ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ ଏବଂ ବସ୍ଷ୍ଟାଣ୍ଡ ଯାଇ ସେଠାରେ ସ୍ଥିତି ସମୀକ୍ଷା କରିଥିଲେ। ଏସବୁ ସ୍ଥାନରେ କାର୍ଯ୍ୟ ଦେଖିବା ପରେ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା କହିଛନ୍ତି। ଭେଣ୍ଡି ଜୋନରେ ବହୁତ ଅର୍ଥ ଖର୍ଚ୍ଚ ହୋଇଥିବା ବେଳେ ତାହା ଏବେ ଗଛଲତାରେ ପରିପୂର୍ଣ୍ଣ ହୋଇଛି। ନିର୍ମାଣର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ। ସେହିପରି ନିର୍ମାଣ ହୋଇଥିବା ପାର୍କରେ ମଧ୍ୟ ଅର୍ଥ ହେରଫେର ହୋଇଥିବା କହିଛନ୍ତି।
କାର୍ଯ୍ୟଗୁଡିକ ନିୟମ ଅନୁଯାୟୀ ହୋଇ ନ ଥିବା ବେଳେ ଅର୍ଥ ବାଟ ମାରଣ ହୋଇଥିବା ସୂଚନା ଦେଇଛନ୍ତି। ‘ମୁକ୍ତା’ଯୋଜନାରେ ହୋଇଥିବା ସବୁ କାର୍ଯ୍ୟରେ ଅନିୟମିତତା ହୋଇ ଥିବା ଭିଜିଲାନ୍ସକୁ ଚିଠି କରିବେ ବୋଲି କହିଛନ୍ତି। ସମୀକ୍ଷା ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାଢ଼ୀ, ସାଂସଦ ପ୍ରତିନିଧି ଏସ ମୀନକେଶ, ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

