ଅଣ୍ଟା ସଳଖ ହେଉଛି

ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲାରେ ଏପ୍ରିଲ ୨୦ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଭାରତୀୟ ଯବାନଙ୍କ ପ୍ରାଣହାନି ଘଟିଥିବା ବେଳେ ଜଣେ ଆହତ ହୋଇଥିଲେ। ଏହି ଘଟଣା ପରେ ଏପ୍ରିଲ ୨୩ରେ ବଡ଼ଧରଣର ତଲାସି ଅଭିଯାନ ଚାଲିଥିବା ସେନା ପକ୍ଷରୁ କୁହାଯାଇଛି। ଯେଉଁଭଳି ଭାବେ ଗ୍ରେନେଡ୍‌ ମାଡ଼ କରାଯାଇ ସେନାଗାଡ଼ିକୁ ଜାଳି ଦିଆଗଲା, ତାହା ୨୦୧୯ରେ ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ମନେପକାଇ ଦେଉଛି। ସେତେବେଳେ ଯବାନଙ୍କ ଗାଡ଼ି ସହ ବିସ୍ଫୋରକଭର୍ତ୍ତି କାର୍‌କୁ ଆତ୍ମଘାତୀ ପିଟି ଦେବା ପରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)ର ୪୦ ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା। ତେବେ ପୁଲ୍‌ଓ୍ବାମା ଆକ୍ରମଣରୁ କିଛି ଶିକ୍ଷା ଗ୍ରହଣ କରି ନ ଥିବା ଭାରତୀୟ ଗୋଇନ୍ଦା ଏବେ ମଧ୍ୟ ଅନେକ ସମ୍ବେଦନଶୀଳ ଅଞ୍ଚଳରେ ଠିକ୍‌ ଭାବେ ପାଟ୍ରୋଲିଂ କରିବା ଲାଗି ସୂଚନା ଦେଇପାରୁ ନାହିଁ। ପୁଞ୍ଚ୍‌ରେ ବିସ୍ଫୋରଣ ଘଟାଇବା ଲାଗି ଆକ୍ରମଣକାରୀମାନେ ପ୍ରାୟ ଏକବର୍ଷ ହେବ ରହି ସମ୍ପୃକ୍ତ ଅଞ୍ଚଳର ପ୍ରାକୃତିକ ଭୂଭାଗ ବିଷୟରେ ଅଭ୍ୟସ୍ତ ହୋଇଥିବା କୁହାଯାଉଛି। ଏଥିରୁ ବୁଝିହେଉଛି ଯେ, ସେନାର ସାଧାରଣ ପଇଁତରା ବ୍ୟବସ୍ଥାକୁ ମଧ୍ୟ ଠିକ୍‌ ଭାବେ ପାଳନ କରାଯାଉ ନାହିଁ। ଏଥିସହିତ ଗୋଇନ୍ଦା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଅନ୍ୟପଟେ ରାଜନୈତିକ ବାହୁସ୍ଫୋଟ ବୃଦ୍ଧି ପାଉଥିବାରୁ ଏହିଭଳି ମାରାତ୍ମକ ତ୍ରୁଟି ଘଟାଉଥିବା ବ୍ୟକ୍ତିମାନେ ଦଣ୍ଡିତ ହେବା ପରିବର୍ତ୍ତେ ସହଜରେ ଖସି ଯାଉଛନ୍ତି। ଜମ୍ମୁ ଓ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ୍‌ଙ୍କ ବିବୃତିିରୁ ପୁଲ୍‌ଓ୍ବାମା ଘଟଣା ସମ୍ପର୍କରେ ମଧ୍ୟ ସ୍ପଷ୍ଟ ବୁଝାପଡ଼ୁଛି।
ପୁଞ୍ଚ୍‌ର ଯେଉଁ ଅଞ୍ଚଳରେ ଆକ୍ରମଣ ଘଟିଛି, ତାହା ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ବୋଲି କୁହାଯାଉଛି। ଜମ୍ମୁ ଓ କଶ୍ମୀରକୁ ସମ୍ବିଧାନର ଅନୁଚ୍ଛେଦ ୩୭୦ରେ ଦିଆଯାଇଥିବା ସ୍ବତନ୍ତ୍ର ସୁବିଧା ଓ ସୁଯୋଗକୁ କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୧୯ରେ ଉଚ୍ଛେଦ କରିଥିଲେ। ସେତେବେଳେ କୁହାଯାଇଥିଲା ସରକାରଙ୍କ ଏହି ପଦକ୍ଷେପ ଯୋଗୁ ଆତଙ୍କବାଦୀ ଆକ୍ରମଣ ବନ୍ଦ ହେବା ସହ ସେହି ଭୂଖଣ୍ଡର ଅଧିବାସୀମାନେ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିପାରିବେ। ଏହା ପୂର୍ବରୁ ୮ ନଭେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ବିମୁଦ୍ରୀକରଣ ସମୟରେ ମଧ୍ୟ କୁହାଯାଇଥିଲା ଯେ, ତାହା ଆତଙ୍କବାଦୀଙ୍କ ଅଣ୍ଟାକୁ ଭାଙ୍ଗିଦେବ। କିନ୍ତୁ କାହିଁ କେଜାଣି ମନେହେଉଛି ଯେପରି ଆତଙ୍କବାଦୀଙ୍କ ଅଣ୍ଟା ଆହୁରି ସଳଖ ହେଉଛି। ଜମ୍ମୁ ଓ କଶ୍ମୀରକୁ ଭାଙ୍ଗି ଦିଆଯାଇ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରିଦିଆଯିବା ପରେ ସେଠାକାର ଲୋକମାନେ ବିଭିନ୍ନ ଦିଗରୁ ଦହଗଞ୍ଜ ହେବାରେ ଲାଗିଛନ୍ତି। ଦୀର୍ଘ ଦିନ ଧରି ଇଣ୍ଟରନେଟ୍‌ ସେବା ବନ୍ଦ ହେବା ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେ। ଇତିମଧ୍ୟରେ କେତେକ କଶ୍ମୀର ପଣ୍ଡିତଙ୍କ ଜୀବନ ମଧ୍ୟ ଯାଇଛି। ସେଠାରେ ଦୈନନ୍ଦିନ ଯାତାୟାତରେ ପ୍ରବଳ କଟକଣା। ଲୋକଙ୍କ ପାଖରେ ସର୍ବନିମ୍ନ ସୁବିଧା ଯଥା ଔଷଧ ମିଳିପାରୁ ନାହିଁ। ସବୁ ବ୍ୟବସାୟ ବନ୍ଦ ହୋଇଗଲାଣି। ଗଣମାଧ୍ୟମରେ କୌଣସି ଅସ୍ବାଭାବିକ ତଥ୍ୟ ପ୍ରକାଶ ପାଉ ନ ଥିବାରୁ ଭାରତର ଅନ୍ୟ ରାଜ୍ୟରେ କଶ୍ମୀରର ବାସ୍ତବ ସ୍ଥିତି ସମ୍ପର୍କରେ ବୁଝାପଡ଼ୁନି। ଧୀରେ ଧୀରେ ଆତଙ୍କବାଦୀ କାର୍ଯ୍ୟ ବଢ଼ିବା ପରେ ଏବେ ପୁଞ୍ଚ୍‌ରେ ଆକ୍ରମଣ ଅନୁଚ୍ଛେଦ ୩୭୦ ଉଚ୍ଛେଦ ବେଳର ସରକାରଙ୍କ ଦମ୍ଭୋକ୍ତିକୁ ଭୁଲ୍‌ ପ୍ରମାଣିତ କରିଛି ବୋଲି କୁହାଯାଉଛି। ପୁଣି ଏହି ଆକ୍ରମଣ ଏଭଳି ସମୟରେ ହୋଇଛି, ଯେତେବେଳେ ଜମ୍ମୁ ଓ କଶ୍ମୀର ମେ’ରେ ଜି-୨୦ ପର୍ଯ୍ୟଟନ କାର୍ଯ୍ୟକାରୀ ଗ୍ରୁପ୍‌ ବୈଠକ ଆୟୋଜନ କରିବାକୁ ଯାଉଛି। ଅନୁରୂପ ଭାବେ ଆସନ୍ତାମାସରେ ଗୋଆଠାରେ ଅନୁଷ୍ଠିତ ହେଉଥିବା ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ବୈଠକରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଯୋଗଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।
ବର୍ତ୍ତମାନର ସ୍ଥିତିକୁ ଦେଖିଲେ କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀର ସଂକ୍ରାନ୍ତ ରଣନୀତିରେ ପରିବର୍ତ୍ତନ ଆଣିବା ଦରକାର। ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଜମ୍ମୁ ଓ କଶ୍ମୀର ଆଗକୁ ଆହୁରି ଦୁର୍ଦ୍ଦଶାର ସମ୍ମୁଖୀନ ହେବ। କେବଳ ସେତିକି ନୁହେଁ, ସେହି ଅଞ୍ଚଳର ଯେତିକି ସମସ୍ୟା ବୃଦ୍ଧି ପାଇବ, ଭାରତୀୟ ରାଜକୋଷରୁ ସେତିକି ଅର୍ଥ ବ୍ୟୟ ହେବାରେ ଲାଗିବ। ଭାରତର ପ୍ରାୟ ସବୁ ଅର୍ଦ୍ଧସାମରିକ ବାହିନୀ ଓ ସେନାର ଶକ୍ତି ଜମ୍ମୁ ଓ କଶ୍ମୀରର ଆଭ୍ୟନ୍ତରୀଣ ସୁରକ୍ଷା ଦିଗରେ ମୁତୟନ ହେଉଥିବାରୁ ବାହ୍ୟ ଆକ୍ରମଣ ବଢ଼ୁଛି। ସେଥିପାଇଁ ଚାଇନା ବାରମ୍ବାର ଭାରତ ଭିତରକୁ ପଶି ଅଧିକ ଅଞ୍ଚଳ ମାଡ଼ି ବସିଲାଣି। ୨୬/୧୧ ଆତଙ୍କବାଦୀ ଆକ୍ରମଣ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଗଢ଼ାଯାଇଥିଲା। ଏହା ଅତ୍ୟନ୍ତ ଶକ୍ତିଶାଳୀ ବୋଲି ସର୍ବଦା ସରକାରୀ ଭାବେ କୁହାଯାଇଥାଏ। ହେଲେ ଆତଙ୍କବାଦୀ ଆକ୍ରମଣ ପରେ ଏହାର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିବା ବ୍ୟତୀତ ଅଦ୍ୟାବଧି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛନ୍ତି। ତେଣୁ ସବୁ ଦିଗରୁ ଦେଖିଲେ କେବଳ ବାହୁସ୍ଫୋଟ ମାରିଲେ ହେବ ନାହିଁ। ବର୍ତ୍ତମାନ ବ୍ୟବସ୍ଥିତ ଭାବେ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଲାଣି। ନ ହେଲେ କଶ୍ମୀର ଆହୁରି ଅଶାନ୍ତ ହୋଇଯିବ। କେବଳ କଶ୍ମୀର ନୁହେଁ, ସୀମାନ୍ତ ଅଞ୍ଚଳରେ ଭାରତ ପାଇଁ ପରିସ୍ଥିତି ଆହୁରି ଅଣାୟତ୍ତ ହେବାକୁ ଲାଗିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri