ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ ଆସିଛି। ବ୍ୟାଙ୍କ ଅଧିକାରୀଙ୍କ ପ୍ରକ୍ରିୟାକୁ ସେ ବୁଝିପାରିନି ବା ବୁଝିବାର କ୍ଷମତା ରଖିନି। କାଗଜପତ୍ର ଆଣିଲେ ନଚେତ୍ ଲୋକ ନିଜେ ଆସିଲେ ହିଁ ଟଙ୍କା ଉଠିପାରିବ ଜାଣି, ଅନ୍ୟ ଉପାୟ ନ ପାଇ ତିନି ମାସ ତଳେ ମରିଥିବା ଭଉଣୀର ପୋତା ଶବକୁ ମାଟିରୁ ଖୋଳ ନେଇ ବ୍ୟାଙ୍କରେ ପହଞ୍ଚିଥିଲା। ବ୍ୟାଙ୍କର ଯଦିଓ ଦୋଷ ନ ଥାଇପାରେ କିନ୍ତୁ ବ୍ୟାଙ୍କ ସହିତ ସାଧାରଣ ମଣିଷର ଭାଗୀଦାରିର ପ୍ରକ୍ରିୟା ଏତେ ସରଳ ନୁହେଁ ସୂଚାଉଥିଲା। ଆଉ ଆମ ବ୍ୟବସ୍ଥାରେ କ’ଣ ଅଭାବ ରହିଛି ଯେ ଯାହାଦ୍ୱାରା ଜଣେ ମଣିଷ ଏପରି କାର୍ଯ୍ୟ କରିବାକୁ ବାଧ୍ୟ ହେଲା? ସାରା ବିଶ୍ୱର ଗଣମାଧ୍ୟମରେ ଏହାକୁ ନେଇ ଅନେକ ଚର୍ଚ୍ଚା।
ଦେଶର ଅର୍ଥନୈତିକ କାରବାରରେ ବ୍ୟାଙ୍କର ବହୁତ ବଡ଼ ଭୂମିକା ରହିଛି। ସମସ୍ତଙ୍କୁ ଦେଶର ଅର୍ଥନୀତିରେ ଅନ୍ତର୍ଭୁକ୍ତୀକରଣ ପାଇଁ ସରକାର ଜନଧନ ଯୋଜନା ପ୍ରଚଳନ କରିଥିଲେ ଜଣେ ନାଗରିକର ବ୍ୟାଙ୍କ ଖାତାଟିଏ ରହିବା ଜରୁରୀ ବୋଲି। ଏହି ଘଟଣାଟି ତୃଣମୂଳ ସ୍ତରର ଚିତ୍ରକୁ ପ୍ରତିପାଦିତ କରୁଥିଲା। ଅବଶ୍ୟ ସରକାର ଏହାର ଗୁରୁତ୍ୱକୁ ଉପଲବ୍ଧି କରି ତା’ର ଦୁଆର ମୁହଁରେ ସେବା ତତ୍କ୍ଷଣାତ୍ ପହଞ୍ଚାଇଛନ୍ତି। ବ୍ୟାଙ୍କ ମଧ୍ୟ ତାହାର ଦୁଆର ମୁହଁରେ ପହଞ୍ଚି ସେବା ଯୋଗାଇଛି। ଆମର ଅନେକ ଦିନର ଚେଷ୍ଟା ଚାଲିଛି ସବୁ ମଣିଷ ତା’ ଦୁଆର ମୁହଁରେ ସବୁ ସେବା ପାଉ। ଯାହାକୁ ଆମେ ସୁଶାସନ କହୁ। କିନ୍ତୁ ତାହା ଏଯାବତ୍ ଫଳବତୀ ହୋଇନାହିଁ। ସ୍ବାଧୀନତାର ଏତେ ବର୍ଷ ପରେ ବି କୌଣସି ନାଗରିକଟିଏ ମଧ୍ୟରେ ସଚେତନତା ନ ରହିବା ଅନେକ ଦିଗର ବିଫଳତାକୁ ସୂଚାଉଛି ନିଶ୍ଚୟ। ଏହି ଘଟଣା ଲୋକଲୋଚନକୁ ଆସିଲା ବୋଲି ଅନେକ ଚର୍ଚ୍ଚା। କିନ୍ତୁ ଅନେକ ବିଭାଗରେ, ଅନେକ ସେବା ପାଇବାରୁ ଏବେ ବି ଅନେକ ବଞ୍ଚତ୍ତ। ସେବା ପାଇବାକୁ ଟେବୁଲ ପାଖରେ ଅନେକ ସମୟ ଧରି ଗୋଡ଼ ଭାଙ୍ଗି ଠିଆହେବାକୁ ପଡ଼ୁଛି, ଏହାକୁ କେହି ଅସ୍ବୀକାର କରିବେ ନାହିଁ। ଏବେ ବି ଅନେକ ଲାଞ୍ଚ କାରବାରର ଅଭିଯୋଗ ହୁଏ।
କେତେ ବର୍ଷ ତଳେ ଜଣେ ନିରକ୍ଷର ମଣିଷ ତା’ର ରୋଗାକ୍ରାନ୍ତ ସ୍ତ୍ରୀର ଶବକୁ ଡାକ୍ତରଖାନାରୁ ଘରକୁ କାନ୍ଧରେ ବୋହି ଆଣିବା, ଅନେକ ମଣିଷର ହୃଦୟକୁ ଦୋହଲାଇ ଦେଇଥିଲା। ବିଶେଷଜ୍ଞଙ୍କ ସେତେବେଳର ମତ ଥିଲା, ଡାକ୍ତରଖାନାରୁ ଘରକୁ ଶବ ଆସିବା ମଧ୍ୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରାୟ ଚାଳିଶଟି ଯୋଜନାର ବିଫଳତାକୁ ବଖାଣୁଥିଲା। ଆମେ ଅନେକ ସମୟରେ ଦେଖୁ ରାସ୍ତା ନ ଥିବାରୁ ରୋଗୀକୁ ଆମ୍ବୁଲାନ୍ସ ତା’ ଦୁଆର ମୁହଁରୁ ଠିକ୍ ସମୟରେ ଡାକ୍ତରଖାନାକୁ ଆଣି ନ ପାରିବାରୁ ରୋଗୀର ମୃତ୍ୟୁ ହୁଏ।
ଅନ୍ୟ ଏକ ଘଟଣାରୁ ସମାଜର ଶେଷ ଧାଡ଼ିର ମଣିଷଙ୍କ ଦୟନୀୟ ଚିତ୍ର ପାଇବା। ଜନଗଣନା ଅବ୍ୟବହିତ ପୂର୍ବରୁ ଗୃହଗଣନା ହେଉଛି। ଏଥିରେ ସାମିଲ ନବାଗତ ଶିକ୍ଷକ, ଶିକ୍ଷୟିତ୍ରୀ ମୋବାଇଲ ମାଧ୍ୟମରେ ସେମାନଙ୍କ ଗୃହଗଣନା ଚଳମାନ ଚିତ୍ର ସବୁ ଆଗ୍ରହରେ ପ୍ରକାଶ କରୁଛନ୍ତି। ସେମାନେ ସମାଜର ଚିତ୍ର ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି। ବିଦ୍ୟାଳୟର ଚାରିକାନ୍ଥ ମଧ୍ୟରେ ପିଲାଙ୍କୁ ମଣିଷ କରିବାର ଦାୟିତ୍ୱ ନେଉଥିବା ମଣିଷ, ବାହାରର ଦୁନିଆ ଆଉ ଏକରକମ ଦେଖି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଅନେକ ବାସ୍ତବ କଥା ହୃଦୟଙ୍ଗମ କରୁଛନ୍ତି। କେଉଁଠି ମଣିଷ ଜରିପାଲ ମାରି ରହୁଛି ତ କେଉଁଠି ଗୋଟିଏ ବଖରାରେ ଅନେକ ମଣିଷ ରହୁଛନ୍ତି। ଦାରିଦ୍ର୍ୟ ଚରମ ସୀମାରେ। ଦାରିଦ୍ର୍ୟ, ନିରକ୍ଷରତା, ଅନ୍ଧବିଶ୍ୱାସ, କୁସଂସ୍କାର ଯୋଗୁ ଜନଗଣନା କାର୍ଯ୍ୟକ୍ରମକୁ ବୁଝିବାରେ ଅନେକ ଅକ୍ଷମ ମଧ୍ୟ।
କେହି କେହି କହିପାରନ୍ତି ବ୍ୟାଙ୍କ କିପରି ଜଣକ ପଇସା ଅନ୍ୟ ଜଣକୁ ଦେବ ବିନା କାଗଜପତ୍ରରେ। ଏହା ଶହେ ଶତକଡ଼ା ଠିକ୍। ବ୍ୟାଙ୍କ କାହିଁକି ପଇସା ଦେଲା ନାହିଁ, ଏହା ବିଚାରର ବିଷୟ ନୁହେଁ। ବିଚାରର ବିଷୟ ଏକ ବ୍ୟବସ୍ଥାର ପରାଜୟ ହେଉଛି। ଗଣତାନ୍ତ୍ରିକ ପ୍ରକ୍ରିୟାରେ କେଉଁ ଦଳ ବି ସରକାରରେ ରହିପାରେ, ଏହା ବଡ଼ କଥା ନୁହେଁ। ଆମ ପରି ସାଧାରଣ ମଣିଷ ପାଇଁ ବ୍ୟାଙ୍କ ବିନା ପ୍ରମାଣରେ ଟଙ୍କା ନ ଦେବା ଠିକ୍ ହୋଇପାରେ। କିନ୍ତୁ ବ୍ୟବସ୍ଥାଗତ ତ୍ରୁଟି ରହିଲେ ଏହା ସମାଜର ଅନେକ କ୍ଷତି ଘଟାଇଥାଏ। ଆମ ବ୍ୟବସ୍ଥା ସେତିକି ତାହାର ନାଗରିକଙ୍କୁ ମାନସିକ ଚେତନାରେ, ଆର୍ଥିକ ସ୍ଥିତିରେ ସ୍ବାବଲମ୍ବୀ କରିନାହିଁ ତାହା ବିଚାରର ବିଷୟ। ‘ବ୍ୟବସ୍ଥା’ର ତ୍ରୁଟି ସୁଧାରିବା ଜରୁରୀ। ସ୍ବାଧୀନତା ପରର ଭାରତବର୍ଷ ତାହାର ନାଗରିକଙ୍କୁ ନିରକ୍ଷରରେ ରଖିବ ନାହିଁ, ଭୋକରେ ରଖିବ ନାହିଁ, ଅନେକ ମହାପୁରୁଷଙ୍କ ଲକ୍ଷ୍ୟ ଥିଲା। ଏହାସହ ଲକ୍ଷ୍ୟ ଥିଲା ଆମରି ନାଆର ଆମେ ନାଉରି ହୋଇ ସୁସ୍ଥ ସମାଜ ଗଢ଼ିବା।
ଫକୀର ମୋହନ ସେନାପତି ନଅଙ୍କ ଦୁର୍ଭିକ୍ଷ କଥା ବର୍ଣ୍ଣନା କରିବାକୁ ଯାଇ ସୂଚାଇଛନ୍ତି, କଙ୍କାଳସାର ମଣିଷଗୁଡ଼ାକ ଟିକେ ଦୂରରୁ ଦେଖି ଜାଣି ହେଉ ନ ଥିଲା, କିଏ ପୁରୁଷ ଆଉ କିଏ ନାରୀ? ଅଭାବରେ ମଣିଷ କ’ଣ କ’ଣ ଖାଉଥିଲା, ତାହାର ନିଅତା ନାହିଁ। ଆମେ କ’ଣ ସେହି ସମୟକୁ ଯିବା? ଏବେ ବି କ’ଣ ପୁଷ୍ଟିହୀନତା ସମାଜରେ ଦେଖାଦେଉଥିବ? ବିଚାରରେ କ’ଣ ଏମିତି ଅବିଚାର ସମାଜରେ ଲାଗି ରହିଥିବ? ସବୁ ମଣିଷ ମଧ୍ୟରେ କାହିଁକି ଜାଗ୍ରତ ହେଉନାହିଁ ଗୋଦାବରୀଶ ମହାପାତ୍ରଙ୍କ ସେହି ଉକ୍ତି- ଉଠ କଙ୍କାଳ, ଜାଗ ଦୁର୍ବଳ, ଛିଡ଼ୁ ଶୃଙ୍ଖଳ।
ମହାତ୍ମା ଗାନ୍ଧୀଙ୍କ ବାଣୀ, ନିଜକୁ ଜଣେ ସର୍ବଦା ପଚାରିବା ଉଚିତ, ମୁଁ ଯେଉଁ କାର୍ଯ୍ୟ କରୁଛି ସେଥିରେ ସମାଜର ଶେଷ ଧାଡି଼ିରେ ଥିବା ମଣିଷର କେତେ ଉନ୍ନତି ହେଉଛି? ଆମେ ବି ନିଜେ କେତେ ସକ୍ଷମ ହୋଇଛେ ସତେ, ନିଜକୁ ପଚାରିବା ପାଇଁ? ସମାଜ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ କେତେ ସକ୍ଷମ ହୋଇଛି, ତାହା ବିଚାରର ବିଷୟ। ଶେଷ ଧାଡ଼ିରେ ଥିବା ମଣିଷଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବାକୁ ହେବ। ମନେରଖିବା ଉଚିତ, ସମାଜର ଶେଷ ଧାଡ଼ିରେ ଥିବା ମଣିଷଙ୍କ ସଂଖ୍ୟା ଅନେକ ବେଶି। ଗୋଟିଏ ଘଟଣା ଘଟିଲେ, ତାହା ଆମ ବିଧି ବ୍ୟବସ୍ଥା ଆଡ଼କୁ କେତେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି, ତାହାକୁ ବିଚାର କରିପାରିଲେ ଆଉ ତ୍ରୁଟି ସଂଶୋଧନ କରିପାରିଲେ ସମାଜ ନିଶ୍ଚୟ ଆଗକୁ ଯିବ।
ଗଣେଶ୍ୱର ନାୟକ
ଗୋଗଳ, କାଏମା, ଯାଜପୁର
ମୋ:୯୭୭୭୭୪୯୭୨୭