Categories: ଖେଳ

ଆନାଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କଲେ ବୈଶାଳୀ

ଚେନ୍ନାଇ, ୨।୭(ପି.ଟି.)-  ଫିଡେ ପକ୍ଷରୁ ଆୟୋଜିତ ମହିଳା ସ୍ପିଡ୍‌ ଚେସ୍‌ ଚାମ୍ପିୟନଶିପ୍‌ ଦ୍ୱିତୀୟ ଚରଣର ପ୍ରଥମ ରାଉଣ୍ଡରେ ଭାରତର ଯୁବ ଗ୍ରାଣ୍ଡମାଷ୍ଟର ଆର. ବୈଶାଳୀ ବିଶ୍ୱର ୭ ନମ୍ବର ଖେଳାଳି ଆନା ମୁଜିଚୁକ୍‌ଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ପ୍ରଥମ ରାଉଣ୍ଡରେ ୪ର୍ଥ ସ୍ଥାନରେ ରହିଥିବା ବୈଶାଳୀ ଏଠାରେ ଏକଦା ୨-୪ରେ ପଛୁଆ ରହିଥିଲେ ହେଁ ସଫଳ ପ୍ରତ୍ୟାବର୍ତ୍ତନ କରି ୬-୪ରେ ବିଜୟୀ ହୋଇଥିଲେ। ୧୯ ବର୍ଷୀୟା ଏହି ଭାରତୀୟ ଖେଳାଳି ପ୍ରଥମ ଚରଣର ସେମିଫାଇନାଲରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଆନା ଉଷେନିନାଙ୍କଠାରୁ ହାରି ଯାଇଥିଲେ। ଏହାପରେ ପ୍ଲେ-ଅଫ୍‌ରେ ଆଲେକଜାଣ୍ଡ୍ରା କୋଷ୍ଟେନିକ୍‌ଙ୍କଠାରୁ ମଧ୍ୟ ପରାଜିତ ହୋଇଥିଲେ। ସ୍ପିଡ୍‌ ଚେସ୍‌ ଗ୍ରାଁ ପ୍ରିରେ ମୋଟ ୪ଟି ଚରଣ ଅନୁଷ୍ଠିତ ହେବ। ଭାଗ ନେଇଥିବା ୨୧ ଖେଳାଳି ଅତିକମ୍‌ରେ ଗ୍ରାଁ ପ୍ରିର ୩ଟି ଚରଣରେ ଅଂଶଗ୍ରହଣ କରିବେ। ପ୍ରତି ଗ୍ରାଁ ପ୍ରରେ ୧୬ ଖେଳାଳି ଖେଳିବେ। ଗ୍ରାଁ ପ୍ରି ଗୁଡ଼ିକ ପରେ ସର୍ବାଧିକ ପଏଣ୍ଟ ହାସଲ କରିଥିବା ୨ ଖେଳାଳିଙ୍କ ମଧ୍ୟରେ ସୁପର ଫାଇନାଲ ଜୁଲାଇ ୨୦ରେ ଅନୁଷ୍ଠିତ ହେବ।

Share