ମେକ୍ସିକୋ ସିଟି,୨୩।୨: ମେକ୍ସିକୋର ମୋଷ୍ଟ ଓ୍ବାଣ୍ଟେଡ ଡ୍ରଗ୍ସ ଚାଲାଣକାରୀ ଏଲ ମେଞ୍ଚୋଙ୍କ ମୃତ୍ୟୁ ପରେ ମେକ୍ସିକୋର ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ଏକ ସାମରିକ ଅଭିଯାନରେ ଏଲ ମେଞ୍ଚୋଙ୍କ ମୃତ୍ୟୁ ପରେ ମେକ୍ସିକୋ ରାଜ୍ୟରେ ଅଧିକାଂଶ ସ୍ଥାନରେ ହିଂସା ଦେଖାଦେଇଛି।
ମେକ୍ସିକୋରେ ପରିସ୍ଥିତି ବିଗିଡ଼ିବାରୁ, ଭାରତୀୟ ଦୂତାବାସ ମଧ୍ୟ ଏହାର ନାଗରିକମାନଙ୍କ ପାଇଁ ଏକ ପରାମର୍ଶ ବା ଆଡଭାଇଜରୀ ଜାରି କରିଛି। ‘ଆପଣଙ୍କ ଚାରିପାଖ ପ୍ରତି ସତର୍କ ରୁହନ୍ତୁ,’ ଭାରତୀୟ ଦୂତାବାସ କହିଛି।
ମେକ୍ସିକୋରେ ଥିବା ଭାରତୀୟ ଦୂତାବାସ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ନାଗରିକମାନଙ୍କ ପାଇଁ ଏକ ପରାମର୍ଶ ଜାରି କରିଛି। ପୋଷ୍ଟରେ ଲେଖାଯାଇଛି, ‘ମେକ୍ସିକୋରେ ସୁରକ୍ଷା ଅଭିଯାନ ଚାଲିଛି, ଏବଂ ସମ୍ପୃକ୍ତ ରାସ୍ତା ଅବରୋଧ କରାଯାଇଛି ଏବଂ ଅପରାଧିକ କାର୍ଯ୍ୟକଳାପ ଘଟୁଛି।’
ପୋଷ୍ଟରେ ଆହୁରି କୁହାଯାଇଛି, ‘ଜଲିସ୍କୋ ରାଜ୍ୟ (ପୁଏର୍ଟୋ ଭାଲାର୍ଟା, ଚାପାଲା ଏବଂ ଗୁଆଡାଲାଜାରା), ତାମାଉଲିପାସ ରାଜ୍ୟ (ରେନୋସା ଏବଂ ଅନ୍ୟାନ୍ୟ ପୌରପାଳିକା), ମିଚୋଆକାନ ରାଜ୍ୟ, ଗୁରେରୋ ରାଜ୍ୟ ଏବଂ ନୁଏଭୋ ଲିଓନ ରାଜ୍ୟର ଅଞ୍ଚଳରେ ରହୁଥିବା ଭାରତୀୟ ନାଗରିକମାନେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସେହି ସ୍ଥାନରେ ରହିବା ଉଚିତ।’

