ଟିକା ଅସମାନତା

ସାଫୁରା ଅବଦୁଲ୍‌ କରିମ୍‌

ଦକ୍ଷିଣ ଆଫ୍ରିକାରେ କୋଭିଡ୍‌-୧୯ର ନୂଆ ରୂପ ଓମିକ୍ରନ୍‌ ପ୍ରକାଶ ପାଇବା ପରେ ଏହାକୁ ନେଇ ସାମାଜିକ, ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ବିକଶିତ ଦେଶଗୁଡ଼ିକରେ ପ୍ରତିକ୍ରିୟା ପ୍ରକାଶପାଇଛି। ପୁଣି ମହାମାରୀକୁ ନେଇ ତୀବ୍ର ଅସମାନତା ମୁଣ୍ଡ ଟେକିଛି। ପୂର୍ବରୁ ମଧ୍ୟ ଦକ୍ଷିଣ ଆଫ୍ରିକୀୟ ଦେଶଗୁଡ଼ିକ ବିରୋଧରେ ତୀବ୍ର ଓ ଗମ୍ଭୀର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏପରିକି ଅବଶିଷ୍ଟ ବିଶ୍ୱକୁ ସୁରକ୍ଷିତ ରଖିବା ଲାଗି ସେଠାକାର ଯାତ୍ରୀମାନଙ୍କୁ ବାରଣ କରାଯାଇଥିଲା। କିନ୍ତୁ ବିଶ୍ୱ ସୁରକ୍ଷିତ ହୋଇନାହିଁ । ଏଣୁ ଭୟଙ୍କର ଓମିକ୍ରନ୍‌ ସଂକ୍ରମଣରେ ସୀମା ବନ୍ଦ କରିବା ଦ୍ୱାରା କିଛି କାମ ହେବ ନାହିଁ। ଅନ୍ୟପଟେ ଅନ୍ତର୍ଜାତୀୟସ୍ତରରେ ଦେଖାଦେଇଥିବା ଅସମାନତା ସାଧାରଣ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରତି ଅତ୍ୟନ୍ତ କ୍ଷତିକାରକ। କୋଭିଡ୍‌ ମହାମାରୀକୁ ପ୍ରତିହତ କରିବା ପାଇଁ ବିଶ୍ୱର ଅର୍ଦ୍ଧାଧିକ ଲୋକ ଟିକା ନେଇଥିବାବେଳେ ଗରିବ ଦେଶଗୁଡ଼ିକର ମାତ୍ର ୮% ଲୋକ ଟିକା ନେଇଛନ୍ତି। ନିମ୍ନ ତଥା ମଧ୍ୟମ ଆୟ ବର୍ଗର ଦେଶଗୁଡ଼ିକରେ ୪୮% ଲୋକ ଟିକା ନେଇଥିବାବେଳେ ଧନୀ ଦେଶଗୁଡ଼ିକର ଟିକାକରଣ ହାର ଏହାଠାରୁ ଯଥେଷ୍ଟ ଅଧିକ। ଆଫ୍ରିିକାର ସବୁ ଦେଶରେ ଯେତିକି ଟିକା ଦିଆଯାଇଛି ନଭେମ୍ବର ସୁଦ୍ଧା ତାହାର ଦୁଇଗୁଣ ଟିକା ଆମେରିକା ଦେଇଥିଲା। ଏହି ସଂଖ୍ୟାକୁ ଦେଖିଲେ ଟିକାକରଣ ହାର କମ୍‌ ଥିତ୍ବା ଦେଶଗୁଡ଼ିକରେ ଲଗାତର କୋଭିଡ୍‌ର ନୂଆ ରୂପ ବାହାରି ଶୀଘ୍ର ବ୍ୟାପିବା ସ୍ବାଭାବିକ ଓ ଏଥିରେ ମଧ୍ୟ ଆଶ୍ଚର୍ଯ୍ୟ ହେବା କିଛି କାରଣ ନାହିଁ। ଟିକା ପ୍ରସ୍ତୁତି ଓ ଯୋଗାଣରେ ଅସମାନତା ବା ପକ୍ଷପାତ ହଠାତ୍‌ ଆରମ୍ଭ ହୋଇନାହିଁ। ଧନୀ ଦେଶଗୁଡ଼ିକ ଅନ୍ୟ ଦେଶକୁ ସାହାଯ୍ୟ ନ କରି ନିଜର ସ୍ବାର୍ଥକୁ ଦେଖିତ୍ବା ନୀତି ଆପଣାଇବା ଓ ଟିକା ଗଚ୍ଛିତ ରଖିବା ଯୋଗୁ ଏହା ହୋଇଛି। ଏହାର ପରିଣାମ ଏବେ ଗରିବ ଦେଶଗୁଡ଼ିକୁ ଭୋଗିବାକୁ ପଡ଼ୁଛି। ଏପରିକି ଟିକା ଉପଲବ୍ଧ ହେଲା ପୂର୍ବରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଅଧନୋମ୍‌ ଘିବ୍ରେଏସୁସ୍‌ଙ୍କ ସମେତ ବହୁ ବିଶେଷଜ୍ଞ ଟିକା କ୍ଷେତ୍ରରେ ନିଜ ଦେଶର ସ୍ବାର୍ଥକୁ ଜଗି ଅନ୍ୟ ଗରିବ ଦେଶକୁ ସାହାଯ୍ୟ ନ କରିବାର ପରିଣାମ ସମ୍ପର୍କରେ ସତର୍କ କରି ଦେଇଥିଲେ। ଏହା ସତ୍ତ୍ୱେ ମଧ୍ୟ ଧନୀ ଦେଶଗୁଡ଼ିକ ଟିକା ଯୋଗାଣକୁ ଏକଚାଟିଆ କରି ଦେଇଛନ୍ତି। କେତେକ କ୍ଷେତ୍ରରେ ସେମାନଙ୍କ ଲୋକଙ୍କୁ ଟିକା ଦେବା ଲାଗି ୯ ଗୁଣରୁ ଅଧିକ ଟିକା କିଣିଛନ୍ତି।
ଚଳିତ ଗ୍ରୀଷ୍ମରେ ଏଭଳି ସ୍ଥିତିରେ କିଛି ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଥିତ୍ଲା। ଜୁନ୍‌ରେ ଜି୭ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ବଳକା ଟିକା ଗରିବ ଓ ମଧ୍ୟମ ଆୟ ବର୍ଗର ଦେଶଗୁଡ଼ିକୁ ଦେବା ପାଇଁ ସଙ୍କଳ୍ପ ନେଇଥିଲେ। ବିଶ୍ୱରେ କୋଭିଡ୍‌-୧୯ ଟିକାର ସହଜ ଓ ସମବଣ୍ଟନ ପ୍ର୍ରକ୍ରିୟା (କୋଭାକ୍ସ) ମାଧ୍ୟମରେ କିମ୍ବା ସିଧାସଳଖ ସେମାନେ ଟିକା ଯୋଗାଇଦେବାକୁ କଥା ଦେଇଥିଲେ। ହେଲେ ସେହି ସମୟରେ ଧନୀ ଦେଶରେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିଲା ଓ ଏହି କାରଣରୁ ଅନ୍ୟମାନଙ୍କ ମନରେ ଟିକା ପାଇବା ଆଶା ସଞ୍ଚାର ହୋଇଥିଲା । ଭାକ୍ସିନ ନ୍ୟାଶ୍‌ନାଲିଜମ୍‌ (ଅନ୍ୟ ଦେଶକୁ ଟିକା ନ ଦେଇ ନିଜର ସ୍ବାର୍ଥକୁ ଦେଖିତ୍ବା) ନୀତି ଓ ଗଚ୍ଛିତ ରଖିବା କାର୍ଯ୍ୟକଳାପ ଶେଷ ହେବ ଏବଂ ଟିକାର ଅତ୍ୟଧିକ ଆବଶ୍ୟକତା ଥିବା ଦେଶଗୁଡ଼ିକୁ ଏହା ନୂଆ ପଥ ଦେଖାଇବ ବୋଲି ମନେକରାଯାଉଥିଲା। କିନ୍ତୁ ଭାକ୍ସିନ ନ୍ୟାଶ୍‌ନାଲିଜମ ଶେଷ ନ ହୋଇ ବରଂ ବୃଦ୍ଧି ପାଇଛି। ଆମେରିକା ଭଳି ଧନୀଦେଶଗୁଡ଼ିକ କେତେକ ଟିକାର ଅତିରିକ୍ତ ଡୋଜ୍‌ ଦେବା ଆରମ୍ଭ କରିଦେଲେ। ନିକଟରେ ଟିକାର ଅତ୍ୟଧିକ ଆବଶ୍ୟକତା ଥିବା ଦେଶଗୁଡ଼ିକରେ ଟିକା ନ ପଞ୍ଚିବା ଯାଏ ଡବ୍ଲ୍ୟୁଏଚ୍‌ଓ ବୁଷ୍ଟର ଡୋଜ୍‌ ଉପରେ ପ୍ରତିବନ୍ଧକ ଲଗାଇବା ପୂର୍ବରୁ ଏଭଳି ଡୋଜ୍‌ ପାଇଁ ଆମେରିକା ୨୦ କୋଟି ଫାଇଜର ଟିକା କିଣିଥିଲା। ସେତେବେଳେ ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ ଆଡ୍‌ମିନିଷ୍ଟ୍ରେଶନ ତୃତୀୟ ଡୋଜ୍‌କୁ ବୁଷ୍ଟର ଡୋଜ୍‌ ଭାବେ ସ୍ବୀକୃତି ପ୍ରଦାନ କରି ନ ଥିଲା।
ବିକଶିତ ଦେଶଗୁଡ଼ିକର ବୁଷ୍ଟର ଡୋଜ୍‌ ନିମ୍ନ ଓ ମଧ୍ୟମ ବର୍ଗର ଗରିବ ଦେଶଗୁଡ଼ିକରେ ଟିକା ଅଭାବର ଏକ ମାତ୍ର କାରଣ ନୁହେଁ। କିଛି ମାସ ପୂର୍ବରୁ କାନାଡା, ସ୍ପେନ୍‌ ଏବଂ ଜର୍ମାନୀ ମଧ୍ୟ ଲକ୍ଷ ଲକ୍ଷ ଟିକା ନିମ୍ନ ଓ ମଧ୍ୟମ ବର୍ଗର ଦେଶଗୁଡ଼ିକୁ ସିଧାସଳଖ କିମ୍ବା କୋଭାକ୍ସ ମାଧ୍ୟମରେ ଟିକା ଦେବା ଲାଗି କଥା ଦେଇଥିଲେ। ତେବେ ଯୋଗାଇ ଦିଆଯାଇଥିବା ଏବକାର ଟିକା ସଂଖ୍ୟାକୁ ଦେଖିଲେ ଜଣାଯାଏ ଯେ,ଅନେକ ଧନୀ ସରକାର ସେମାନଙ୍କ ପ୍ରତିବଦ୍ଧତା ମୁତାବକ ଟିକା ଯୋଗାଇବାରେ ବିଫଳ ହୋଇଛନ୍ତି। ଇଂଲଣ୍ଡ ୭ କୋଟି ଟିକା ଦେବାକୁ କହିଥିଲା ,ହେଲେ ଏହି ସଂଖ୍ୟକ ଟିକାର ୭%ରୁ କମ୍‌ ଯୋଗାଇପାରିଛି। ଫାର୍ମସ୍ୟୁଟିକାଲ କମ୍ପାନୀ ଏବଂ ଧନୀ ଦେଶଗୁଡ଼ିକ ଗରିବ ଦେଶମାନଙ୍କରେ ଦୁର୍ବଳ ଟିକାକରଣ ପାଇଁ ଭାକ୍ସିନ ହେଜିଟାନ୍ସି (ଟିକାଗ୍ରହଣ କରିବାରେ ବିଳମ୍ବ କରିବା କିମ୍ବା ମନା କରିଦେବା) ଏବଂ ଦୁର୍ବଳ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାକୁ ମୁଖ୍ୟତଃ ଦାୟୀ କରିଛନ୍ତି। ଇଣ୍ଟର୍‌ନ୍ୟାଶନାଲ ଫେଡେରେଶନ ଅଫ୍‌ ଫାର୍ମାସ୍ୟୁଟିକାଲ ମାନୁଫାକ୍‌ଚର୍ସ ଆଣ୍ଡ୍‌ ଆସୋସିଏଶନ ଦ୍ୱାରା ଆୟୋଜିତ ଏକ କୋଭିଡ୍‌-୧୯ ମିଡିଆ ବାର୍ତ୍ତାରେ ଫାଇଜର ସିଇଓ ଆଲର୍ବଟ ବୋର୍ଲା କହିଥିଲେ ଯେ, ସବ୍‌ ସାହାରାନ ଆଫ୍ରିକାରେ ଭ୍ୟାକ୍ସିନ ହେଜିଟାନ୍ସି ସ୍ତର ୟୁୁରୋପ କିମ୍ବା ଆମେରିକା ବା ଜାପାନଠାରୁ ଅଧିକ । ଏହି ତଥ୍ୟ ଉପସ୍ଥାପନ କରିବା ସତ୍ତ୍ୱେ ବି ବହୁ ଧନୀ ଦେଶ ତୁଳନାରେ ଭାକ୍ସିନ ହେଜିଟାନ୍ସି ହାର ଆଫ୍ରିକାରେ କମ୍‌ ରହିଛି। ନିମ୍ନ ପ୍ରତିଶତର ଟିକାକରଣ ଦୋଷ ହଟାଇ ଅନ୍ୟ ଉପରେ ଲଦି ଦେବା ଲାଗି ବୋର୍ଲାଙ୍କ ଏଭଳି ଉଦ୍ୟମ ଫାଇଜରର ଲାଭକୁ ସାବ୍ୟସ୍ତ କରିବାର ପ୍ରୟାସ ଥିଲା। କୋଭିଡ୍‌ ମହାମାରୀ ଆରମ୍ଭ ହେବାଠାରୁ ଫାଇଜର କମ୍ପାନୀ ଆଫ୍ରିକୀୟ ଟିକା ଉପତ୍ାଦନକାରୀଙ୍କ ସହ ଯେତିକି ଭାକ୍ସିନ ଟେକ୍‌ନୋଲୋଜି ଶେୟାର କରିଛି ତାଠାରୁ ଅଧିକ ଲାଭଦାୟକ ଚୁକ୍ତି କରିଛି ଧନୀ ଦେଶଗୁଡ଼ିକ ସହ ଏବଂ ଏହି ଚୁକ୍ତିକୁ ବି ପ୍ରାଥମିକତା ଦେଇଛି। କିନ୍ତୁ ଆଷ୍ଟ୍ରାଜେନିକା ଭାରତର ସିରମ୍‌ ଇନଷ୍ଟିଚ୍ୟୁଟ୍‌ ସହ ଏକ ଲାଇସେନ୍ସ ବ୍ୟବସ୍ଥା କରି ତା’ ମାଧ୍ୟମରେ ଏହାର ଟିକା କିଭଳି ସମାନ ଭାବେ ପାଇପାରିବେ ତାହାର ଆୟୋଜନ କରିଥିଲାବେଳେ ଏବେ ପ୍ରକାଶ କରିଛି ଯେ, ଲାଭ ପାଇବା ଲାଗି ତା’ ଟିକାର ଦାମ୍‌ ବୃଦ୍ଧି କରିବା ଆରମ୍ଭ କରିବ। ମହାମାରୀ ସତେ ଯେମିତି ଶେଷ ହୋଇ ଯାଇଛି, ତାହା ଏହି ନିଷ୍ପତ୍ତିରୁ ଜଣାପଡ଼ୁଛିି। ବାସ୍ତବରେ ଏହା ଏକ ଚିନ୍ତାଜନକ ଓ ପଥଭ୍ରଷ୍ଟ ଚିନ୍ତାଧାରାକୁ ସୂଚାଉଛି।
ଆଫ୍ରିକୀୟ ଦେଶଗୁଡ଼ିକର ଭିତ୍ତିଭୂମି ଓ ଟିକା ଦେବା ଦକ୍ଷତା ଅଭାବ ରହିଛି ବୋଲି ଧନୀଦେଶଗୁଡ଼ିକ ସେମାନଙ୍କ ଉପରେ ଦୋଷ ଲଦୁଛନ୍ତି। କିନ୍ତୁ କେଉଁ ପରିସ୍ଥିତିରେ ସେହି ଦେଶଗୁଡ଼ିକରେ ଟିକା ପହଞ୍ଚିଛି ସେ ସମ୍ପର୍କରେ ଆଲୋଚନା କରାଯାଉନାହିଁ। ଆଗୁଆ ନ ଜଣାଇ ଖୁବ୍‌ କମ୍‌ ଦିନରେ ଏକ୍ସପାଏରି ହେବାକୁ ଥିବା ଟିକା ଦିଆଯାଇଛି। କେଉଁ ପ୍ରକାର, କେତେ ସଂଖ୍ୟକ ଏବଂ ପହଞ୍ଚିବାକୁ ଥିବା ଟିକାର ଅବସ୍ଥା ସମ୍ପର୍କରେ କିଛି ସୂଚନା ଦିଆଯାଇ ନଥିବାରୁ ସ୍ବାସ୍ଥ୍ୟ କର୍ମଚାରୀମାନେ ଠିକ୍‌ ସମୟରେ ଦେବାର ପ୍ରସ୍ତୁତିରେ ସକ୍ଷମ ହୋଇନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ସବୁ ଆହ୍ବାନ ସତ୍ତ୍ୱେ, ଆଫ୍ରିକୀୟ ଦେଶଗୁଡ଼ିକ ଗ୍ରହଣ କରିଥିବା ଟିକାର ୬୫% ଦେବାକୁ ସକ୍ଷମ ହୋଇଛନ୍ତି। ଅନ୍ୟକୁ ଦୋଷ ଦେଇ ନିଜର ଅପାରଗତାକୁ ଲୁଚାଇବାର ଉଦ୍ୟମ ହେଉଛି। କିନ୍ତୁ ବାସ୍ତବତା ହେଉଛି , ଆଫ୍ରିକାରେ ଟିକା ପହଞ୍ଚିବା ଓ ଲୋକଙ୍କୁ ଦେବା ହାର କମ୍‌ ରହିବା ପଛରେ ଧନୀଦେଶଗୁଡ଼ିକ ଅଧିକ ଟିକା ଗଚ୍ଛିତ ରଖିବା ଓ ନିଜ ଜାତୀୟ ସ୍ବାର୍ଥ ନୀତି ଯୋଗୁ ହୋଇଛି। ଟିକା ବଣ୍ଟନ କ୍ଷେତ୍ରରେ ଦେଖାଯାଇଥିବା ଏଭଳି ପକ୍ଷପାତ ବା ଅସମାନତାକୁ ସୁଧାରିବାରେ ଧନୀ ଦେଶଗୁଡ଼ିକ ମଧ୍ୟ ବାଧା ସୃଷ୍ଟି କରୁଛନ୍ତି। ଧନୀ ଦେଶଗୁଡ଼ିକ ନିଜ ସୀମା ମଧ୍ୟରେ ଟିକା ଯୋଗାଣକୁ ସୀମିତ ରଖିବା ଏବଂ ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡ଼ିକର ଲାଭ ବୃଦ୍ଧି କରିବା ମନୋଭାବ କାରଣରୁ ଟିକା ଉପଲବ୍ଧ କ୍ଷେତ୍ରରେ ଅସମାନତା ସୃଷ୍ଟି ହୋଇଛି। ଧନୀ ଦେଶମାନଙ୍କ ସରକାର ଓ ଫାର୍ମାସ୍ୟୁଟିକାଲ କମ୍ପାନୀ ଯେଉଁମାନେ ଟିକା ସମାନ ଭାବେ ବଣ୍ଟନ କରିବାକୁ ଅଗ୍ରହ ପ୍ରକାଶ କରୁଛନ୍ତି ସେମାନଙ୍କ ପାଇଁ ଏବେ ଉପଯୁକ୍ତ ସମୟ ଉପନୀତ। ଏକ୍ଷତ୍ରରେ ସେମାନେ ଉଲ୍ଲେଖନୀୟ ଭୂମିକା ତୁଲାଇପାରିବେ। ମନେରଖିବାକୁ ହେବ, ଯେପର୍ଯ୍ୟନ୍ତ ସମସ୍ତେ କୋଭିଡ୍‌-୧୯ ଟିକା ପାଇପାରିନାହାନ୍ତି, ସେଯାଏ ପୃଥିବୀରେ କେହି ଜଣେ ହେଲେ ବି ସୁରକ୍ଷିତ ନୁହନ୍ତି।
ପବ୍ଲିକ୍‌ ହେଲ୍‌ଥ ଲୟର,ୟୁୁନିଭର୍ସିଟି ଅଫ୍‌ କାଓ୍ବାଜୁଲା ନାଟାଲ, ଦକ୍ଷିଣ ଆଫ୍ରିକା


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri