ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ, ବରଂ ସମ୍ପୂର୍ଣ୍ଣ ଯୋଜନା ଫସରଫାଟିଯାଏ, କାର୍ଯ୍ୟସୂଚୀ ଓ କାର୍ଯ୍ୟକ୍ରମରେ ବ୍ୟତିକ୍ରମ ଦେଖାଯାଏ ଅଥବା ବିଗିଡ଼ିଯାଏ। ଆୟୋଜକଙ୍କ ସହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପ୍ରତିଭାଗୀ ଓ ସମ୍ପୂର୍ଣ୍ଣ ବ୍ୟବସ୍ଥା ଅବ୍ୟବସ୍ଥିତ ଭାବରେ ପରିଚାଳିତ ହୁଏ। ଫଳତଃ ଦିନରାତି ଏକ କରି କଠିନ ପରିଶ୍ରମ ପୂର୍ବକ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସ୍ବପ୍ନ ନୁହେଁ, ଗଠନମୂଳକ ଯୋଜନା ପ୍ରସ୍ତୁତ କରିଥିବା ଆୟୋଜକମାନେ କେବଳ ନିରାଶ ହୁଅନ୍ତି ନାହିଁ ବିଭିନ୍ନ ପଟୁ କଡ଼ା ସମାଲୋଚନାର ଶରବ୍ୟ ହୁଅନ୍ତି।
ସବୁଠାରୁ ଲଜ୍ଜାଜନକ କଥା ହେଉଛି ଢେର୍ ସମୟ ବିଳମ୍ବରେ ଆସିଥିବା ଭିଆଇପି କେବଳ ଦାନ୍ତ ନେଫିଡ଼ି ପଦୁଟିଏ କହିଦିଅନ୍ତି ବାସ୍ତବରେ ବିଳମ୍ବ ହୋଇଗଲା ସେଥିପାଇଁ ଦୁଃଖିତ। ଏହାଦ୍ୱାରା କ’ଣ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବା ଆୟୋଜକ(କର୍ତ୍ତୃପକ୍ଷ, ଛାତ୍ରୀଛାତ୍ର ବା ଯେକୌଣସି କର୍ମଚାରୀ)ଙ୍କ ସମୟ ଓ ଶ୍ରମର ମୂଲ୍ୟ ମିଳିଯିବ? ଘଣ୍ଟା ଘଣ୍ଟା ଧରି ଚାତକ ଭଳି ମନସ୍ତାପରେ ବସିଥିବା ଦର୍ଶକ ବା ଲାଭାର୍ଥୀଙ୍କ ଥକ୍କା ଦୂରହୋଇଯିବ? ସେମାନଙ୍କ ସୁବିଧା ପାଇଁ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ପୀଡ଼ିତ ବ୍ୟକ୍ତିମାନଙ୍କ ଦୁଃଖ ଲାଘବ ହୋଇଯିବ? ସଭାସମିତି ଭଳି ସାହିତି୍ୟକ ବା ବୌଦ୍ଧିକ କାର୍ଯ୍ୟକ୍ରମରେ ଭିଆଇପିଙ୍କ ଆଗମନରେ ସବୁଠାରୁ ଦୁଃଖଦ ସମସ୍ୟାର ସମ୍ମୁଖୀନ ହୁଅନ୍ତି ମୁଖ୍ୟବକ୍ତା । ନିଜର ଅଭିଭାଷଣ ପ୍ରଦାନ ପାଇଁ ପୂର୍ଣ୍ଣ ଓ ପୂର୍ବ ପ୍ରସ୍ତୁତିକରି ଦୂରଦୂରାନ୍ତରୁ ଆସିଥିବା ବକ୍ତାଙ୍କୁ ଧୀରେ କାନରେ କହିଦିଆଯାଏ କି ଆପଣଙ୍କୁ ଶୁଣିବାକୁ ଆମେ ବ୍ୟଗ୍ରତାର ସହ ଚାହିଁ ରହିଥିଲୁ, କିନ୍ତୁ ଆପଣଙ୍କ ସବୁ ସମୟ ଭିଆଇପିଙ୍କ ଆଗମନ ଓ ବହୁ ସମୟ ଧରି ବାହାପିଆ କଥାରେ ଚାଲିଗଲା। ତେଣୁ ବିନମ୍ର ନିବେଦନ ଆପଣଙ୍କ ବକ୍ତବ୍ୟ ସଂକ୍ଷେପରେ ରଖିବେ, ନଚେତ୍ ଭିଆଇପି ବିଗିଡ଼ିବେ,ପୁଣି ସେ କୁଆଡ଼େ ଅନ୍ୟ ସ୍ଥାନକୁ/କାର୍ଯ୍ୟକ୍ରମକୁ ଯିବେ। ବିଚରା ବକ୍ତାଙ୍କ ମୁଣ୍ଡ ଟୁଙ୍ଗାରିବା ଛଡ଼ା ଅନ୍ୟ ଉପାୟ ନ ଥିବ। କାରଣ ବୁଦ୍ଧିଜୀବୀଙ୍କ କଣ୍ଠରୋଧ ଆମ ସମାଜରେ କିଛି ନୂଆକଥା ନୁହେଁ। କେବଳ ସେତିକି ନୁହେଁ, ବେଳେବେଳେ ବକ୍ତା ଯଦି ଆବେଗର ବଶବର୍ତ୍ତୀ ହୋଇ ନିଜ ନିର୍ଦ୍ଧାରିତ ସମୟରୁ ମାତ୍ର କିଛି ସମୟ କହିଥିବେ କି ନାହିଁ ଭିଆଇପି ବାବୁ ତାଙ୍କୁ ବନ୍ଦ କରିବାକୁ ଆୟୋଜକମାନଙ୍କୁ ଚାପପକାନ୍ତି। ଶେଷରେ ବିଚରା ଆୟୋଜକ ବାଧ୍ୟହୋଇ ଛୋଟ ଚିରିକୁଟିଏ ଲେଖି କହନ୍ତି, ଦୟାକରି ଶୀଘ୍ର ଶେଷ କରିଦିଅନ୍ତୁ । ଇଏ ହେଉଛି ଆଜିର ସଭାସମିତି, ପ୍ରଶିକ୍ଷଣ, ଆଲୋଚନାଚକ୍ର ଇତ୍ୟାଦିର ବାସ୍ତବ ସ୍ଥିତି ।
ଏଠାରେ ଦୁଇଟି ଉଦାହରଣ ଉପସ୍ଥାପନ କରୁଛି ବକ୍ତାଙ୍କୁ ନେଇ। ଗୋଟିଏ କାର୍ଯ୍ୟକ୍ରମକୁ ସୁଦୂର କଟକରୁ ଜୟପୁର ଆସିଥାନ୍ତି ଜଣେ ବିଶିଷ୍ଟ ବାଗ୍ମୀ ଯାହାଙ୍କ ସ୍ବର୍ଗବାସ ହୋଇଗଲାଣି। ମୁଖ୍ୟ ଅତିଥି ବିଳମ୍ବରେ ଆସିବା ଖବର ପାଇ ବିଳମ୍ବରେ କାର୍ଯ୍ୟକ୍ରମ ଆରମ୍ଭହେଲା। ସ୍ବାଗତ ଭାଷଣ, ବିବରଣୀ, ସମ୍ମାନିତ ଅତିଥି ଓ ଅଧିକାରୀଙ୍କ ଲମ୍ବା ଲମ୍ବା ଭାଷଣରେ ସମୟ ଅତିକ୍ରାନ୍ତ ହେଉଥାଏ। ଜଣେ ସମ୍ମାନିତ ଅତିଥି ଭାଷଣ ଦେଲାବେଳେ ଭିଆଇପି ଆସିବା ସୂଚନା ମିଳିବା କ୍ଷଣି ମଞ୍ଚାସୀନ ସଭାଧ୍ୟକ୍ଷଙ୍କ ସହ ଆୟୋଜକ ଦୌଡ଼ିଲେ ମଞ୍ଚ ଛାଡ଼ି। ଚେଲା ଚାମୁଣ୍ଡାଙ୍କ ଜୟଧନିରେ ପ୍ରକମ୍ପିତ ହେଲା ସଭାସ୍ଥଳ। ନିଜକୁ ସମ୍ଭାଳି ନେଲେ ବକ୍ତବ୍ୟ ଦେଉଥିବା ଅତିଥି ଏବଂ ମୁଖ୍ୟ ଅତିଥି ସ୍ଥାନ ଗ୍ରହଣ କରିବା କ୍ଷଣି ନିଜ ଭାଷଣକୁ ବିରାମ ଦେଇ ନିଜ ସ୍ଥାନରେ ବସିଗଲେ। ନଗରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଦେଖି ଭିଆଇପି ନିଜର ଚିରାଚରିତ ଢଙ୍ଗରେ ଲମ୍ବା ଚଉଡ଼ା ଭାଷଣ ଦେଇ ଚାଲିଲେ। ତଥାପି ଆଗନ୍ତୁକ ଧୈର୍ଯ୍ୟର ସହ ବସିଥାନ୍ତି ମୁଖ୍ୟବକ୍ତାଙ୍କୁ ଶୁଣିବାକୁ। ଯେତେବେଳେ ତାଙ୍କର ପାଳି ପଡ଼ିଲା ପ୍ରାୟ ୧୨ ଘଣ୍ଟା ଯାତ୍ରାକରି ପରିଣତି ବୟସରେ ଭାଷଣ ଦେବା ପାଇଁ ଆସିଥିବା ମୁଖ୍ୟବକ୍ତା ମାତ୍ର ୧୨ ସେକେଣ୍ଡ ଭିତରେ କହିଲେ- ଉପସ୍ଥିତ ସମସ୍ତଙ୍କୁ ନମସ୍କାର। ମଞ୍ଚାସୀନ ଅତିଥିମାନେ ଯାହା କହିଲେ ମୁଁ କହିବାକୁ କିଛି ବାକିନାହିଁ, ମୋତେ ସୁଦୂରରୁ ଆମନ୍ତ୍ରଣ କରିଥିବାରୁ ଆୟୋଜକଙ୍କୁ କୃତଜ୍ଞତା ଜଣାଇ ମୋ ବକ୍ତବ୍ୟକୁ ବିରାମ ଦେଉଛି। ନିରାଶ ହେଲେ ଦେଖଣାହାରୀ ତଥା ଶ୍ରୋତାମଣ୍ଡଳୀ। ହେଲେ କରିବେ କ’ଣ? ସେମିତି ଆଉ ଏକ ବଡ଼ କାର୍ଯ୍ୟକ୍ରମକୁ ସୁଦୂର ରାଉରକେଲାରୁ ଆସିଥିବା ବକ୍ତା ଜଣକ ନିଜ ଜିଦିରେ ଅଟଳ ରହି କହିଲେ କି ୧୩ ଘଣ୍ଟା ଯାତ୍ରାକରି ଆସିଛି ମାନେ ଅନ୍ତତଃ ୧୩ ମିନିଟ୍ ତ ନିଶ୍ଚୟ କହିବି! ମାତ୍ର ୧୩ ମିନିଟ୍ ଭିତରେ ସେ ଯେଭଳି ଭାବରେ ନିଜର ବକ୍ତବ୍ୟ ରଖିଥିଲେ ସମସ୍ତେ କହିଲେ ଘଣ୍ଟା ଘଣ୍ଟା ଶୁଣିବା କଥା ବକ୍ତାଙ୍କଠାରୁ। ଭାଷା,ଭାବ ଏବଂ ଦୃଷ୍ଟାନ୍ତମୂଳକ ପ୍ରାମାଣିକ ଉପସ୍ଥାପନ ବାସ୍ତବରେ ମର୍ମସ୍ପର୍ଶୀ ଓ ସର୍ବସ୍ପଶୀ। ଏ ହେଉଛି ଭିଆଇପି ପରମ୍ପରାର ଲଜ୍ଜାଜନକ ରୂପ। ହେଲେ କହିବା କାହାକୁ।
କେବଳ ଭିଆଇପିମାନେ ଯଦି ନିଜ ବୁଦ୍ଧି ଓ ବିବେକକୁ ପଚାରନ୍ତେ, ଆୟୋଜକମାନଙ୍କ ଭାବାବେଗ ଓ ବହୁଦିନର କଠୋର ପ୍ରସ୍ତୁତି ଓ ପରିଶ୍ରମର ମୂଲ୍ୟ ବୁଝନ୍ତେ, ଅପେକ୍ଷା କରିଥିବା ହିତାଧିକାରୀଙ୍କ ମାନସିକ ସ୍ଥିତି ଓ ଯନ୍ତ୍ରଣାକୁ ଅଙ୍ଗେ ନିଭାଇଥାନ୍ତେ ଅଥବା ସମୟ ଓ ଶ୍ରମର ମୂଲ୍ୟ ବୁଝିପାରନ୍ତେ ଏଭଳି ଅଭାବନୀୟ ଓ ଅଶୋଭନୀୟ ପରିସ୍ଥିତି ସଭାସମିତି, ଆଲୋଚନାଚକ୍ର ଗୁଡ଼ିକରେ ହୁଅନ୍ତା ନାହିଁ।
ଡ. ମନୋରଞ୍ଜନ ପ୍ରଧାନ
-ସହକାରୀ ପ୍ରଫେସର, ବିକ୍ରମଦେବ ବିଶ୍ବବିଦ୍ୟାଳୟ, ଜୟପୁର
ମୋ:୭୦୦୮୨୮୩୦୫୫