ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଅଧ୍ୟାପକ ନିରଞ୍ଜନ ପାଢ଼ୀ

 

ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା ପାଇଁ ବଳ କଷାକଷିର ପର୍ବ ଆରମ୍ଭ ହୋଇଗଲାଣି କେବେଠୁଁ। ନିର୍ବାଚନରେ ଭୋଟ ଦେଇ ନାଗରିକର ପବିତ୍ର କର୍ତ୍ତବ୍ୟ ସମ୍ପାଦନ କରି ପାଞ୍ଚବର୍ଷ ହେଲା ନିଘୋଡ଼ ନିଦରେ ଶୋଇ ପଡ଼ିଥିବା ଜନତା କଡ଼ ଲେଉଟାଇଲେଣି ପୁଣି ଥରେ ଭୋଟ କେନ୍ଦ୍ର ଧାଡ଼ିରେ ଛିଡ଼ା ହେବା ପାଇଁ। ରାଲି, ରୋଡ୍‌ ଶୋ, ସାଧାରଣ ସଭା ସାଙ୍ଗକୁ ଘରକୁ ଘର ବୁଲି ନିଜ ପ୍ରାର୍ଥିତ୍ୱ ସପକ୍ଷରେ ପ୍ରଚାର କରୁଥିବା ପ୍ରାର୍ଥୀଙ୍କ ବିନମ୍ର ପ୍ରଣାମରେ ବୈଶାଖର ପ୍ରଚଣ୍ଡ ରୌଦ୍ରତାପ ବି ଭିଜିଗଲାଣି ଏକ ଅଭିନବ ପ୍ରତିବେଦନରେ। କାଣି କଉଡ଼ିରେ ତଉଲା ହେଉ ନ ଥିବା ଭୋଟର ବାପୁଡ଼ା ନିଜ ବହୁମୂଲ୍ୟ ଭୋଟଖଣ୍ଡକ ପାଇଁ ନିଜକୁ ମହାରାଜା ମଣିଲେଣି।
ଏଇ ନିର୍ବାଚନ ପ୍ରଥମ ନିର୍ବାଚନ ନୁହେଁ। ଆମ ଦେଶ ସ୍ବାଧୀନତା ଲାଭ କଲାପରଠୁ ଏମିତି କେତେ ନିର୍ବାଚନ ଆସିଛି ଓ ଯାଇଛି। ରାଜନୀତିରେ ରୁଚି ରଖୁଥିବା ଓ ନିର୍ବାଚନ ଜରିଆରେ ନିଜ ନେତୃତ୍ୱ ନିର୍ମାଣ କରୁଥିବା ଅଳ୍ପ କେଇଜଣଙ୍କୁ ଛାଡ଼ିଦେଲେ ବାକି ଲୋକଙ୍କ ପାଇଁ ଏହା ଯେମିତି ମହତ୍ତ୍ୱହୀନ, ସେମିତି ଅନୁଭବଶୂନ୍ୟ। ବାସ୍‌, କେବଳ ଏକ ରୁଟିନବନ୍ଧା ନାଗରିକ ଅଧିକାର, ଯାହା ପାଞ୍ଚବର୍ଷରେ ଥରେ ଆସେ ଓ ରାମରାଜ୍ୟ, ଗରିବୀ ହଟାଅ ଓ ମହିଳା ସଶକ୍ତୀକରଣ ଆଦି ଶ୍ରୁତିମଧୁର ସ୍ଲୋଗାନର କୋଳାହଳ ମଧ୍ୟରେ ଗୁଞ୍ଜରିତ ହୋଇ ପୁଣି ନିଃଶବ୍ଦରେ ମିଳାଇଯାଏ ଆଉ ପାଞ୍ଚବର୍ଷ ପାଇଁ। ପ୍ରକୃତରେ ବଡ଼ ବିଚିତ୍ର ନିର୍ବାଚନ ପୂର୍ବର ଅବସ୍ଥା। ଗୋଟିଏ ପଟେ ଆଉ ଥରେ କ୍ଷମତାସୀନ ହେବାକୁ ସରକାରୀ ଦଳର ଆକାଶଛୁଆଁ ପ୍ରତିବଦ୍ଧତା, ଅନ୍ୟପଟେ ତାଙ୍କୁ କ୍ଷମତାରୁ ହଟାଇ ନିଜେ ଗାଦିରେ ବସିବାକୁ ବିରୋଧୀ ଦଳର ସୁପ୍ତ ବ୍ୟାକୁଳତା ଓ ମଝିରେ ‘ସବୁ ସରକାର ତା’ ପାଇଁ ସମାନ’ ବିଚାରି ନିସ୍ପୃହରେ ଗୋଟିଏ ସାମ୍ବିଧାନିକ ପର୍ବର ସମାପ୍ତିକୁ ଅପେକ୍ଷା କରୁଥିବା ସାଧାରଣ ଭୋଟରଙ୍କ ଉଦାସୀନ ମାନସିକତା!
ଭୋଟରଙ୍କୁ ସାଧାରଣ କହିଲେ ତାଙ୍କ ମହତ୍ତ୍ୱର ଅପମାନ ହେବ। ଅନ୍ୟ ବେଳେ ଯେତେ ସାଧାରଣ ହେଲେ ବି ନିର୍ବାଚନ ବେଳେ ଭୋଟରଟିଏ ଅତ୍ୟନ୍ତ ଅସାଧାରଣ। କେବଳ ଖଣ୍ଡିଏ ଭୋଟ୍‌ର ମୂଲ୍ୟ ପାଇଁ ଭୋଟରଙ୍କ ମୁଣ୍ଡର ମୂଲ୍ୟ ଦୁର୍ମୂଲ୍ୟ ହୀରାନୀଳାର ମୂଲ୍ୟଠାରୁ ମଧ୍ୟ ଶତଗୁଣ ମୂଲ୍ୟବାନ୍‌ ହୋଇଯାଏ। ଅଥଚ ସମୟର ଦୁର୍ଭାଗ୍ୟ, ଭୋଟର ଜଣେ ତାଙ୍କ ମୁଣ୍ଡର ମୂଲ୍ୟ ନିଜେ ନିର୍ଦ୍ଧାରଣ କରିପାରନ୍ତି ନାହିଁ। ଗତ ପାଞ୍ଚବର୍ଷ ଭିତରେ ଥରେ ବି କେବେ ତା’ ମୁଣ୍ଡକୁ କାଣି କଉଡ଼ିରେ ପଚାରି ନ ଥିବା ସେଇ ନେତା ନାମଧାରୀ କ୍ରେତା ଅଚାନକ ତା’ ମୁଣ୍ଡ କିଣିବାକୁ ତା’ ଆଗରେ ଆବିର୍ଭୂତ ହୁଅନ୍ତି ଓ ବେଶ୍‌ ଚଢ଼ା ଦାମ୍‌ରେ କିଣିନିଅନ୍ତି ତା’ ମୁଣ୍ଡକୁ। ହଁ, ଚଢ଼ା ମୂଲ୍ୟ ନୁହେଁ ତ ଆଉ କ’ଣ! ଗାଁ ଆଖଡ଼ା ଘରେ ଅବା ସହରର କ୍ଲବ ଘରେ ଚିକେନ୍‌ ମିଲ୍‌ର ଭୂରି ଭୋଜନ, ଦେଶୀ ଅବା ବିଦେଶୀ ଅବକାରୀ ପାନୀୟ ସେବନ ସାଙ୍ଗକୁ ଚାରିଟି ଖଡ଼ଖଡ଼ିଆ ପାଞ୍ଚଶ ଟଙ୍କିଆ ନୋଟ୍‌ର ଅନୁଦାନକୁ କ’ଣ ଚଢ଼ା ନ କହି ମାମୁଲି ବୋଲି କୁହାଯାଇପାରେ!
ପ୍ରତ୍ୟେକ ନିର୍ବାଚନ ଆସେ ରାମରାଜ୍ୟାର ପ୍ରତ୍ୟୟ ଓ ପ୍ରତିଶ୍ରୁତି ନେଇ। ଅଥଚ ନିର୍ବାଚନ ସରିଗଲା ପରେ ରାମ ବୋଲି ସେଇ କଳ୍ପିତ ପୁଣ୍ୟପୁରୁଷ ଜଣକ ନିର୍ବାସନରେ କେଉଁଆଡ଼େ ଚାଲିଯାଆନ୍ତି ଯେ ଯେତେ ଖୋଜିଲେ ତାଙ୍କର ପତ୍ତା ମିଳେନା। ବଦଳରେ ପ୍ରତିଭାତ ହୁଅନ୍ତି ରକ୍ତଶୋଷା ରାବଣ। ନିନ୍ଦୁକମାନେ କୁହନ୍ତି ନିର୍ବାଚନର ଅନ୍ୟ ନାମ ପରା ପ୍ରତିଶ୍ରୁତି ଓ ପ୍ରତାରଣାର ପର୍ବ। ତାହା ହିଁ ହେଉ। ନିର୍ବାଚିତ ହେଲା ପରେ ତଥାକଥିତ ରାମମାନେ ରାବଣ ପାଲଟିଯାଆନ୍ତୁ। ପ୍ରତିଜ୍ଞା, ପ୍ରତିଶ୍ରୁତି ସହିତ ଅଦୃଶ୍ୟ ଭାବେ ମିଶି ରହିଥିବା ମିଥ୍ୟାଚାର ଓ ପ୍ରତାରଣାକୁ ନେଇ ତଥାପି ସମୃଦ୍ଧ ହୋଇ ରହିଥାଉ ଆମ ଗଣତନ୍ତ୍ର। ନିଜ ମୁଣ୍ଡକୁ ଦୁଇହାର ଟଙ୍କା ସହ ଚିକେନ ମିଲ୍‌ ଓ ଗ୍ଲାସେ ନାଲିପାଣି ବିନିମୟରେ ବିକିଥିବା ଭୋଟର ବାପୁଡ଼ାକୁ କାହୁଁ ବା ଉପଲବ୍‌ଧ ହୁଅନ୍ତେ ସମାଜ କଲ୍ୟାଣ ପାଇଁ ସମର୍ପିତ, ମର୍ଯ୍ୟାଦାମଣ୍ଡିତ ରାମଚନ୍ଦ୍ର! ମାତ୍ର ନିର୍ବାଚନ ପୂର୍ବରୁ ପ୍ରତାରଣା ଓ ମିଥ୍ୟାଚାର ଯଦି ସେମାନଙ୍କର କାୟାବିସ୍ତାର କରନ୍ତି, ତେବେ କେମିତି ହୁଅନ୍ତା ଗଣତନ୍ତ୍ରର ଅନୁଭବ!
ଏଥର ନିର୍ବାଚନ ତିଥି ଘୋଷଣା ହେବା ପୂର୍ବରୁ ଓ ପରେ ସଂଘଟିତ ହୋଇ ଚାଲିଛି ଏହି ମିଥ୍ୟାଚାରର ପର୍ବ। ଗୋଟିଏ ଦଳ ସହ ଦୀର୍ଘ ବର୍ଷ ଧରି ସଂପୃକ୍ତ ରହି, ସେଇ ଦଳର ବିଜୟବାନା ହାତରେ ଧରି ଓ ତାହାର ଆଦର୍ଶର ଜୟଗାନ କରି ପୁଣି ପରଦିନ ସେହି ଦଳ ତ୍ୟାଗ କରି ତାହା ବିରୋଧରେ ବିଷୋଦ୍‌ଗାର କରିବାର ନାମ ମିଥ୍ୟାଚାର ଭିନ୍ନ ଅନ୍ୟ କ’ଣ ହୋଇପାରେ! କେବଳ ଶାସକ ଦଳ ନୁହେଁ, ବିରୋଧୀ ଦଳଗୁଡ଼ିକ ମଧ୍ୟ ଏ ପ୍ରକାର ମିଥ୍ୟାଚାରରୁ ମୁକ୍ତ ନୁହେଁ। କାଲିଯାଏଁ ନେତା ଜଣେ ଗୋଟିଏ ଦଳରେ ରହି ସେହି ଦଳର ଆଦର୍ଶରେ ଅଭିମନ୍ତ୍ରିତ କରିବେ ନିଜକୁ। ସେହି ଦଳର ଜୟଗାନ ତାଙ୍କ ପାଇଁ ପାଲଟି ଯାଇଥିବ ସନ୍ଧ୍ୟା ସକାଳର ପ୍ରାର୍ଥନା ସଙ୍ଗୀତ। ଅଥଚ ସେଇ ଦଳର ନିର୍ବାଚନ ଲଢ଼ିବା ପାଇଁ ଟିକେଟ ନ ମିଳିଲେ ଅବା ସେହି ଦଳର ବିଜୟ ସମ୍ଭାବନା ହ୍ରାସ ପାଇଥିଲେ ରାତାରାତି ବିପକ୍ଷ ଦଳରେ ଯୋଗଦେଇ ସେ ପାଲଟିଯିବେ ମୂଳ ଦଳର ସବୁଠୁ ପ୍ରଗ୍‌ଳଭ ନିନ୍ଦୁକ। କାଲିଯାଏଁ ସ୍ବର୍ଗ ବୋଲି ପ୍ରତୀୟମାନ ହେଉଥିବା ପରିବେଶ ପାଲଟିଯିବ ନର୍କଠୁ ମଧ୍ୟ ଆହୁରି ନିକୃଷ୍ଟତର। କାଲିଯାଏଁ ଯେଉଁ ନେତାଙ୍କ ସପ୍ତପୁରୁଷ ଉଦ୍ଧାର କରିଥିବେ ଆଜି ସେ ପାଲଟିଯିବେ ରାଜନୀତିର ସବୁଠୁ ଆଦର୍ଶ ପୁରୁଷ। ମିଥ୍ୟାଚାର ଆଉ କାହାକୁ କୁହନ୍ତିକି!
ନିର୍ବାଚନ ପୂର୍ବରୁ ମାଇକ୍ରୋଫୋନ ଆଗରେ ଜ୍ୱାଳାମୟୀ ବକ୍ତୃତା ଦେଇ ଜନସଭାକୁ ସମ୍ବୋଧନ କରିବା ନେତାମାନଙ୍କର ଏକଚାଟିଆ ଅଧିକାର। ଯଦି ଭୋଟର ଜନତାଙ୍କୁ ମଧ୍ୟ ଏହି ଅଧିକାର ଉପଲବ୍ଧ ହୁଅନ୍ତା, ତେବେ କେହି ବି ଜଣେ ମିଳନ୍ତା, ଯିଏ ମାଇକ୍ରୋଫୋନ ଆଗରେ କହନ୍ତା-ନେତାବାବୁ! ତୁମକୁ କାଲି ଗୋଟିଏ ରୂପରେ ଦେଖିଥିଲୁ, ଆଜି ଦେଖୁଛୁ ଭିନ୍ନ ଏକ ରୂପରେ। କାଲି ଓ ଆଜି ମଧ୍ୟରେ ଯେଉଁ ଫରକ ସେଇ ଫରକର ହେତୁ କ’ଣ? ଦେଶ ଗଠନ, ଲୋକ କଲ୍ୟାଣ ନା ବ୍ୟକ୍ତିଗତ ସ୍ବାର୍ଥସାଧନ, ସମୟର ଦୁର୍ଭାଗ୍ୟ ଏମିତି ପ୍ରଶ୍ନ ପଚରାଯାଏନା କି ଏଭଳି ପ୍ରଶ୍ନର ଉତ୍ତର ମିଳେନା। ଯଦି ବି କେଉଁଠି ଏମିତି ପ୍ରଶ୍ନ ମୁଣ୍ଡଟେକେ, ତେବେ ପ୍ରଶ୍ନକର୍ତ୍ତାଙ୍କୁ ବିରୋଧୀ ଦଳର ଭଡ଼ାଟିଆ ଗୁଣ୍ଡା ବୋଲି ଅଭିହିତ କରି ଜୋରଜବରଦସ୍ତ ବସାଇ ଦିଆଯାଏ।
ନେତା ହେବା ପାଇଁ କାହିଁକି ଏତେ ପ୍ରବଣତା। ନିର୍ବାଚନ ଲଢ଼ିବା ପାଇଁ କାହିଁକି ଏପରି ପାଗଳ ପ୍ରତିଯୋଗିତା? ନେତୃତ୍ୱରେ ଏମିତି କି ଅମୃତ ଅଛି ଯେ ଯାହା ପାନ କରିବାକୁ ସର୍ବୋଚ୍ଚ ହାକିମ ଚାକିରିକୁ ତୁଚ୍ଛ କରି ଅବା ଗୋଟିଏ ଅନ୍ତଃରାଷ୍ଟ୍ରୀୟ କମ୍ପାନୀର ବଡ଼ ଚାକିରି ଛାଡ଼ି ଲୋକେ ଭୋଟରଙ୍କ ଆଗରେ ଆଣ୍ଠୋଇ ପଡୁଛନ୍ତି। ଏ ପ୍ରଶ୍ନ କେବଳ ଆଜିର ନୁହେଁ, ବହୁକାଳ ଧରି ଏହା ଜନମାନସକୁ ଆନ୍ଦୋଳିତ କରିଆସୁଛି। ଜନତାର ଖଣ୍ଡିଏ ଭୋଟ୍‌ର ଯେ ମୂଲ୍ୟ କେତେ ତାହା ନେତା ଜାଣୁଛନ୍ତି। ଅଥଚ ଦୁର୍ଭାଗ୍ୟର ବିଷୟ ଜନତା ଜଣେ ନିଜେ ଜାଣୁନାହିଁ ଯେ ତା’ ଭୋଟ ଖଣ୍ଡକ କେତେ ଅମୂଲ ମୂଲ୍ୟ। ଗୋଟିଏ ଚିକେନ ମିଲ, ଗ୍ଲାସେ ମଦ ଓ ଦୁଇ ହଜାର ଟଙ୍କା ଗୋଟିଏ ସନ୍ଧ୍ୟାକୁ ସିନା ଉଜ୍ଜ୍ୱଳ ଉପଭୋଗରେ ରଙ୍ଗିନ କରିପାରେ, ମାତ୍ର ଏହା ସେହି ଭୋଟରର ଅବଶିଷ୍ଟ ଦିନଗୁଡ଼ିକ ସହିତ ସମଗ୍ର ଦେଶର ଆଗାମୀ ଭବିଷ୍ୟତକୁ ଯେ ଅନ୍ଧାର ଭିତରକୁ ଠେଲି ଦେଇପାରେ, ଏହା ଯେତେ ଶୀଘ୍ର ସେ ବୁଝିବ, ସେତେ ମଙ୍ଗଳ!
ପ୍ରଜ୍ଞା ନିଳୟ
ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri