Categories: ଖେଳ

ଓ୍ବାଲର୍‌ଡ ୟୁଥ୍‌ ବକ୍ସିଂ ଚାମ୍ପିୟନଶିପ୍‌: ଭାରତୀୟ ମହିଳା ବକ୍ସର ଜିତିଲେ ୭ ସ୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ,୨୩ା୪ (ପି.ଟି.)-ପୋଲାଣ୍ଡର କିଲ୍‌ସିଠାରେ ଚାଲିଥିବା ଓ୍ବାଲର୍‌ଡ ୟୁଥ୍‌ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା ବକ୍ସରମାନେ ପ୍ରଧାନ୍ୟ ବିସ୍ତାର କରି ଗୁରୁବାର ୭ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେମାନେ ହେଲେ ଗୀତିକା (୪୮କେଜି), ବେବିରୋଜିସାନା ଚାନୁ(୫୧କେଜି), ପୁନମ (୫୭କେଜି), ଭିନ୍‌କା (୬୦କେଜି), ଅରୁନ୍ଧତି ଚୌଧାରୀ (୬୯କେଜି), ଅଲଫିୟା ପଠାନ (୮୧+କେଜି) ଓ ଥୋଖୋମ୍‌ ସାନାମାଚୁ ଚାନୁ (୭୫କେଜି)। ପୋଲାଣ୍ଡର ନାତାଲିଆ କୁଜେସ୍କାଙ୍କ ବିପକ୍ଷରେ ଗୀତିକା ୫-୦ରେ ବିଜୟ ହାସଲ କରିଥିଲେ। ବେବିରୋଜିସାନାଙ୍କ ପ୍ରଥମ ରାଉଣ୍ଡ ମୁକାବିଲାରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ହେଲେ ରୁଷିଆର ଭାଲେରିଆ ଲିଙ୍କୋଭାଙ୍କ ବିପକ୍ଷରେ ସେ ସମାନ ବ୍ୟବଧାନରେ ବିଜୟୀ ହୋଇଥିଲେ। ପରେ ପୁନମ ଓ ଭିନିକା ଆଉ ଦୁଇଟି ସ୍ବର୍ଣ୍ଣ ଜିତିଥିଲେ। ପୁନମ ଫ୍ରାନ୍ସର ସ୍ଥେଲିନ୍‌ ଗ୍ରସ୍‌ଜିଙ୍କୁ ୫-୦ରେ ହରାଇ ଦେଇଥିବାବେଳେ ଭିନିକାଙ୍କ ଜବରଦସ୍ତ ପଞ୍ଚ୍‌ ଆଗରେ ତିଷ୍ଠି ନ ପାରି କାଜାଖସ୍ତାନର ଝୁଲ୍‌ଡିଜ ସାୟାଖମେତୋଭା ପରାସ୍ତ ହୋଇଯାଇଥିଲେ। ଅରୁନ୍ଧତି ସ୍ଥାନୀୟ ଫେଭରାଇଟ୍‌ ବାରବାରା ମାର୍ସିନକୋସ୍କାଙ୍କ ବିପକ୍ଷରେ ୫-୦ରେ ସହଜ ବିଜୟ ହାସଲ କରିଥିଲେ। ଚାନୁଙ୍କୁ କିନ୍ତୁ ସ୍ବର୍ଣ୍ଣ ଜିତିବା ଲାଗି କାଜାଖସ୍ତାନର ଦାନା ଦିଦେଙ୍କ ସହତ କଡ଼ା ମୁକାବିଲା କରିବାକୁ ପଡ଼ିଥିଲା। ଜଜ୍‌ଙ୍କ ବିଭାଜିତ ନିଷ୍ପତ୍ତିରେ ସେ ବିଜୟିନୀ ହୋଇଥିଲେ। ପଠାନ ମୋଲେଡୋଭାର ଡାରିୟା କୋଜୋରୋଜଙ୍କୁ ୫-୦ରେ ହରାଇ ଦେଇଛନ୍ତି।

Share