Categories: ଖେଳ

ଭର୍ଷ୍ଟାପେନ୍‌ଙ୍କୁ ମୋନାକୋ ଗ୍ରାଁ ପ୍ରି ଟାଇଟଲ

ମୋନାକୋ, ୨୪ା୫: ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ୍‌ ମୋନାକୋ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଏଥିସହିତ ଚାମ୍ପିୟନଶିପ୍‌ ଟେବୁଲରେ ମର୍ସିଡିଜ ଡ୍ରାଇଭର ଲୁଇସ୍‌ ହାମିଲଟନଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିନେଇଛନ୍ତି। ଗିଅର ବକ୍ସରେ ସମସ୍ୟା ଯୋଗୁ ପୋଲ ପୋଜିଶନ ହାସଲ କରିଥିବା ଚାଲର୍‌ସ ଲେକ୍‌ରେକ୍‌ ରେସ ଆରମ୍ଭ ହେବା ପୂର୍ବରୁ ଓହରିଯାଇଥିଲେ। ଭର୍ଷ୍ଟାପେନ ଆରମ୍ଭରୁ ରେସ୍‌କୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହୋଇଥିଲେ। ହାମିଲଟନ ୭ମ ସ୍ଥାନ ଅଧିକାର କରିଥିଲେ। ତାଙ୍କ ଟିମ୍‌ ରଣକୌଶଳକୁ ଠିକଣାରୂପେ କାର୍ଯ୍ୟକାରୀ କରିପାରି ନ ଥିବାରୁ ରେସ୍‌ ଶେଷରେ ସେ ବିରକ୍ତି ପ୍ରକାଶ କରିଥିଲେ। ହାମିଲଟନଙ୍କ ମର୍ସିଡିଜ ଟିମ୍‌ମେଟ୍‌ ଭାଲଟେରି ବୋଟାସ ପିଟ୍‌ ଷ୍ଟପ୍‌ରେ ତାଙ୍କ ଡାହାଣ ଆଗ ଚକାକୁ ମେକାନିକ୍‌ମାନେ ବଦଳାଇବାରେ ସମର୍ଥ ନ ହେବାରୁ ରେସ୍‌ରୁ ଓହରିଯିବାକୁ ବାଧ୍ୟ ହୋଇଥିଲେ। ରେସ୍‌ରେ ପ୍ରଥମ ଓ ଚତୁର୍ଥ ସ୍ଥାନ ଅଧିକାର ଯୋଗୁ ରେଡ୍‌ବୁଲ୍‌ କନ୍‌ଷ୍ଟ୍ରକ୍‌ଟର୍ସ ଚାମ୍ପିୟନଶିପ୍‌ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିପାରିଛି। ଫେରାରିର କାର୍ଲୋସ ସେଞ୍ଜ୍‌ ଏବଂ ମ୍ୟାକଲରେନର ଲାଣ୍ଡୋ ନୋରିସ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରଥମ ୧୦ଜଣଙ୍କ ମଧ୍ୟରେ ଯଥାକ୍ରମେ ରହିଥିବା ଅନ୍ୟ ଡ୍ରାଇଭରମାନେ ହେଲେ ସର୍ଗିଓ ପେରେଜ (ରେଡ୍‌ବୁଲ୍‌), ସେବାଷ୍ଟିଆନ ଭେଟେଲ (ଆଷ୍ଟନ ମାର୍ଟିନ), ପିଏରେ ଗାସ୍‌ଲି (ଆଲ୍‌ଫା ତାଉରି), ଲୁଇସ୍‌ ହାମିଲଟନ (ମର୍ସିଡିଜି), ଲାନ୍ସ ଷ୍ଟ୍ରୋଲ (ଆଷ୍ଟର୍ନ ମାର୍ଟିନ), ଏଷ୍ଟିବାନ ଓକନ (ଆଲପାଇନ୍‌) ଓ ଆଣ୍ଟୋନିଓ ଜିଓଭିନାଜି (ଆଲ୍‌ଫା ରୋମିଓ)।

Share