ତୁମୁଡିବନ୍ଧ,୨୯ା୪(ଦିପକ କୁମାର ପରାସେଠ): ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କରୁଥିବା ବେଳେ ଏବେ ମଧ୍ୟ ସେହି ଯୋଜନାରୁ ବଞ୍ଚିତ ଅନେକ ଗାଁ। ବିଶେଷ କରି ଗ୍ରୀଷ୍ମପ୍ରବାହ ଜାରି ରହିଛି ନଦୀ, ନାଳ ପୋଖରୀ ସବୁ ଶୁଖିଯାଇଛି । ଗ୍ରାମାଞ୍ଚଳରେ ପାନୀୟ ଜଳର ସମସ୍ୟା ବଢ଼ିବାରେ ଲାଗିଛି ।ରାସ୍ତା ନାହିଁତ ବିକାଶ ନାହିଁ। ପାନୀୟ ଜଳ ସାଙ୍ଗକୁ ଯାତାୟାତ ପାଇଁ ରାସ୍ତା ପ୍ରମୁଖ ସମସ୍ୟା ସାଜିଛି କନ୍ଧମାଳ ଜିଲe ତୁମୁଡିବନ୍ଧ ବ୍ଲକ କରୁକୁଡୁପା ପଞ୍ଚାୟତର ପୁରୁଣା ସଲାଗୁଡ଼ା ଗ୍ରାମରେ।
ଏହି ଗ୍ରାମରେ ଦଶ ପରିବାରର ବସ ବାସ କରନ୍ତି । ପାନୀୟ ଜଳର ସମସ୍ୟା ରହିଛି। ଗ୍ରାମରେ ନଳକୂପ, ଗାଡ଼ିଆ ପୋଖରୀ ନାଳ ସବୁ ଶୁଖି ଯାଇଛି । ପିଇବା ପାଣିର ସମସ୍ୟା ବଢ଼ିବାରେ ଲାଗିଛି । ତିନି ମାସ ହେବ ଭୂତଳ ଜଳ ଯୋଗାଇ ଦେବାକୁ ପାଇପ ସଂଯୋଗ କରାଯାଇଛି । ହେଲେ ପାନୀୟ ଜଳଯୋଗାଣ କରାଯାଉନାହିଁ । ଫଳରେ ଗ୍ରାମ ମହିଳାମାନେ ଟୁଣ୍ଡାଙ୍ଗ ଗାଡା ନାଳର ଏକ ପରିତ୍ୟକ୍ତ ପଥର ଗାଡ଼ିଆରୁ ଗୋଳିଆ ପାଣିକୁ ପିଇବା ପାଣି ସଂଗ୍ରହ କରି ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି । ଯାହା ଫଳରେ ଗ୍ରାମର ବହୁତ ଲୋକ ବିଭିନ୍ନ ରୋଗରେ ପୀଡ଼ିତ ହୁଅନ୍ତି। ଆଉ କିଛି ଦିନ ପରେ ଉକ୍ତ ପଥର ଗାଡ଼ିଆର ପାଣି ମଧ୍ୟ ଶୁଖିଯିବ। ଫଳରେ ପାନୀୟ ଜଳର ସମସ୍ୟା ଦ୍ବିଗୁଣିତ ହେବ ବୋଲି ଗ୍ରାମର ମହିଳା ପ୍ରିୟଙ୍କା ବେନିଆ କହିଛନ୍ତି।
ଏହା ସାଙ୍ଗକୁ ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ । କରୁକୁଡୁପା ପଞ୍ଚାୟତ ସଦର ମହକୁମାକୁ ସଂଯୋଗ କରିବା ପାଇଁ ଟୁଣ୍ଡାଙ୍ଗ ଗାଡା ନାଳ ବାଧକ ସାଜିଛି । ବର୍ଷା ଦିନ ସେହି ନାଳରେ ବର୍ଷା ପାଣି ବଢ଼ିଯାଏ । ଫଳରେ ତିନି ମାସ ଯାତାୟାତ ପୁରା ଠପ ହୋଇଯାଏ। ଗ୍ରାମ ଠାରୁ ଦୁଇ କିମି ଦୂର ବିରିଙ୍ଗିଆ ଗ୍ରାମ ଠାରେ ରହିଛି ସ୍କୁଲ। ପିଲାମାନେ ବର୍ଷା ଦିନେ ଉକ୍ତ ରାସ୍ତା ଦେଇ ପାଠ ପଢିବା ପାଇଁ ଯାଇ ପାରନ୍ତି ନାହିଁ। ସେହିପରି ଖରା ଦିନ ସେହି ନାଳରେ ପାଣି ଶୁଖି ଯାଏ। ଖାଲ ଖମା ଆବୁଡା ଖାବୁଡା ଚଲା ରାସ୍ତାରେ ଯାତାୟତ କରନ୍ତି ଗ୍ରାମବାସୀ। ଗ୍ରାମରେ କେହି ଜ୍ୱର ବେମାରରେ ପଡ଼ନ୍ତି ତେବେ ଖଟ ଦଉଡ଼ି ପାଲଟେ ୧୦୮ଆମ୍ବୁଲାନ୍ସ। ଦୁଇ କିମି ରାସ୍ତା ବୋହି ନେବାକୁ ପଡ଼େ।
ରାଶନ ଚାଉଳ ସହିତ ଅନ୍ୟାନ୍ୟ ଅତି ଆବଶ୍ୟକୀୟ ଜିନିଷ ପତ୍ର ବୋହି ନେବା ଆଣିବାରେ ବହୁତ ଅସୁବିଧା ହୁଏ।ନୂତନ ରାସ୍ତା ନିର୍ମାଣ ସହିତ ଟୁଣ୍ଡାଙ୍ଗ ଗାଡା ନାଳରେଏକ ପୋଲ ନିର୍ମାଣ ପାଇଁ ବହୁବାର ସରପଞ୍ଚ ସମେତ ସରକାରୀ ଅଧିକାରୀମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳି ନାହିଁ । ଏହି ବାବଦରେ ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନ ବିହାରୀ ହରପାଲ ତୁରନ୍ତ ପିଇବା ପାଣି ବ୍ୟବସ୍ଥା କରାଯିବା ସହିତ ରାସ୍ତା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।