Categories: ଖେଳ

ଜାତୀୟ କ୍ୟାମ୍ପରୁ ଓହରିଲେ ଭିନେଶ

ନୂଆଦିଲ୍ଲୀ, ୧୯ା୮ (ପି.ଟି.)-ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଏକମାତ୍ର ଭାରତୀୟ ମହିଳା ରେସ୍‌ଲର ଭିନେଶ ଫୋଗତ ଜାତୀୟ କ୍ୟାମ୍ପରୁ ଓହରି ଯାଇଛନ୍ତି। କୋଭିଡ୍‌-୧୯ ମହାମାରୀ ଯୋଗୁ ସ୍ବାସ୍ଥ୍ୟ ସୁରକ୍ଷା କାରଣ ଦର୍ଶାଇ ଏହି ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତିରେ ଜାତୀୟ ମହାସଂଘ ବିରକ୍ତି ପ୍ରକାଶ କରିଛି। ଅଲିମ୍ପିକ ଓ୍ବେଟ୍‌ କାଟେଗୋରି ପାଇଁ ଜାତୀୟ କ୍ୟାମ୍ପର କାର୍ଯ୍ୟସୂଚୀ ପୁନନିର୍ଦ୍ଧାରିତ ହୋଇଛି। ଏହା ସେପ୍ଟେମ୍ବର ୧ରୁ ଲକ୍ଷ୍ନୌ (ମହିଳା) ଓ ସୋନେପତ୍‌ (ପୁରୁଷ)ଠାରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ତେବେ କରୋନା ମହାମାରୀ ଯେପରି ଭାବେ ବ୍ୟାପିବାରେ ଲାଗିଛି ଭିନେଶ ଲକ୍ଷ୍ନୌ ଗସ୍ତ କରିବାକୁ ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ସୁରକ୍ଷିତ ମଣୁ ନାହାନ୍ତି। ଫୋଗତ ଦୈନିକ ତାଙ୍କ କୋଚ୍‌ ଓମ୍‌ ପ୍ରକାଶଙ୍କ ସହିତ ଟ୍ରେନିଂ ନେଉଛନ୍ତି। ତାଙ୍କ ବ୍ୟକ୍ତିଗତ କୋଚ୍‌ ଓଲର ଆକୋସ୍‌ ପ୍ରତି ସପ୍ତାହରେ ଯେଉଁ ଦିଗ୍‌ଦର୍ଶନ ଦେଉଛନ୍ତି ତାହାକୁ ସେ କାର୍ଯ୍ୟକାରୀ କରୁଛନ୍ତି। ୨୦୧୯ ବିଶ୍ୱଚାମ୍ପିୟନଶିପ୍‌ ବ୍ରୋଞ୍ଜ ବିଜୟୀ ଭିନେଶ କହିଛନ୍ତି, ସାମାନ୍ୟ ବ୍ୟତିକ୍ରମ ଘଟିଲେ ସେ ଅସୁସ୍ଥ ହୋଇପଡ଼ନ୍ତି। ଲକ୍ଷ୍ନୌରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ହରିୟାଣାରେ କିନ୍ତୁ ତୁଳନାତ୍ମକ ଭାବେ ଅଧିକ ସୁରକ୍ଷିତ ମନେ କରୁଛନ୍ତି। ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜୟିନୀ ଯେଉଁ କାରଣ ଦର୍ଶାଇଛନ୍ତି ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) କିନ୍ତୁ ସେଥିରେ ସନ୍ତୁଷ୍ଟ ନୁହେଁ। ଡବ୍ଲ୍ୟୁଏଫ୍‌ଆଇ ସହକାରୀ ସମ୍ପାଦକ ବିନୋଦ ତୋମାର କହିଛନ୍ତି ଭିନେଶଙ୍କୁ ରିହାତି ଦିଆଯିବ କି ନା ତାହା ସିଲେକ୍ସନ କମିଟି ସ୍ଥିର କରିବ। ଖେଳାଳିମାନଙ୍କ ଲାଗି କ୍ୟାମ୍ପ ଆୟୋଜନ କରାଯାଇଛି। ଅଲିମ୍ପିକ୍ସ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହେବା ଦରକାର ବୋଲି ଆମେ ମନେ କରୁଛୁ। ସୁଶୀଲ କୁମାରଙ୍କୁ ଜାତୀୟ କ୍ୟାମ୍ପରେ ଯୋଗ ନ ଦେଇ ଛାତ୍ରାସାଲ ଷ୍ଟାଡିୟମରେ ଟ୍ରେନିଂ ପାଇଁ ଅନୁମତି ଦିଆଯାଇଛି। ହେଲେ ଏକ୍ଷେତ୍ରରେ ଭିନ୍ନ କାରଣ ରହିଥିବା ତୋମାର ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ଛାତ୍ରାସାଲରେ ଅନେକ ସୁବିଧା ରହିଛି। ସେଠାରେ ଏକ ଜିମ୍‌ ଓ ଅନେକ ମ୍ୟାଟ୍‌ ରହିଥିବାବେଳେ ସୁଶୀଲଙ୍କା ପାଇଁ ଯଥେଷ୍ଟ ଟ୍ରେନିଂ ପାର୍ଟନର ରହିଛି। କିନ୍ତୁ ଭିନେଶ କେଉଁ ଆଖଡ଼ାରେ ଟ୍ରେନିଂ ନେଉଛନ୍ତି ଏବଂ ସେଠାରେ କ’ଣ ସବୁ ସୁବିଧା ରହିଛି ସେ ବିଷୟରେ ଆମେ ଜାଣୁ ନାହିଁ ବୋଲି ତୋମାର କହିଛନ୍ତି।

Share