
ନୂଆଦିଲ୍ଲୀ,୧୫।୩: ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ କ୍ରିକେଟ ଦଳକୁ ଚାମ୍ପିୟନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ୨୦୨୧ ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ତାଙ୍କୁ ଧମକପୂର୍ଣ୍ଣ ଫୋନ କଲ ମିଳିଥିଲା। ତାଙ୍କୁ ବିମାନବନ୍ଦରରୁ ମଧ୍ୟ ଅନୁସରଣ କରାଯାଇଥିଲା। ଏହି ଟର୍ନାମେଣ୍ଟ ଚାରି ବର୍ଷ ପୂର୍ବେ ଦୁବାଇରେ ଅନୁଷ୍ଠିତ ହୋଇଥିଲା।
ଚକ୍ରବର୍ତ୍ତୀ ୨୦୨୦ ଏବଂ ୨୦୨୧ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନରେ କୋଲକାତା ନାଇଟ ରାଇଡର୍ସ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ସିଜିନରେ ୧୭ ଏବଂ ଦ୍ୱିତୀୟ ସିଜିନରେ ୧୮ ଊଇକେଟ୍ ନେଇଥିଲେ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ପ୍ରଦର୍ଶନ ନିରାଶାଜନକ ଥିଲା ଏବଂ ସେମାନେ ପ୍ରଥମ ରାଉଣ୍ଡରେ ହିଁ ବାଦ ପଡ଼ିଥିଲେ। ଦଳଟି ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଭଳି ଦଳଠାରୁ ପରାଜୟର ସମ୍ମୁଖୀନ ହୋଇଥିଲା ଏବଂ ନକଆଉଟରେ ପ୍ରବେଶ କରିପାରିନଥିଲା।
ଚକ୍ରବର୍ତ୍ତୀଙ୍କ ପାଇଁ ଏହି ଟୁର୍ନାମେଣ୍ଟଟି ଏକ ଭୁଲିଯିବା ଭଳି ଥିଲା କାରଣ ସେ ମାତ୍ର ତିନୋଟି ମ୍ୟାଚ ଖେଳିଥିଲେ ଏବଂ ଗୋଟିଏ ବି ଉଇକେଟ୍ ନେଇ ନଥିଲେ। ଏକ ସାକ୍ଷାତକାରରେ ମୁହଁ ଖୋଲି କହିଥିଲେ ଯେ ତାଙ୍କୁ ଧମକପୂର୍ଣ୍ଣ ଫୋନ ଆସିଥିଲା, ବିମାନବନ୍ଦର ପର୍ଯ୍ୟନ୍ତ ତାଙ୍କୁ ଅନୁସରଣ କରାଯାଇଥିଲା ଏବଂ ତାଙ୍କ ଘର ଠିକଣା ମଧ୍ୟ ଟ୍ରାକ କରାଯାଇଥିଲା।