ଯୁଦ୍ଧ ଓ ପରିବେଶ

ବର୍ତ୍ତମାନ ପୃଥିବୀରେ ଏକ ପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ ଏବଂ ଅନ୍ୟପକ୍ଷରେ ଇରାନ ଯୁଦ୍ଧରେ ବ୍ୟସ୍ତ। ଅନେକ କୋଠା ଧ୍ୱଂସ ପାଉଛି ଏବଂ ଅନେକ ଲୋକ ମୃତାହତ ହେଉଛନ୍ତି। ଯୁଦ୍ଧ ଜାହାଜ ସମେତ ଅନେକ ତୈଳବାହୀ ଜାହାଜ ମଧ୍ୟ ନଷ୍ଟ ହେଉଛି। ତିନି ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଦୁଇବର୍ଷ ପୂର୍ବେ ଇସ୍ରାଏଲର ଗାଜା ଆକ୍ରମଣ ମଧ୍ୟ ଭୁଲି ହୋଇନାହିଁ। ଯୁଦ୍ଧରେ ଧନସମ୍ପତ୍ତି ନଷ୍ଟ ଏବଂ ଲୋକଙ୍କ ମୃତ୍ୟୁ ଆମେ ଦେଖିପାରୁଛେ। ମାତ୍ର ପରିବେଶ ଉପରେ ଏହାର ପ୍ରଭାବକୁ ଆମେ ହୃଦୟଙ୍ଗମ କରିପାରୁନାହେଁ।
ଆଧୁନିକ ଯୁଦ୍ଧ ସର୍ବଦା ପରିବେଶର କ୍ଷତି କରିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ୧୯୪୫ ଅଗଷ୍ଟରେ ଜାପାନର ହିରୋସିମା ଓ ନାଗାସାକି ସହର ଦୁଇଟି ଉପରେ ଆମେରିକା ନିକ୍ଷେପ କରିଥିବା ପରମାଣୁ ବୋମାରେ ଦୁଇ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ ଏବଂ ଦୁଇଟି ସହର ଧୂଳିସାତ୍‌ ହୋଇଯାଇଥିଲା। ଏଥିରୁ ବଞ୍ଚିଯାଇଥିବା ଲୋକମାନଙ୍କ ମଧ୍ୟରୁ ଅନେକେ ବିକଳାଙ୍ଗ ହୋଇଥିଲେ ଏବଂ କେତେ ଜଣ କ୍ୟାନ୍‌ସରର ଶିକାର ହୋଇଥିଲେ। ବୋମା ବିସ୍ଫୋରଣରୁ ନିର୍ଗତ ବିଷାକ୍ତ ଗ୍ୟାସ୍‌ ଓ ତେଜସ୍କ୍ରିୟ ବିକିରଣ ପରିସଂସ୍ଥାକୁ ନଷ୍ଟ କରିଥିଲା ଏବଂ ଅନେକ ବର୍ଷ ପର୍ଯ୍ୟନ୍ତ ଏହାର ଜଳ ଓ ମୃତ୍ତିକା ବ୍ୟବହାରଯୋଗ୍ୟ ହୋଇ ନ ଥିଲା। ଯଦିଓ ଆମେରିକା ରାଷ୍ଟ୍ରପତି ହ୍ୟାରି ଟ୍ରୁମାନ ଯୁଦ୍ଧକୁ ଶୀଘ୍ର ସମାପ୍ତ କରିବା ପାଇଁ ଏହା ସପକ୍ଷରେ ଯୁକ୍ତି ବାଢ଼ିଥିଲେ, ତଥାପି ପରିବେଶ ଓ ମାନବ ସମାଜ ଉପରେ ଏପରି କାର୍ଯ୍ୟ ନିଶ୍ଚିତ ଭାବରେ ନିନ୍ଦନୀୟ।
୧୯୬୧ରୁ ୧୯୭୫ ପର୍ଯ୍ୟନ୍ତ ଘଟିଥିବା ଭିଏଟ୍‌ନାମ ଯୁଦ୍ଧରେ ଆମେରିକା ରାସାୟନିକ ବୋମା ପ୍ରୟୋଗ କରିଥିଲା। ଭିଏଟ୍‌ନାମର ଗେରିଲାବାହିନୀ ଜଙ୍ଗଲ ଭିତରେ ଲୁଚି କରି ଯୁଦ୍ଧ କରୁଥିଲେ ଏବଂ ସେମାନଙ୍କୁ ସେଠାରୁ ବାହାର କରିବା ପାଇଁ ଆମେରିକା ସେନା ନେପାମ୍‌ ବୋମା ନିକ୍ଷେପ ଏବଂ ଏଜେଣ୍ଟ ଅରେଞ୍ଜ ନାମକ ବାଳୁଙ୍ଗାନାଶକ ପଦାର୍ଥ ସିଞ୍ଚନ କରିଥିଲା। ଜଣାଯାଇଛି ଯେ ଆମେରିକା ଏହି ଯୁଦ୍ଧରେ ୪ ଲକ୍ଷ ନେପାମ୍‌ ବୋମା ଏବଂ ୭୫ ନିୟୁତ ଲିଟର ବାଳୁଙ୍ଗାନାଶକ ବ୍ୟବହାର କରିଥିଲା। ଏହାଦ୍ୱାରା କୀଟପତଙ୍ଗ ସମେତ ଅନେକ ପକ୍ଷୀ, ମାଛ, କେଞ୍ଚୁଆ ଆଦି ପ୍ରଭାବିତ ହୋଇଥିଲେ ଏବଂ ଅନେକ ବର୍ଷ ଧରି ଖାଦ୍ୟ ଶୃଙ୍ଖଳରେ ବ୍ୟାଘାତ ହୋଇଥିଲା। ଏଥିଯୋଗୁ ମୃତ୍ତିକା, ଜଳ ଓ ବାୟୁ ପ୍ରଦୂଷଣର ମାତ୍ରା ବହୁଗୁଣରେ ବଢ଼ି ଯାଇଥିଲା। ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ପରିବେଶ କ୍ଷତି ହେଉଛି। ଏହାର ୩୦ପ୍ରତିଶତ ଅଞ୍ଚଳରେ ବର୍ତ୍ତମାନ ବାରୁଦ ବିଛାଯାଇଛି।
ଯୁଦ୍ଧ ସମୟରେ ବୋମା ନିକ୍ଷେପରୁ ଅଙ୍ଗାରକ୍ଲାମ ଓ ଅନ୍ୟାନ୍ୟ ବିଷାକ୍ତ ଗ୍ୟାସ୍‌ ବାୟୁମଣ୍ଡଳକୁ ଯାଇଥାଏ। ବୋମା ଯୋଗୁ ଅନେକ କୋଠା, ତୈଳ ବିଶୋଧନାଗାର ଓ ଭଣ୍ଡାର ଏବଂ ଜାହାଜ ଜଳିଯାଇ ଅଙ୍ଗାରକ୍ଲାମ ଉତ୍ସର୍ଜନ ହୋଇଥାଏ। ଗୋଟିଏ ଗୋଟିଏ ତୈଳବାହୀ ଜାହାଜରେ ୧ ଲକ୍ଷ ନିୟୁତ ଟନ୍‌ ପର୍ଯ୍ୟନ୍ତ ତୈଳ ଆସିଥାଏ। ସେଥିରେ ବୋମା ପଡ଼ିଲେ ବାୟୁମଣ୍ଡଳକୁ ପ୍ରଚୁର ପରିମାଣର ଅଙ୍ଗାରକ୍ଲାମ ଯାଇଥାଏ ଏବଂ ସମୁଦ୍ର ଜଳରେ ତୈଳ ମିଶି ଜଳ ପ୍ରଦୂଷଣ ହୋଇଥାଏ। ଏକ ଆକଳନରୁ ଜଣାପଡ଼ିଛି ଯେ ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଥମ ୪ ବର୍ଷରେ ବାୟୁମଣ୍ଡଳକୁ ୩୧୧ ନିୟୁତ ଟନ୍‌ ଅଙ୍ଗାରକ୍ଲାମ ନିର୍ଗତ ହୋଇଛି। ସେହିପରି ଇସ୍ରାଏଲ-ଗାଜା ଯୁଦ୍ଧରେ ବାୟୁମଣ୍ଡଳକୁ ୩୩ ନିୟୁତ ଟନ୍‌ ଅଙ୍ଗାରକାମ୍ଳ ନିର୍ଗତ ହୋଇଥିଲା।
ଇରାନ ଉପରେ ଅକ୍ରମଣ ଯୋଗୁ ଏବେ ଗ୍ୟାସ୍‌ ଯୋଗାଣରେ ବାଧା ହେବାରୁ ଲୋକମାନେ କୋଇଲା ଓ କାଠଚୁଲା ବ୍ୟବହାର କରିବାରୁ ଅଧିକ ଅଙ୍ଗାରକାମ୍ଳ ନିର୍ଗତ ହେଉଛି। ଆମ ଦେଶର ବିଭିନ୍ନ ସହରାଞ୍ଚଳରେ କୋଇଲା ଓ କାଠଚୁଲା ବ୍ୟବହାର ଉପରେ ପ୍ରତିବନ୍ଧକ ଥିଲା। ମାତ୍ର ସରକାର ବର୍ତ୍ତମାନ ଏହାକୁ ଉଠାଇ ଦେଇଛନ୍ତି। ଯୁଦ୍ଧ ଯୋଗୁ ଗ୍ୟାସ୍‌ ଆସିବାରେ ଅସୁବିଧା ହେବାରୁ ଦକ୍ଷିଣ କୋରିଆ ସରକାର ତାପଜ ବିଦ୍ୟୁତ୍‌ ଉତ୍ପାଦନ ଉପରେ ଜାରି କରିଥିବା ନିଷେଧାଦେଶ ହଟାଇ ଦେଇଛନ୍ତି।
ଇରାକର ତୈଳ ଭଣ୍ଡାର ଉପରେ ଇରାନର ଆକ୍ରମଣ ଫଳରେ ସେଥିରୁ ପ୍ରଚୁର ପରିମାଣରେ କଣିକା, ଧୂଆଁ, ଗ୍ୟାସ୍‌ ଆଦି ଆକାଶକୁ ଯାଇ ‘କଳାବର୍ଷା’ ହୋଇଥିବା ଜଣାପଡ଼ିଛି। ଇରାନର ପରମାଣୁ କେନ୍ଦ୍ରଗୁଡ଼ିକ ଉପରେ ଇସ୍ରାଏଲ ଓ ଆମେରିକା ଆକ୍ରମଣ କରିଛନ୍ତି ଏବଂ ଏଥିରୁ ନିର୍ଗତ ତେଜସ୍କ୍ରିୟ ବିକିରଣଜନିତ କ୍ଷୟକ୍ଷତିର ଆକଳନ କରାଯାଇନାହିଁ। ପୁନଶ୍ଚ ଯଦି ନଦୀବନ୍ଧ ଉପରେ ବୋମା ପଡ଼େ, ତାହାହେଲେ ଆକସ୍ମିକ ବନ୍ୟା ହୋଇ ଅନେକ ଗାଁ, ସହର ଓ ଜଙ୍ଗଲ କ୍ଷତିଗ୍ରସ୍ତ ହେବ।
ବୈଜ୍ଞାନିକମାନେ ସତର୍କ କଲେଣି ଯେ, ଜଳବାୟୁ ପ୍ରତି ଯୁଦ୍ଧର ପ୍ରଭାବ ହେଉଛି ବାସ୍ତବ ଓ ଏହାକୁ ମାପ କରାଯାଇପାରିବ। ଜାଗତିକ ଜଳବାୟୁ ନୀତିରେ ଏହାକୁ ଗୌଣ ମନେ କରାଯାଉଥିବା ପରିତାପର ବିଷୟ। ସାମରିକ କାର୍ଯ୍ୟକଳାପରୁ ବାୟୁମଣ୍ଡଳକୁ ବାର୍ଷିକ ପ୍ରାୟ ୫ ପ୍ରତିଶତ ସବୁଜଗୃହ ଗ୍ୟାସ୍‌ ନିର୍ଗମନ ହେଉଥିବାର ଏକ ଅଧ୍ୟୟନରୁ ଜଣାପଡିଛି, ମାତ୍ର କ୍ଷୋଭର ବିଷୟ ଯେ, ଏହାକୁ କାର୍ବନ ଉତ୍ସର୍ଜନ ତଥ୍ୟରେ ଦର୍ଶାଯାଉନାହିଁ।
ସାମାଜିକ ଗଣମାଧ୍ୟମରେ ଗୋଟିଏ ବକ୍ତବ୍ୟ ଘୂରିବୁଲୁଛି। ତାହା ହେଉଛି, ‘ମନୁଷ୍ୟ ପୃଥିବୀ ବାହାରେ ଜୀବଜଗତ ଖୋଜିବା ପାଇଁ ବହୁ କୋଟି ଡଲାର ଖର୍ଚ୍ଚ କରୁଛି, କିନ୍ତୁ ପୃଥିବୀ ପୃଷ୍ଠରେ ଜୀବକୁ ହତ୍ୟା କରିବା ପାଇଁ ତାହାଠାରୁ ଅଧିକ ଖର୍ଚ୍ଚ କରୁଛି’। ବର୍ତ୍ତମାନର ଯୁଦ୍ଧ ପରିସ୍ଥିତି ଏବଂ ପାରିବେଶିକ କ୍ଷତିକୁ ଦେଖିଲେ ଏହା ନିଃସନ୍ଦେହରେ ସତ୍ୟ ମନେହୁଏ।

ଇଂ. ମାୟାଧର ସ୍ବାଇ
ଲକ୍ଷ୍ମୀବିହାର, ଭୁବନେଶ୍ୱର
ମୋ:୯୪୩୮୬୯୩୭୨୪

Dharitri – Odisha’s No.1 Odia Daily

Share