ନୂଆଦିଲ୍ଲୀ,୧୦।୯: ଦୁଲୀପ ଟ୍ରଫି ଫାଇନାଲ ଖେଳୁଥିବା ଭାରତର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଏହାପରେ ତୁରନ୍ତ ଦିଲ୍ଲୀରେ ଭାରତୀୟ ଦଳ ସହ ଯୋଗ ଦେବେ। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର ଟି-୨୦ ସିରିଜ ଖେଳାଯିବ। ଏହାର ପ୍ରଥମ ମ୍ୟାଚ ସେପ୍ଟେମ୍ବର ୧୩ରେ ଖେଳାଯିବ।
ଏହି ସିରିଜ ପୂର୍ବରୁ ICC ପକ୍ଷରୁ ନୂଆ ଟି-୨୦ ବ୍ୟାଟିଂ ରାଙ୍କିଙ୍ଗ ଜାରି କରାଯାଇଛି। ନୂଆ ରାଙ୍କିଙ୍ଗରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୁଇଟି ସ୍ଥାନର କ୍ଷତି ସହିବାକୁ ପଡ଼ିଛି। ସେ ଏବେ ୪୯ତମ ସ୍ଥାନକୁ ଖସିଛନ୍ତି।
ICC ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ଇଶାନ କିଶନ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେ ୯୧୦ ରେଟିଂ ପଏଣ୍ଟ ସହ ଏକ ନମ୍ବରରେ ରହିଛନ୍ତି। ଦ୍ୱିତୀୟ ସ୍ଥାନରେ ଥିବା ସାହିବଜାଦା ଫରହାନଙ୍କ ରେଟିଂ ୮୪୮। ସେହିପରି ଅଭିଷେକ ଶର୍ମା ୮୧୯ ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛନ୍ତି।
ଟପ-୫ରେ ମଧ୍ୟ ପରିବର୍ତ୍ତନ ହୋଇଛି। ଦକ୍ଷିଣ ଆଫ୍ରିକାର ଡେୱାଲ୍ଡ ବ୍ରେଭିସ ଗୋଟିଏ ସ୍ଥାନ ତଳକୁ ଖସି ୫ମ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କ ରେଟିଂ ୭୮୯। ଅନ୍ୟପଟେ ଇଂଲଣ୍ଡର ଫିଲ ସଲ୍ଟ ୭୯୯ ରେଟିଂ ସହ ୫ମରୁ ୪ର୍ଥ ସ୍ଥାନକୁ ଉଠିଛନ୍ତି। ବୈଭବ ସୂର୍ଯ୍ୟବଂଶୀଙ୍କ ରାଙ୍କିଙ୍ଗ ଖସିବାର କାରଣ ତାଙ୍କ ଖରାପ ଫର୍ମ ନୁହେଁ। ଭାରତୀୟ ଦଳ ଏହି ସମୟରେ କୌଣସି ଟି-୨୦ ମ୍ୟାଚ ଖେଳିନଥିବାରୁ ରାଙ୍କିଙ୍ଗରେ ଏହି ପରିବର୍ତ୍ତନ ହୋଇଛି।
ଆଫଗାନିସ୍ତାନ ବିପକ୍ଷ ଆଗାମୀ ଟି-୨୦ ସିରିଜରେ ବୈଭବଙ୍କୁ ଖେଳିବାର ସୁଯୋଗ ମିଳିଲେ ସେ ରାଙ୍କିଙ୍ଗରେ ପୁଣି ବଡ଼ ଲମ୍ଫ ଦେଇପାରନ୍ତି।

