ଦୃଶ୍ୟମାନ (ଅ)ସଚ୍ଚୋଟତା

ଭାରତୀୟ ଗଣତନ୍ତ୍ରରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାକୁ ପ୍ରମୁଖ ୩ ସ୍ତମ୍ଭ ଭାବେ ବିବେଚନା କରାଯାଏ। ଏଥିମଧ୍ୟରୁ ନ୍ୟାୟପାଳିକା ସର୍ବାଧିକ ନିରପେକ୍ଷତା ଅବଲମ୍ବନ କରିବା କଥା। ବିଗତ କିଛି ବର୍ଷ ହେବ ନ୍ୟାୟପାଳିକାରେ ସେଟିଂ ବା ସଲାସୁତୁରାର ବହୁଳ ବ୍ୟବହାର ହେଉଥିବାରୁ ସାମାଜିକ ବ୍ୟବସ୍ଥା ଦୁର୍ବଳ ହୋଇପଡ଼ୁଛି। ଏ ବିଷୟ ସମସ୍ତେ ଉପଲବ୍ଧି କରୁଥିଲେ ମଧ୍ୟ ପ୍ରତିକାର ବାହାରିପାରୁ ନାହିଁ। ଉତ୍ତରପ୍ରଦେଶ ଲୋକାୟୁକ୍ତରେ ନୂଆ କରି ଉପ ଲୋକାୟୁକ୍ତ ଭାବେ ଜଷ୍ଟିସ ସୁରେନ୍ଦ୍ର କୁମାର ଯାଦବ ଶପଥ ନେଇଥିବା ଘଟଣା ହେଉଛି ସଦ୍ୟ ଆଲୋଚ୍ୟ ବିଷୟ। ଲକ୍ଷ୍ନୌ ସ୍ବତନ୍ତ୍ର ସିବିଆଇ କୋର୍ଟ ବିଚାରପତି ଭାବେ ସୁରେନ୍ଦ୍ର ୩୦ ସେପ୍ଟେମ୍ବର ୨୦୨୦ରେ ବାବ୍ରୀ ମସ୍‌ଜିଦ ମାମଲାରେ ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଜୋଷୀ, ଉମା ଭାରତୀ, କଲ୍ୟାଣ ସିଂଙ୍କ ସମେତ ୩୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ। ବାବ୍ରୀ ମସ୍‌ଜିଦ ଭାଙ୍ଗିବାର କୌଣସି ପୂର୍ବ ଯୋଜନା ନ ଥିଲା। ଏମାନେ ଲୋକମାନଙ୍କୁ ମସ୍‌ଜିଦ ଭାଙ୍ଗିବା ଲାଗି ଉସୁକାଇ ନ ଥିଲେ ବରଂ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ ବୋଲି ସୁରେନ୍ଦ୍ର ତାଙ୍କ ରାୟରେ ଉଲ୍ଲେଖ କରିଥିଲେ। ଏପରି ରାୟ ସେତେବେଳେ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା। ଆଜି ଯେତେବେଳେ ତାଙ୍କୁ ଏକ ରାଜ୍ୟର ଉପ-ଲୋକାୟୁକ୍ତ ଭଳି ବୈଧାନିକ ପଦବୀରେ ଅବସ୍ଥାପିତ କରାଯାଇଛି, ସେଥିରୁ ଯେକେହି ଅନୁମାନ କରିବା ସ୍ବାଭାବିକ ଯେ ରାୟ ପଛରେ ତାଙ୍କ ଉଚ୍ଚ ପଦ ଲାଳସା ଥିଲା। ଅବଶ୍ୟ ନ୍ୟାୟପାଳିକାରେ ଏଭଳି କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ବା ଦ୍ୱନ୍ଦ୍ୱନିହିତ ସ୍ବାର୍ଥରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ନିଜ ନାମ ପଞ୍ଜୀକରଣ କରି ସାରିଛନ୍ତି। ଦେଶର ସର୍ବୋଚ୍ଚ ନ୍ୟାୟାଧୀଶ ଭାବେ କାର୍ଯ୍ୟ ତୁଲାଇବା ପରେ ସେ ରାଜ୍ୟ ସଭା ସଦସ୍ୟ ହୋଇଛନ୍ତି। ଅର୍ଥାତ୍‌ ତାଙ୍କ ରାୟଗୁଡ଼ିକ କେତେ ନିରପେକ୍ଷ ହୋଇଥିବ ତାହା ଯେକେହି ବୁଝିପାରୁ ଥିବେ। ସେହିଭଳି ଆଦର୍ଶ କୁମାର ଗୋଏଲ ୨୦୧୮ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ଅବସର ନେବା ପରେ ତୁରନ୍ତ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ( ଏନ୍‌ଜିଟି)ର ଅଧ୍ୟକ୍ଷ ଭାବେ ପୁରସ୍କୃତ ହୋଇଥିଲେ। ମନେପକାଇ ଦିଆଯାଇପାରେ ଯେ, ଗୋଏଲଙ୍କର ଶେଷ ରାୟରେ ତଫସିଲଭୁକ୍ତ ଜାତି ଓ ଜନଜାତି ନିର୍ଯାତନା ନିରୋଧୀ ଆଇନ ବିରୋଧରେ ମତ ପ୍ରକାଶ ପାଇଥିଲା। ତାହା ଭାଜପାର ଏଜେଣ୍ଡା ବୋଲି ସେତେବେଳେ କୁହାଯାଇଥିଲା।
ଅର୍ଥ, କ୍ଷମତା ଓ ପ୍ରତିପତ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଆସୀନ ବ୍ୟକ୍ତି ଯେତେବେଳେ ନିରପେକ୍ଷତା ହରାଇ ବସନ୍ତି ସେତେବେଳେ ସେହି ସବୁ ଅନୁଷ୍ଠାନର ମୃତ୍ୟୁଘଣ୍ଟି ବାଜେ। ନୂଆ ପିଢ଼ିଙ୍କ ପାଇଁ ଆଦର୍ଶ ହେବା ପରିବର୍ତ୍ତେ ବ୍ୟକ୍ତିଗତ ସ୍ବାର୍ଥକୁ ପୂର୍ବରୁ ଆଦର୍ଶ ଓ ଗୋଗୋଇ ଏବଂ ଏବେ ସୁରେନ୍ଦ୍ରଙ୍କ ଭଳି ବ୍ୟକ୍ତିମାନେ ସର୍ବୋଚ୍ଚରେ ରଖୁଥିବାରୁ ସେହି ତାଲିକାରେ ଆହୁରି ଅନେକେ ସାମିଲ ହେବାକୁ ଇଚ୍ଛା କଲେଣି। ଲୋକାୟୁକ୍ତ କଥା ଦେଖିଲେ ସେଥିରେ ରାଜନୈତିକ ପୃଷ୍ଠଭୂମି ନ ଥିବା ବ୍ୟକ୍ତିଙ୍କୁ ନିଯୁକ୍ତ କରାଯିବାର ବ୍ୟବସ୍ଥା ରହିଛି ବୋଲି କୁହାଯାଉଛି। କିନ୍ତୁ ଭିତରକୁ ଦେଖିଲେ ରାଜନୈତିକ ବ୍ୟକ୍ତିଙ୍କ ଇଙ୍ଗିତରେ ସବୁ କିଛି ଚାଲିଛି। ଏହି ବୈଧାନିକ ସଂସ୍ଥା ଦୁର୍ନୀତି, ସରକାରୀ କଳର କୁପରିଚାଳନା, ସରକାରୀ ଅଧିକାରୀ ଏବଂ ମନ୍ତ୍ରୀମାନଙ୍କ କ୍ଷମତାର ଦୁରୁପଯୋଗ ଆଦି ଅଭିଯୋଗର ତଦନ୍ତ କରିଥାଏ। ଏବେ ସୁରେନ୍ଦ୍ରଙ୍କ ଭଳି ବ୍ୟକ୍ତିଙ୍କୁ ଉତ୍ତରପ୍ରଦେଶ ଲୋକାୟୁକ୍ତରେ ଉପ-ଲୋକାୟୁକ୍ତ ଭାବେ ଅବସ୍ଥାପିତ କରାଯିବା ଦ୍ୱାରା କେତେଦୂର ଏହି ଲକ୍ଷ୍ୟ ପୂରଣ ହୋଇପାରିବ ତାହା ଅନୁମାନ କରିବା କଷ୍ଟକର ନୁହେଁ। ସୁରେନ୍ଦ୍ର ଦର୍ଶାଇଥିବା ଚରିତ୍ର ତାଙ୍କୁ ନୈତିକ କାର୍ଯ୍ୟ କରିବାକୁ ଦେବ ନାହିଁ ବୋଲି ସ୍ପଷ୍ଟ ଜଣାପଡ଼ୁଛି। ଇଂଲିଶରେ ଢଗ ଅଛି, ଯାହାର ଅର୍ଥ-ଉଚ୍ଚପାହ୍ୟା ଲୋକ କେବଳ ସଚ୍ଚୋଟ ହେବା ଯଥେଷ୍ଟ ନୁହେଁ, ଲୋକଚକ୍ଷୁରେ ସେମାନଙ୍କର ସଚ୍ଚୋଟପଣିଆ ଦୃଶ୍ୟମାନ ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri