Categories: ଖେଳ

ବାୟୋ-ବବଲ ନିୟମ ଉଲ୍ଲଂଘନ: ୧କୋଟି ଜରିମାନା, ୨ପଏଣ୍ଟ କାଟ୍‌ ବ୍ୟବସ୍ଥା

ନୂଆଦିଲ୍ଲୀ, ୨ା୧୦ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ବାୟୋ-ବବଲ (କ୍ରିକେଟ ଟିମ୍‌କୁ ଅନ୍ୟମାନଙ୍କଠାରୁ ଦୂରରେ ରଖିବା) ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି। ଏହାର ଉଲ୍ଲଂଘନ କଲେ ଦଳକୁ ଏକ କୋଟି ଟଙ୍କା ଜରିମାନା ବ୍ୟତୀତ ୨ ପଏଣ୍ଟ କାଟ୍‌ ବ୍ୟବସ୍ଥା ରହିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ପ୍ରତିଯୋଗିତାରେ ଭାଗ ନେଉଥିବା ସମସ୍ତ ୮ ଫ୍ରାଞ୍ଚାଇଜ୍‌କୁ ଏବିଷୟରେ ଅବଗତ କରାଇ ଦିଆଯାଇଛି। ବବଲ ଅଞ୍ଚଳରୁ ଯଦି କୌଣସି ଖେଳାଳି ବିନା ଅନୁମତିରେ ବାହାରକୁ ଯାଇଥାନ୍ତି ତେବେ ସମ୍ପୃକ୍ତ ଖେଳାଳିଙ୍କୁ ୬ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ଏହି ଅପରାଧ ଦୋହରାଇଲେ ଖେଳାଳି ଜଣଙ୍କୁ ଗୋଟିଏ ମ୍ୟାଚ୍‌ରୁ ସସ୍‌ପେଣ୍ଡ କରାଯିବ। ତୃତୀୟ ଥର ଏହି ଭୁଲ କଲେ ସମ୍ପୃକ୍ତ ଖେଳାଳିଙ୍କୁ ଟୁର୍ନାମେଣ୍ଟରୁ ସମ୍ପୂର୍ଣ୍ଣ ବିଦା କରିଦିଆଯିବ। ତାଙ୍କ ସ୍ଥାନରେ କୌଣସି ଖେଳାଳିଙ୍କୁ ବଦଳ କରାଯାଇ ପାରିବ ନାହିଁ। ଯଦି କୌଣସି ଖେଳାଳି ତାଙ୍କ ଦୈନିକ ସ୍ବାସ୍ଥ୍ୟ ପାସ୍‌ପୋର୍ଟ ପ୍ରସ୍ତୁତ ରଖି ନ ଥାନ୍ତି, ଜିପିଏସ୍‌ ଟ୍ରାକ୍‌ର ପରିଧାନ ନ କରିଥାନ୍ତି ଅବା କୋଭିଡ୍‌-୧୯ ଟେଷ୍ଟକୁ ଏଡାଇ ଦିଅନ୍ତି ତେବେ ଭାରତୀୟ ମୁଦ୍ରାରେ ୬୦,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ସମାନ ନିୟମ ପରିବାର ସଦସ୍ୟ ଏବଂ ଟିମ୍‌ ଅଫିସିଆଲଙ୍କ ପାଇଁ ମଧ୍ୟ ପ୍ରଜୁଯ୍ୟ। ୟୁଏଇରେ ପ୍ରତି ୫ମ ଦିବସରେ ସମସ୍ତ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ଙ୍କର କୋଭିଡ୍‌ ଟେଷ୍ଟ ହେଉଛି। ବାୟୋ-ବବଲ ନିୟମ ପ୍ରତି ଯନତ୍ବାନ ହେବାକୁ ଟିମ୍‌ ଅଫସିଆଲମାନଙ୍କୁ କୁହାଯାଇଛି। ଯଦି ଏକ ଫ୍ରାଞ୍ଚାଇଜ୍‌ ଖେଳାଳି/ ସପୋର୍ଟ ଷ୍ଟାଫ୍‌ଙ୍କ ସହିତ କଥାବାର୍ତ୍ତା ହେବା ଲାଗି କୌଣସି ବ୍ୟକ୍ତିଙ୍କୁ ବବ୍‌ଲ ଭିତରକୁ ପ୍ରବେଶ ପାଇଁ ସୁଯୋଗ ଦିଅନ୍ତି ତେବେ ପ୍ରଥମ ଭୁଲ ପାଇଁ ୧ କୋଟି ଟଙ୍କା ଜରିମାନା, ଦ୍ୱିତୀୟ ଥର ଏହି କାର୍ଯ୍ୟପାଇଁ ଗୋଟିଏ ପଏଣ୍ଟ କାଟ୍‌ର ବ୍ୟବସ୍ଥା ରହିଛି। ତୃତୀୟ ଥର ଏହି ଅପରାଧ ପାଇଁ ୨ ପଏଣ୍ଟ କାଟ୍‌ର ବ୍ୟବସ୍ଥା ରାହିଛି, ଯାହାକି ଏକ ମ୍ୟାଚରେ ବିଜୟ ସହ ସମାନ। କରୋନା ମହାମାରୀ ସମୟରେ ଇଭେଣ୍ଟର ଆୟୋଜନ କରାଯାଉଥିବାରୁ ଏକାଧିକ ଥର ସ୍ବାସ୍ଥ୍ୟ ଓ ସୁୂରକ୍ଷା ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ଟିମ୍‌କୁ ବିସିସିଆଇ ତଦନ୍ତର ସାମ୍ନା କରିବାକୁ ପଡ଼ିବ। ସୂଚନାଯୋଗ୍ୟ, ଟୁର୍ନାମେଣ୍ଟ ଆରମ୍ଭ ହେବାପୂର୍ବରୁ କୋଭିଡ୍‌ ଟେଷ୍ଟରେ ୨ ଖେଳାଳିଙ୍କ ସମେତ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର୧୩ଜଣ ସଦସ୍ୟ ବିଫଳ ହାଇଥିଲେ। ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌ ପରେ ସେମାନେ ସମସ୍ତେ ସୁସ୍ଥ ହୋଇଥିଲେ।

Share