Categories: ଖେଳ

ମହିଳା ସ୍ପିଡ୍‌ ଚେସ୍‌: ପୂର୍ବତନ ବିଶ୍ୱ ଚାମ୍ପିୟନଙ୍କୁ ହରାଇଲେ ବୈଶାଳୀ

ଚେନ୍ନାଇ,୨୫।୬(ପି.ଟି.): ଫିଡେ ଚେସ୍‌.କମ୍‌ ମହିଳା ସ୍ପିଡ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଯୁବ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ବୈଶାଳୀ ବିପର୍ଯ୍ୟୟ ଘଟାଇ ଏକ ବଡ଼ ବିଜୟ ହାସଲ କରିଛନ୍ତି। ଚାମ୍ପିୟନଶିପ୍‌ର ଫାଷ୍ଟ ଲେଗ୍‌ରେ ବୈଶାଳୀ ପୂର୍ବତନ ବିଶ୍ୱ ଚାମ୍ପିୟନ ଆଣ୍ଟାଓନେଟା ଷ୍ଟିଫାନୋଭାଙ୍କୁ ପରାସ୍ତ କରିଛନ୍ତି। ତେବେ ଭାରତର ଅନ୍ୟତମ ତାରକା ଖେଳାଳି କୋନେରୁ ହମ୍ପି ପ୍ରଥମ ମ୍ୟାଚ୍‌ରେ ପରାଜୟ ବରଣ କରିଛନ୍ତି। ଏବେ କ୍ୱାର୍ଟର ଫାଇନାଲରେ ଚେନ୍ନାଇର ବୈଶାଳୀ ମଙ୍ଗୋଲିଆର ଅନ୍ତର୍ଜାତୀୟ ମାଷ୍ଟର ମୁନ୍‌ଖୁଜୁଲ ତୁରମୁଙ୍ଖ୍‌ଙ୍କୁ ଭେଟିବେ। ବୁଧବାର ବୈଶାଳୀ ବୁଲଗେରିଆରର ଷ୍ଟିଫାନୋଙ୍କୁ ୬-୫ ବ୍ୟବଧାନରେ ପରାସ୍ତ କରିଥିଲେ। ପୂର୍ବରୁ ମଧ୍ୟ ସେ ଭାଲେଣ୍ଟିନା ଗୁନିନା ଓ ଅଲିନା କାଶଲିନସ୍କ୍ୟାଙ୍କ ଭଳି ତାରକା ଖେଳାଳିଙ୍କୁ ପରାସ୍ତ କରିଥିଲେ।
ବିଶ୍ୱ ଚାମ୍ପିୟନ ହମ୍ପି ଭିଏତ୍‌ନାମ ପ୍ରତିଯୋଗୀଙ୍କଠାରୁ ପ୍ରଥମ ରାଉଣ୍ଡରେ ୪.୫- ୫.୫ ବ୍ୟବଧାନରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ଜଣେ ପୂର୍ବତନ ଚାମ୍ପିୟନଙ୍କୁ ହରାଇଥିବାରୁ ବେଶ୍‌ ଆନନ୍ଦିତ ଅଛି ବୋଲି ସେ କହିଛନ୍ତି। ଚେସ୍‌ ତାରକା ଆର. ପ୍ରଜ୍ଞାନନନ୍ଦାଙ୍କ ଭଉଣୀ ତଥା ୨୦୧୭ ଏସିଆନ୍‌ ବ୍ଲିଜ୍‌ ଚାମ୍ପିୟନଶିପ୍‌ ବିଜୟିନୀ ବୈଶାଳୀଙ୍କ ପାଇଁ କ୍ୱାର୍ଟର ଫାଇନାଲରେ ତୁରମୁଙ୍ଖ୍‌ ନିଶ୍ଚିତ ଭାବେ ଚ୍ୟାଲେଞ୍ଜ ସୃଷ୍ଟି କରିବେ। ୪ ଲେଗ୍‌ ବିଶିଷ୍ଟ ଏହି ଗ୍ରାଁ ପ୍ରି ତଥା ଚାମ୍ପିୟନଶିପ୍‌ରେ ମୋଟ ୨୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ପ୍ରତ୍ୟେକ ଖେଳାଳି ୪ଟିରୁ ୩ଟି ଗ୍ରାଁ ପ୍ରିରେ ଅଂଶଗ୍ରହଣ କରିବେ। ପ୍ରତ୍ୟେକ ଗ୍ରାଁ ପ୍ରି ୧୬ ଜଣ ଖେଳାଳି ବିଶିଷ୍ଟ ନକ୍‌ଆଉଟ୍‌ ଇଭେଣ୍ଟ। ଚାମ୍ପିୟନଶିପ୍‌ର ସୁପର ଫାଇନାଲ ଜୁଲାଇ ୨୦ ତାରିଖରେ ଖେଳାଯିବ।

Share