Categories: ଖେଳ

ସିଜନ ଶେଷ ଗ୍ରାଁ ପ୍ରି ଜିତିଲେ ଭର୍ଷ୍ଟାପେନ୍‌

ୟାସ୍‌ ଆଇଲାଣ୍ଡ (ଆବୁଧାବି), ୧୪ା୧୨ (ଏପି)-ରେଡବୁଲ୍‌ ଡ୍ରାଇଭର ମାକ୍ସ ଭର୍ଷ୍ଟାପେନ୍‌ ସିଜନ ଶେଷ ଆବୁଧାବି ମୋଟର ରେସ୍‌ ଗ୍ରାଁ ପ୍ରି ଜିତିଛନ୍ତି। ରବିବାର ରେସ୍‌ରେ ସେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ। ସିଜନର ସେ ଦ୍ୱିତୀୟ ଏବଂ କ୍ୟାରିୟରର ୧୦ମ ବିଜୟ ହାସଲ କରିଛନ୍ତି। ଭାଲଟେରି ବୋଟାସଙ୍କଠାରୁ ସେ ୧୬ ସେକେଣ୍ଡ ଏବଂ ବିଶ୍ୱ ଚାମ୍ପିୟନ ଲୁଇସ୍‌ ହାମିଲଟନଙ୍କଠାରୁ ସେ ୧୮.୪ ସେକେଣ୍ଡ ଆଗୁଆ ରେସ୍‌ ଶେଷ କରିଥିଲେ। ମର୍ସିଡିଜ୍‌ର ଉଭୟ ଡ୍ରାଇଭରଙ୍କ ବିପକ୍ଷରେ ରେଡ୍‌ବୁଲ୍‌ର ଏହା ଏକ ବିରଳ ସଫଳତା। ମ୍ୟାକ୍‌ଲରେନର ଲାଣ୍ଡୋ ନୋରିସ୍‌ଙ୍କ ଆଗରେ ରେଡ୍‌ବୁଲ୍‌ର ଆଲେକ୍‌ଜାଣ୍ଡର ଆଲ୍‌ବନ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ୨୩ବର୍ଷୀୟ ଭର୍ଷ୍ଟାପେନ୍‌ ଶନିବାର କ୍ୱାଲିଫାଇଂ ରେସ୍‌ରେ ପୋଲ୍‌ ପୋଜିଶନ ହାସଲ କରିଥିଲେ। ହାମିଲଟନ ଚଳିତ ସିଜନରେ ଅନୁଷ୍ଠିତ ୧୬ ରେସ୍‌ରୁ ୧୧ଟି ବିଜୟ ଲାଭ କରିଛନ୍ତି। କରୋନା ସଂକ୍ରମିତ ହେବାରୁ ସେ ଗତ ସପ୍ତାହରେ ବାହାରିନ୍‌ରେ ଅନୁଷ୍ଠିତ ସାଖୀର ଗ୍ରାଁ ପ୍ରିରେ ଭାଗ ନେଇପାରି ନ ଥିଲେ। ଫଳରେ ଗୋଟିଏ ସିଜନରେ ସର୍ବାଧିକ ୧୩ ରେସ୍‌ ଜିତି ସେବାଷ୍ଟିଆନ ଭେଟେଲ କରିଥିବା ରେକର୍ଡର ସେ ସମକକ୍ଷ ହେବା ସୁଯୋଗ ହରାଇଛନ୍ତି। ଭେଟେଲ ୨୦୧୩ରେ ରେଡ୍‌ବୁଲ୍‌ ଟିମ୍‌ରେ ଥିବାବେଳେ ଏହି ରେକର୍ଡ ପ୍ରତିଷ୍ଠା କରିଥିଲେ।

Share