ପରଲୋକରେ ସ୍ବର ସମ୍ରାଜ୍ଞୀ

ମୁମ୍ବାଇ, ୭ ।୨: ଭାରତୀୟ ସଙ୍ଗୀତ ଦୁନିଆରେ ଘଟିଛି ଏକ ଯୁଗର ଅବସାନ। ୨୮ ଦିନ ଧରି କରୋନା ସହ ଲଢ଼େଇ ପରେ ସଙ୍ଗୀତର ସରସ୍ବତୀ ଲତା ମଙ୍ଗେସକର ରବିବାର ସକାଳ ପ୍ରାୟ ୮ଟା ୧୫ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୨ ବର୍ଷ ହୋଇଥିଲା। ଗତ ୮ ତାରିଖରୁ କୋଭିଡ୍‌ରେ ସଂକ୍ରମିତ ହୋଇ ସେ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ପରଲୋକରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶ ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ଲତା ମଙ୍ଗେସକରଙ୍କ ବିୟୋଗରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ରବିବାର ଏବଂ ସୋମବାର ଜାତୀୟ ପତାକା ଅର୍ଦ୍ଧନମିତ କରାଯିବା ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସନ୍ଧ୍ୟାରେ ମୁମ୍ବାଇର ଶିବାଜୀ ପାର୍କରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଭାଇ ହୃଦୟନାଥ ମଙ୍ଗେସକର ମୁଖାଗ୍ନି ଦେବା ପରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଏହି ମହାନ୍‌ ସଙ୍ଗୀତ ସାଧିକା।
ପ୍ରାୟ ମାସେ ତଳେ କରୋନା ସହ ନିମୋନିଆର ଶିକାର ହେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ହୋଇପଡ଼ିଥିଲା। ତାଙ୍କୁ ଆଇସିୟୁର ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ସେ କରୋନା ଓ ନିମୋନିଆରୁ ମୁକ୍ତ ହୋଇଥିବା ଏବଂ ତାଙ୍କଠାରୁ ଭେଣ୍ଟିଲେଟର ସପୋର୍ଟ ହଟାଯାଇଥିବା ମଧ୍ୟ କୁହାଯାଇଥିଲା। ହେଲେ ଶନିବାର ପୁଣି ସେ ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କୁ ସୁସ୍ଥ କରିବାକୁ ସବୁପ୍ରକାର ଚେଷ୍ଟା କରିଥିଲେ। ହେଲେ ଏହି ପ୍ରୟାସ ଆଉ ସଫଳ ହୋଇପାରି ନ ଥିଲା। ଶେଷରେ ସ୍ବର ସମ୍ରାଜ୍ଞୀଙ୍କୁ ଭାରତ ସବୁଦିନ ପାଇଁ ହରାଇଥିବା ଡାକ୍ତରଖାନା ପକ୍ଷରୁ ଘୋଷଣା କରାଯାଇଛି। ଶୋକବାର୍ତ୍ତାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ‘ଲତାଜୀଙ୍କ ଦେହାନ୍ତ ମୋ ପାଇଁ ଏବଂ ବିଶ୍ୱର କୋଟି କୋଟି ପ୍ରଶଂସକଙ୍କ ପାଇଁ ହୃଦୟ ବିଦାରକ। ତାଙ୍କ ହଜାର ହଜାର ଗୀତରେ ଭାରତର ମୌଳିକତା ଓ ସୌନ୍ଦର୍ଯ୍ୟ ଭରିରହିଛି। ପିଢି ପରେ ପିଢ଼ି ତାଙ୍କ ସଙ୍ଗୀତ ମାଧ୍ୟମରେ ନିଜର ଭାବନାକୁ ଭେଟିଛନ୍ତି। ଭାରତ ରତ୍ନ ଲତାଜୀଙ୍କ ଉପଲବ୍ଧି ସର୍ବଦା ଅତୁଳନୀୟ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟରେ କହିଛନ୍ତି, ‘ଲତା ମଙ୍ଗେସକରଙ୍କ ବିୟୋଗଜନିତ ଦୁଃଖ ଶବ୍ଦରେ ଅବର୍ଣ୍ଣନୀୟ। ଦୟାଳୁ ଓ ସ୍ନେହୀ ଲତା ଦିଦି ଆମକୁ ଛାଡ଼ି ଚାଲିଯାଇଛନ୍ତି। ଏହା ଦେଶ ପାଇଁ ଅପୂରଣୀୟ କ୍ଷତି। ଆସନ୍ତା ପିଢ଼ି ତାଙ୍କୁ ଭାରତୀୟ ସଂସ୍କୃତିର ଏକ ପ୍ରତୀକ ଭାବେ ମନେ ରଖିବ। ତାଙ୍କ ସ୍ବର ଲୋକଙ୍କୁ ଆନନ୍ଦିତ ଓ ରୋମାଞ୍ଚକର ଅନୁଭୂତି ଦେବାରେ ବେଶ୍‌ ଦକ୍ଷ ଥିଲା’। ଲତା ମଙ୍ଗେସକରଙ୍କ ପରିବାର ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଲିଉଡର ବହୁ କଳାକାର ଓ ଅନ୍ୟ ପ୍ରମୁଖ ସେଲିବ୍ରିଟିମାନେ ଶିବାଜୀ ପାର୍କରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନ୍‌ସିପି ଅଧ୍ୟକ୍ଷ ଶରତ ପାଓ୍ବାର, କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ, ଦେବେନ୍ଦ୍ର ଫଡନବିସ୍‌, ପ୍ରମୋଦ ସାଓ୍ବନ୍ତଙ୍କ ସମେତ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌, ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ଅଭିନେତା ରଣବୀର କପୁର, ଆମୀର ଖାନ୍‌, ଆଶୁତୋଷ ଗୋଓ୍ବାଲିକର, ଜାଭେଦ ଅଖତର, ରାହୁଲ ବୈଦ୍ୟ, ବିଦ୍ୟା ବଲାନ, ଶ୍ରଦ୍ଧା କପୁର ପ୍ରମୁଖ ତାଙ୍କ ଶେଷକୃତ୍ୟବେଳେ ଉପସ୍ଥିତ ଥିଲେ। କୋଭିଡ୍‌ କଟକଣା ସତ୍ତ୍ୱେ ହଜାରେରୁ ଊର୍ଦ୍ଧ୍ୱ ଲୋକ ଶିବାଜୀ ପାର୍କରେ ଭାରତର କୋକିଳାଙ୍କ ଶେଷ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ।
ଲତା ଓରଫ୍‌ ହେମା ମଙ୍ଗେସ୍‌କର ୧୯୨୯ ସେପ୍ଟେମ୍ବର ୨୮ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ସେ ହଜାରେରୁ ଅଧିକ ହିନ୍ଦୀ ଫିଲ୍ମ ଏବଂ ୩୬ଟି ବିଭିନ୍ନ ଭାରତୀୟ ଭାଷାରେ ସେ ୨୫,୦୦୦ରୁ ଊର୍ଦ୍ଧ୍ୱ ଗୀତ ଗାଇଛନ୍ତି। ୧୯୮୯ରେ ସେ ଭାରତ ସରକାରଙ୍କଠାରୁ ଦାଦାସାହେବ ଫାଲ୍‌କେ ପୁରସ୍କାର ଗ୍ରହଣ କରିଥିଲେ। କଳାକ୍ଷେତ୍ରରେ ତାଙ୍କ ବିଶେଷ ଅବଦାନ ଲାଗି ୨୦୦୧ରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ଏମ. ଏସ୍‌. ସୁବୁଲକ୍ଷ୍ମୀଙ୍କ ପରେ ଏହି ସମ୍ମାନ ପାଇବାରେ ଲତା ମଙ୍ଗେସ୍‌କର ଦ୍ୱିତୀୟ କଣ୍ଠଶିଳ୍ପୀ। ୨୦୦୭ରେ ଫ୍ରାନ୍ସ ସରକାର ମଧ୍ୟ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଦ ଅଫିସର ଅଫ୍‌ ଦ ଲିଜିଓନ ଅଫ୍‌ ଅନର’ ପ୍ରଦାନ କରିଥିଲେ। ଏଥିସହ ସେ ୩ ଜାତୀୟ ଫିଲ୍ମ ପୁରସ୍କାର, ୧୫ ବେଙ୍ଗଲ୍‌ ଫିଲ୍ମ ଜର୍ନାଲିଷ୍ଟ୍‌ସ ଆସୋସିଏଶନ ଆଓ୍ବାର୍ଡ, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ବର୍ଗରେ ୪ ଫିଲ୍ମଫେୟାର, ୨ ସ୍ବତନ୍ତ୍ର ଫିଲ୍ମ ଫେୟାର, ଫିଲ୍ମ ଫେୟାର ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ ଆଦି ହାସଲ କରିଛନ୍ତି। ୧୯୭୪ରେ ଲଣ୍ଡନର ରୟାଲ ଆଲବର୍ଟ ହଲ୍‌ରେ କୌଣସି ଭାରତୀୟ ଭାବେ କଳା ପ୍ରଦର୍ଶନ କରିବାରେ ସେ ପ୍ରଥମ ବ୍ୟକ୍ତି ହୋଇଥିଲେ। ତାଙ୍କ ୪ ଭଉଣୀ ଭାଇ ଅଛନ୍ତି। ସେମାନେ ହେଲେ ମୀନା ଖଦିକର, ଆଶା ଭୋସଲେ, ଉଷା ମଙ୍ଗେସ୍‌କର ଏବଂ ହୃଦୟନାଥ ମଙ୍ଗେସ୍‌କର।

ଗୀତ ଶୁଣି କାନ୍ଦିଥିଲେ ନେହେରୁ

୧୯୬୩ ଜାନୁୟାରୀ ୨୬। କବି ପ୍ରଦୀପଙ୍କ ଦ୍ୱାରା ଲିଖିତ ‘ଏ ମେରେ ବତନ କେ ଲୋଗେଁା’ ଗୀତକୁ ଗାଇଥିଲେ ଲତା ମଙ୍ଗେସକର। ୧୯୬୨ ଭାରତ-ଚାଇନା ଯୁଦ୍ଧରେ ପ୍ରାଣବଳି ଦେଇଥିବା ଭାରତୀୟ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ନିମେନ୍ତ ଲତା ଗାଇଥିବା ଏହି ଗୀତ ସେତେବେଳେ ପ୍ରଧାନମନ୍ତ୍ରୀ ଥିବା ଜବାହରଲାଲ ନେହେରୁଙ୍କ ଆଖିରେ ଲୁହ ଆଣିଦେଇଥିଲା। ସେହି ସମୟରେ ସେ ନେହେରୁଙ୍କୁ ସାକ୍ଷାତ କରିଥିଲେ। ନେହେରୁ କହିଥିଲେ, ‘ଏ ଝିଅର ଗୀତ ମୋ ଆଖିରେ ଲୁହ ଆଣିଦେଲା’। ପରେ ନେହେରୁ ଲତା ମଙ୍ଗେସକରଙ୍କୁ ଭାବବିହ୍ବଳ ହୋଇ ଆଲିଙ୍ଗନ କରିନେଇଥିଲେ। ୧୯୬୪ରେ ନେହେରୁ ମୁମ୍ବାଇ ଆସିଥିବାବେଳେ ବାର୍ବୋନ୍‌ ଷ୍ଟାଡିୟମରେ ଲତା ମଙ୍ଗେସକର ତାଙ୍କ ପାଇଁ ‘ଆର୍‌ଜୁ’ ଫିଲ୍ମର ଗୀତ ‘ଆଜ୍‌ ରୁଠ୍‌ କର କହାଁ ଯାଏଗେଁ’ ଗାଇଥିଲେ। ସେତେବେଳେ ନେହେରୁ ଏକ କାଗଜରେ ‘ଏ ମେରେ ବତନ୍‌ କେ ଲୋଗେଁ।’ ପୁଣି ଗାଇବାକୁ ଲେଖି ଅନୁରୋଧ କରିଥିଲେ। ଲତା ମଙ୍ଗେସକର ତାଙ୍କ ଅନୁରୋଧ ରଖିଥିଲେ।

ଫିଲ୍ମ ନିର୍ମାତା ଲତାଙ୍କ ଗୋଡ଼ ଧରିବେ କହିଥିଲେ ହାଇଦର

୧୯୪୮ରେ ଲତାଙ୍କ ବାପାଙ୍କ ବନ୍ଧୁ ବିନାୟକ ଦାମୋଦର କର୍ନାଟକିଙ୍କ ମୃତ୍ୟୁ ପରେ ସଙ୍ଗୀତ ନିର୍ଦ୍ଦେଶକ ଗୁଲାମ ହାଇଦର ତାଙ୍କ ମେଣ୍ଟର ହୋଇଥିଲେ। ଗୁଲାମ ତାଙ୍କୁ ପ୍ରଯୋଜକ ଶଶାଧର ମୁଖାର୍ଜୀଙ୍କ ସହ ପରିଚିତ କରାଇଥିଲେ। ହେଲେ ଲତାଙ୍କ ସ୍ବର ବହୁ ପତଳା ହୋଇଥିବା କହି ମୁଖାର୍ଜୀ ତାଙ୍କୁ ମନା କରିଦେଇଥିଲେ। ଗୁଲାମ ରାଗରେ କହିଥିଲେ, ଦିନ ଆସିବ ସବୁ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ସେମାନଙ୍କ ଫିଲ୍ମରେ ସ୍ବର ଦେବା ନିମନ୍ତେ ଲତାଙ୍କ ଗୋଡ଼ ଧରି ଭିକ୍ଷା ମାଗିବେ। ପରେ ହାଇଦର ତାଙ୍କୁ ନାଜିମ୍‌ ପାନିପତିଙ୍କ ଦ୍ୱାରା ଲିଖିତ ତଥା ‘ମଜବୁର’ (୧୯୪୮) ଫିଲ୍ମର ଦିଲ୍‌ ମେରା ତୋଡା, ମୁଝେ କହିଁକା ନା ଛୋଡା’ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ। ଏହା ଲତାଙ୍କୁ ବଡ଼ ସଫଳତା ଦେଇଥିଲା।

କବି ପ୍ରଦୀପଙ୍କ ଜନ୍ମଦିନରେ ଲତାଙ୍କ ପରଲୋକ

ଲତା ମଙ୍ଗେସକର ଗାଇଥିବା ଦେଶାତ୍ମବୋଧ ଗୀତ ‘ୟେ ମେରେ ଓ୍ବତନ କେ ଲୋଗୋଁ’ ସବୁଦିନ ଅମର ହୋଇ ରହିବ। ଏହି ଗୀତ ଶୁଣିଲେ ପ୍ରତ୍ୟେକ ଦେଶପ୍ରେମୀଙ୍କ ଆଖିରେ ଲୁହ ଆସିଯାଇଥାଏ। ଉକ୍ତ ଗୀତର ରଚୟିତା ଥିଲେ କବି ପ୍ରଦୀପ ଓ ଏହାକୁ ସଙ୍ଗୀତରେ ସଜାଇଥିଲେ ସି. ରାମଚନ୍ଦ୍ରନ୍‌। ତେବେ ଈଶ୍ୱରଙ୍କ ବିଚିତ୍ର ଲୀଳା ତଥା ବିଚିତ୍ର ସଂଯୋଗ ଯେ କବି ପ୍ରଦୀପଙ୍କ ଜନବାର୍ଷିକୀ ଫେବୃୟାରୀ ୬ରେ ଲତା ମଙ୍ଗେସକର ଇହଧାମ ତ୍ୟାଗ କରିଛନ୍ତି।

ସ୍ବାଧୀନତାର ୫୦ ବର୍ଷ ପୂର୍ତ୍ତିରେ ପାର୍ଲାମେଣ୍ଟ ସେଣ୍ଟ୍ରାଲ ହଲ୍‌ରେ ଗାଇଥିଲେ

ଭାରତ ସ୍ବାଧୀନତାର ୫୦ ବର୍ଷ ପୂର୍ତ୍ତି ଅବସରରେ ୧୯୯୭ ଅଗଷ୍ଟ ୧୪-୧୫ ରାତି ୧୨ଟାରେ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ‘ସାରେ ଜହାଁ ସେ ଅଚ୍ଛା’ ସଙ୍ଗୀତ ଗାନ କରିଥିଲେ। ତାଙ୍କ କଣ୍ଠରୁ ଏହି ଦେଶାତ୍ମବୋଧ ଗୀତର ମଧୁର ମୂର୍ଚ୍ଛନା ସେଣ୍ଟ୍ରାଲ ହଲ୍‌ରେ ଗୁଞ୍ଜରିତ ହୋଇଥିଲା। ସେଠାରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ଏହି ଗୀତ ଗାଇବାରୁ ନିଜକୁ ରୋକି ପାରି ନ ଥିଲେ ଏବଂ ଲତାଙ୍କ ସହ ସ୍ବର ମିଳାଇ ଗୁଣୁଗୁଣାଇଥିଲେ।

ୟେ ମେରେ ଓ୍ବତନ କି ଲୋଗେଁ।

ଥରେ ମନେ ପକାନ୍ତୁ ନା ଲତା ମଙ୍ଗେସକର ଗାଇଥିବା ସେହି ଦେଶାତ୍ମବୋଧକ ଗୀତ ‘ୟେ ମେରେ ଓ୍ବତନ କି ଲୋଗେଁ।’କୁ। ଗୀତଟି ଶୁଣିଲେ ସ୍ବତଃ ମନ ଭାବବିହ୍ବଳ ହୋଇଯାଇଥାଏ। ଏକଦା ଏହି ଗୀତ ଶୁଣି ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏପରି ପ୍ରଭାବିତ ହୋଇଯାଇଥିଲେ ଯେ ଲତାଙ୍କ କଣ୍ଠରୁ ଗୀତ ଶୁଣୁଥିବା ବେଳେ ତାଙ୍କ ଆଖିରେ ଲୁହ ଚାଲିଆସିଥିଲା। ପ୍ରଦୀପଙ୍କ ରଚିତ ଏହି ଗୀତକୁ ସ୍ବର ସଂଯୋଜନା କରିଥିଲେ ସି. ରାମଚନ୍ଦ୍ର। ୧୯୬୨ରେ ଭାରତ-ଚାଇନା ଯୁଦ୍ଧରେ ଶହୀଦ ହୋଇଥିବା ଭାରତୀୟ ସୈନିକଙ୍କ ଉଦ୍ଦେଶ୍ୟରେ ଏହି ଗୀତଟିକୁ ରଚନା କରାଯାଇଥିଲା, ଯାହାର ଲୋକପ୍ର୍ରିୟତା ଏବେ ମଧ୍ୟ ରହିଛି।

ଲତାଙ୍କ ଚର୍ଚ୍ଚିତ ସିନେ ଗୀତ

ଗୀତ ଚଳଚ୍ଚିତ୍ର

ଲଗ୍‌ ଜା ଗଲେ ‘ଓ୍ବ କୌନ୍‌ ଥି’
ଦିନି ତେରା ଦଓ୍ବେର ଦିଓ୍ବାନା ‘ହମ୍‌ ଆପକେ ହୈ କୌନ୍‌’
ଏକ ପ୍ୟାର୍‌ କା ନଗମା ହୈ ‘ସୂର’
କବୁତର ଜା ଜା ‘ମୈନେ ପ୍ୟାର କିୟା’
ତୁଝେ ଦେଖା ତୋ ଏ ଜାନା ସନମ୍‌ ‘ଦିଲଓ୍ବାଲେ ଦୁଲହନିୟଁ।
ଲେ ଜାୟେଙ୍ଗେ’
ପ୍ୟାର୍‌ ହୁଆ ଏକରାର୍‌ ହୁଆ ‘ଶ୍ରୀ ୪୨୦’
ମେଁ ଚଲି ମେଁ ଚଲିି ‘ପ୍ରଫେସର’
ୟେ କାହଁ। ଆଗୟେ ହମ୍‌ ‘ସିଲ୍‌ସିଲା’
କଭି ଖୁସି କଭି ଗମ୍‌ ‘କଭି ଖୁସି କଭି ଗମ୍‌’
ଡଫଲିଓ୍ବାଲେ ଡଫଲି ବଜା ‘ସରଗମ’
ପ୍ୟାର୍‌ କିୟା ତୋ ଡର୍‌ନା କ୍ୟା ‘ମୁଗଲ ଇ ଆଜମ’
ଜୋ ଓ୍ବାଦା କିୟା ‘ତାଜମହଲ’
ଦୁଷ୍‌ମନ ନା କରେ ‘ଆଖରୀ କ୍ୟୁ’
ୟେ ଗଲିୟଁ। ୟେ ଚୌବାରା ‘ପ୍ରେମ ରୋଗ୍‌’
ପରଦେଶୀୟା ‘ମିଷ୍ଟର ନଟବରଲାଲ୍‌’
ୟେ ସମା ସମା ହୈ ପ୍ୟାର୍‌ କା ‘ଜବ୍‌ ଜବ୍‌ ଫୁଲ୍‌ ଖିଲେଁ’
କାଞ୍ଚତ୍ରେ କାଞ୍ଚତ୍ରେ ‘ହରେ ରାମା ହରେ କ୍ରିଷ୍ଣା’
କୋରା କାଗଜ ଥା ଏ ମନ ମେରା ‘ଆରାଧନା’
ଦିଲ୍‌ ତୋ ପାଗଲ୍‌ ହୈ ‘ଦିଲ୍‌ ତୋ ପାଗଲ୍‌ ହୈ’
ହମ୍‌ କୋ ହମି ସେ ଚୁରାଲୋ ‘ମୋହବତେଁ’
ଗାତା ରହେ ମେରା ଦିଲ୍‌ ‘ଗାଇଡ୍‌’
ବାହେଁ। ମେଁ ଚଲେ ଆଓ ‘ଅନାମିକା’
ତୁ ଜାହଁ। ଜାହଁ। ଚଲେଗା ‘ମେରା ସାୟା’
ରିମ୍‌ଝିମ୍‌ ଗିରେ ସାଓ୍ବନ ‘ମଞ୍ଜିଲ୍‌’
ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌ ‘ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌’
ଜିୟା ଜଲେ ଜିୟା ଜଲେ ‘ଦିଲ୍‌ ସେ’
ମେଁ ତେରି ଦୁଷ୍‌ମନ ‘ନାଗିନା’

ଲତାଙ୍କୁ ସ୍ଲୋ ପଏଜନ ଦିଆଯାଇଥିଲା

ଲତା ମଙ୍ଗେସର ଏକ ସାକ୍ଷାତକାରରେ କହିଥିଲେ, ୧୯୬୨ରେ ସେ ପ୍ରାୟ ମାସେ ଧରି ଅସୁସ୍ଥ ଥିଲେ। ଡାକ୍ତର ଚିକିତ୍ସା କରିବା ପରେ ତାଙ୍କୁ ସ୍ଲୋ ପଏଜନ ଦିଆଯାଇଥିବା କହିଥିଲେ। ସେତେବେଳେ ତାଙ୍କ ଘରେ ଜଣେ ଚାକର କାମ କରୁଥିଲେ। ଏହି କଥା ସାମ୍‌ନାକୁ ଆସିବା ପରେ ଚାକର ଜଣକ କାହାକୁ କିଛି ନ କହି ଘରୁ ପଳାଇଥିଲେ। କେହି ଜାଣିଶୁଣି ସେହି ବ୍ୟକ୍ତିଙ୍କୁ ଲତାଙ୍କ ଘରେ କାମ କରିବା ପାଇଁ ପଠାଇଥିଲା ବୋଲି ଲତା ସନ୍ଦେହ କରିଥିଲେ। ସେ ପ୍ରାୟ ୩ ମାସ ପର୍ଯ୍ୟନ୍ତ ଚିକିତ୍ସିତ ହୋଇଥିଲେ।

ହେମାରୁ ଲତା ମଙ୍ଗେସକର

ପଣ୍ଡିତ ଦୀନାନାଥ ମଙ୍ଗେସକର ଏବଂ ଶେବନ୍ତୀ ମଙ୍ଗେସ୍‌କରଙ୍କ ବଡ଼ ଝିଅ ହେଉଛନ୍ତି ଲତା ମଙ୍ଗେସ୍‌କର। ଦୀନାନାଥ ଜଣେ ମରାଠୀ ଏବଂ କୋଙ୍କଣୀ ସଙ୍ଗୀତଜ୍ଞ ସମେତ ଥିଏଟର କଳାକାର ଥିଲେ। ଶେବନ୍ତୀଙ୍କ ବଡ଼ ଭଉଣୀ ନର୍ମଦାଙ୍କୁ ଦୀନନାଥ ବିବାହ କରିଥିଲେ। ନର୍ମଦାଙ୍କ ମୃତ୍ୟୁ ପରେ ସେ ଶେବନ୍ତୀଙ୍କ ହାତ ଧରିଥିଲେ। ଦୀନାନାଥ ତାଙ୍କ ପରିବାରକୁ ଗୋଆର ମଙ୍ଗେସି ସହରର ବାସିନ୍ଦା ପରିଚୟ ଦେବାକୁ ମଙ୍ଗେସକର ଟାଇଟଲଙ୍କୁ ଗ୍ରହଣ କରିଥିଲେ। ଜନ୍ମବେଳେ ଲତାଙ୍କ ନାଁ ହେମା ଥିଲା। ଭାବ ବନ୍ଧନ ନାମକ ଏକ ଡ୍ରାମାରେ ଲତିକା ଚରିତ୍ରର ନାଁ ଅନୁସାରେ ତାଙ୍କ ବାପା ହେମାଙ୍କ ନାମ ବଦଳାଇ ଲତା ରଖିଥିଲେ। ପିଲାବେଳେ ଲତା ସବୁବେଳେ ସାନ ଭଉଣୀ ଆଶାଙ୍କୁ ସାଙ୍ଗରେ ନେଇ ଯାଉଥିଲେ। ସ୍କୁଲର ପ୍ରଥମ ଦିନରେ ମଧ୍ୟ ସେ ଆଶାଙ୍କୁ ନେଇଥିଲେ। ହେଲେ ସେଠାରେ ତାଙ୍କ ଭଉଣୀଙ୍କୁ ଆଣିବାକୁ ମନା କରାଯିବାରୁ ପ୍ରଥମ ଦିନ ପରେ ଲତା ଆଉ ସ୍କୁଲକୁ ଯାଇ ନ ଥିଲେ।

ପ୍ରଥମ ଗୀତ ଚଳଚ୍ଚିତ୍ରରୁ ବାଦ୍‌ ପଡ଼ିଥିଲା

ଲତା ମଙ୍ଗେସ୍‌କର ୧୯୪୨ରେ ମରାଠି ଚଳଚ୍ଚିତ୍ର ‘କିଟି ହସାଲ’ ପାଇଁ ପ୍ରଥମ ଗୀତ ଗାଇଥିଲେ। ‘ନାଚୁ ୟା ଗୋଦେ, ଖେଲୁ ସାରି ମନି ହାଉସ୍‌ ଭାରି’ ତାଙ୍କ କ୍ୟାରିୟରରେ ରେକର୍ଡ ହୋଇଥିବା ପ୍ରଥମ ଗୀତ। ତେବେ ସିନେମାର ଫାଇନାଲ କଟ୍‌ରେ ଉକ୍ତ ଗୀତକୁ ବାଦ୍‌ ଦିଆଯାଇଥିଲା।

ରେକର୍ଡିଂ ବେଳେ ମୂର୍ଚ୍ଛା ଯାଇଥିଲେ

ଲତା ମଙ୍ଗେସକର ମ୍ୟୁଜିକ୍‌ କମ୍ପୋଜର ନୌଶାଦଙ୍କ ସହ ଏକଦା ଗୀତ ରେକର୍ଡିଂ କରୁଥିବା ବେଳେ ମୂର୍ଚ୍ଛା ଯାଇଥିଲେ। ମୁମ୍ବାଇରେ ଏକ ଉତ୍ତପ୍ତ ଗ୍ରୀଷ୍ମ ଅପରାହ୍ନରେ ଗୀତ ରେକର୍ଡିଂ ଚାଲିଥିଲା। ସେତେବେଳେ ବାତାନୁକୂଳିତ ଷ୍ଟୁଡ଼ିଓ ନ ଥିଲା। ଚୂଡ଼ାନ୍ତ ରେକର୍ଡିଂ ବେଳେ ଫ୍ୟାନ୍‌ ମଧ୍ୟ ବନ୍ଦ କରିଦିଆଯାଉଥିଲା। ଫଳରେ ସେ ବେହୋସ୍‌ ହୋଇଯାଇଥିଲେ।

ରିମିକ୍ସ ସଂସ୍କୃତିର ବିରୋଧୀ ଥିଲେ

ସଙ୍ଗୀତରେ ରିମିକ୍ସ ସଂସ୍କୃତିକୁ ଲତା ମଙ୍ଗେସକର ସବୁବେଳେ ବିରୋଧ କରୁଥିଲେ। ୨୦୧୮ ଜୁନ୍‌ରେ ସେ ଏହା ଉପରେ ନିଜର ଅସନ୍ତୋଷ ଲେଖିଥିଲେ। ଶାସ୍ତ୍ରୀୟ ସଙ୍ଗୀତଗୁଡ଼ିକର ନୂଆ ରୂପକୁ ଅନୁମୋଦନ କରିବା ପୂର୍ବରୁ ରେକର୍ଡିଂ କମ୍ପାନୀଗୁଡ଼ିକ ଥରେ ଚିନ୍ତା କରିବାକୁ ସେ ଅନୁରୋଧ କରିଥିଲେ। ନୀତିଗତ ଦୃଷ୍ଟିରୁ ଏହା ଭୁଲ୍‌ ନୁହେଁ। ଯେ ପର୍ଯ୍ୟନ୍ତ ଗୋଟିଏ ଗୀତର ନିଷ୍କର୍ଷ ରହିଛି, ଏହାକୁ ନୂଆ ଢଙ୍ଗରେ ପରିବେଷଣ କରିବା ଠିକ୍‌। କିନ୍ତୁ ଗୋଟିଏ ଗୀତକୁ ଏହାର ମୂଳ ଧାରାରୁ ବିଚ୍ୟୁତ କରିଦେବା ଭୁଲ୍‌ ବୋଲି ଲତା ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri