ଅମରପାଲି, ୧୦।୧୦ (ପୀତାମ୍ବର ସାହୁ): ମଦମୁକ୍ତ ଗାଁ ଗଠନ ଦାବିରେ ତେଜିଲା ଜନଆକ୍ରୋଶ। ମଦର କୁପ୍ରଭାବରେ ଗ୍ରାମର ସାମାଜିକ ପରିବେଶ ନଷ୍ଟ ହେଉଥିବା ଅଭିଯୋଗ କରି ଶେଷରେ ମଦଭାଟି ଉପରେ ଝାମ୍ପି ପଡ଼ିଲେ ଶତାଧିକ ମହିଳା। ଶନିବାର ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ପୀତାମହୁଲ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପ୍ରତିବାଦକାରୀ ମହିଳାମାନେ ମଦଭାଟି ଭିତରେ ପଶି ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ନଷ୍ଟ କରିବା ସହ ଭାଟିକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗ୍ରାମରେ ଦେଶୀ ମଦଭାଟି ବନ୍ଦ କରିବା ଦାବିରେ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ଗ୍ରାମବାସୀ ଏକ ଶୋଭାଯାତ୍ରାରେ ମଦଭାଟି ନିକଟକୁ ଯାଇ ଏହାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତିନି ଦିନ ମଧ୍ୟରେ ଭାଟି ବନ୍ଦ କରିବାକୁ ମଧ୍ୟ ଚେତାବନୀ ଦେଇଥିଲେ। ମାତ୍ର ଧାର୍ଯ୍ୟ ସମୟ ମଧ୍ୟରେ ଭାଟି ବନ୍ଦ ନ ହେବାରୁ ଶନିବାର ପୀତାମହୁଲ ସମେତ ଆଖପାଖ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକାଠି ହୋଇ ପ୍ରତିବାଦକୁ ତୀବ୍ର କରିଥିଲେ।
ଏହି ସମୟରେ ମହିଳାମାନେ ମଦଭାଟି ଭିତରେ ପଶି ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ମହୁଲ ପୋଚ ଓ ପ୍ରସ୍ତୁତ ଦେଶୀ ମଦକୁ ନଷ୍ଟ କରିବା ସହ ଭାଟିକୁ ଭାଙ୍ଗି ଦେଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ସୁବଳୟା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ବହୁ ସଂଖ୍ୟାରେ ମହିଳା ଓ ଗ୍ରାମବାସୀ ଏକତ୍ରିତ ହୋଇଥିବାରୁ ସ୍ଥିତି ନିୟନ୍ତ୍ରଣ କରିବା ସହଜ ହୋଇ ନଥିଲା।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ମଦକୁ କେନ୍ଦ୍ର କରି ଗତ ଦୁଇ ବର୍ଷ ମଧ୍ୟରେ ଗ୍ରାମରେ ପାଞ୍ଚଟି ହତ୍ୟାକାଣ୍ଡ ଘଟିଥିବା ବେଳେ ବାରମ୍ବାର ଗଣ୍ଡଗୋଳ ମଧ୍ୟ ହେଉଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ଅସନ୍ତୋଷ ଲାଗି ରହିଥିଲା। ଏନେଇ ବାରମ୍ବାର ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏବେ ମଦଭାଟି ଉଚ୍ଛେଦ ଦାବିରେ ମହିଳାମାନେ ଆଗକୁ ଆସିବା ପରେ ଅଞ୍ଚଳରେ ମଦବିରୋଧୀ ଆନ୍ଦୋଳନ ଜୋର ଧରିଛି। ମଦଭାଟି ବନ୍ଦ କରିବା ନେଇ ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।
Dharitri – Odisha’s No.1 Odia Daily

