୁ ବର୍ଗର ଉପଭୋକ୍ତାଙ୍କୁ ଜଳର ସଦୁପଯୋଗ ବିଷୟରେ ଅବଗତ କରାଇବାକୁ ପଡ଼ିବ। ବିଶେଷକରି ଯୁବା ବର୍ଗ ଓ ପିଲାମାନଙ୍କୁ ଜଳ ସମ୍ପଦ ସଙ୍କଟଜନିତ ଭୟାବହତା ବିଷୟରେ ସଚେତନ କରିବାକୁ ହେବ। କୃଷି କ୍ଷେତ୍ର ଯେହେତୁ ଶତକଡା ୭୦ ଭାଗରୁ ଅଧିକ ଜଳ ସମ୍ପଦ ଉପଯୋଗ କରୁଛି, ସେଥିପାଇଁ ଆମକୁ ଅଧିକ ପାରଦର୍ଶୀ ଅଥବା ଜଳ ସଞ୍ଚୟକାରୀ କୃଷି ଟେକ୍‌ନିକ ଯଥା ବୁନ୍ଦା ଜଳସେଚନ ଏବଂ ସିଞ୍ଚନ ଜଳସେଚନ ଆପଣେଇବାକୁ ପଡିବ। ସେଥିପାଇଁ କୃଷକମାନଙ୍କୁ ତାଲିମ ଦେବାକୁ ହେବ। ତା’ ଛଡା ବର୍ଷାଜଳ ସଂରକ୍ଷଣ ପାଇଁ ଅଧିକ ଗାଡିଆ, ପୋଖରୀ, ନଦୀନାଳରେ ବନ୍ଧ, ଆନିକଟ, ଚେକ୍‌ ଡ୍ୟାମ୍‌, ନଦୀବନ୍ଧ ଯୋଜନା ପ୍ରଭୃତି ନିର୍ମାଣ କରି ବର୍ଷାଜଳକୁ ସଂରକ୍ଷିତ କରିବାକୁ ପଡିବ। ଗାଡିଆ ପୋଖରୀରୁ ପଙ୍କ ଉଦ୍ଧାର କରି ତା’ର ଜଳଧାରଣ କ୍ଷମତା ବଢ଼ାଇବାକୁ ହେବ। ସେହିପରି ଜଳଭଣ୍ଡାର ଓ ନଦୀନାଳରେ ଜମା ହେଉଥିବା ପଟୁ ମାଟି ଓ ବାଲିକୁ ବାହାର କରି ସେଗୁଡିକର ଜଳଧାରଣ କ୍ଷମତା ବଢ଼ାଇବାକୁ ପଡିବ। ଜଳବାୟୁ ପରିବର୍ତ୍ତନଜନିତ ଅନିୟମିତ ବର୍ଷାକୁ କିପରି ସଂରକ୍ଷିତ କରି ଚାଷ କାର୍ଯ୍ୟ ଓ ଭୂଜଳ ଭରଣା ପାଇଁ ବ୍ୟବହାର କରାଯାଇପାରିବ, ସେ ବିଷୟରେ ଅଧିକ ଧ୍ୟାନ ଦେବାକୁ ହେବ। ଆବଶ୍ୟକ ସ୍ଥଳେ କୃତ୍ରିମ ଭୂଜଳ ଭରଣା ଟେକ୍ନୋଲୋଜି ଆପଣେଇ ଭୂଜଳ ହ୍ରାସକୁ ରୋକିବାକୁ ପଡ଼ିବ। ମୋଟାମୋଟି କହିବାକୁ ଗଲେ ଉଭୟ ବର୍ତ୍ତମାନ ଓ ଆଗାମୀ ପିଢ଼ିର ଜଳ ସୁରକ୍ଷା ପାଇଁ ଆମକୁ ବ୍ୟକ୍ତିଗତ, ସାମାଜିକ ଓ ସରକାରୀ ସ୍ତରରେ ସବୁ ପ୍ରକାର ପଦକ୍ଷେପ ନେବାକୁ ହେବ। ଆମେ ଯଦି ପୃଥିବୀର ସମସ୍ତଙ୍କ ପାଇଁ ଜଳ ସୁରକ୍ଷା ସୁନିଶ୍ଚିତ କରାଇ ପାରିବା, ନିଶ୍ଚିତ ରୂପେ ବିଶ୍ୱଶାନ୍ତି ପ୍ରତିଷ୍ଠାରେ ଫଳବତୀ ହେବା।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri