କଟକ ମହାନଗର ନିଗମର ଦାୟିତ୍ୱହୀନତା: ରାସ୍ତାରେ ପଡୁଛି ବ୍ୟବହୃତ ପିପିଇ କିଟ୍‌

କଟକ ଅଫିସ,୨୩।୮: କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ (ପିପିଇ କିଟ୍‌) ବ୍ୟବହାର ହେଉଛି ସତ; କିନ୍ତୁ ଏହାପରେ ତାକୁ ରାସ୍ତା ଉପରେ ଫୋପାଡ଼ିଦେବା ଭଳି ଦାୟିତ୍ୱହୀନତା ଏବେ କଟକ ମହାନଗର ନିଗମ (ସିଏମ୍‌ସି)ରେ ଦେଖିବାକୁ ମିଳୁଛି। ପିପିଇ କିଟ୍‌ ବ୍ୟବହାର ପରେ ତାକୁ ପୋଡ଼ିବା କିମ୍ବା ପୋତିବା ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ତାହା ଏବେ ରାସ୍ତାରେ ପଡ଼ି ସଂକ୍ରମଣ ଭୟ ସୃଷ୍ଟି କରୁଛି।

ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ପରିମଳ ବ୍ୟବସ୍ଥାକୁ ସିଏମ୍‌ସି ଗୁରୁତ୍ୱ ଦେଉଥିବା କହୁଛି। ଡୋର୍‌ ଟୁ ଡୋର୍‌ ସାନିଟାଇଜ ମଧ୍ୟ କରାଯାଉଛି। ଦିନରେ ସିଏମ୍‌ସିର କାମ ଭଲ ରହୁଛି; କିନ୍ତୁ ରାତି ହେଲେ ସହରରୁ ବାହାରୁଥିବା ଅଳିଆ ଭିତରେ ପିପିଇ କିଟ୍‌ଗୁଡ଼ିକ ପକାଇ ଦିଆଯାଉଛି। ଶନିବାର ସତୀଚଉରାସ୍ଥିତ ଡମ୍ପିଂୟାର୍ଡରେ ସିଏମ୍‌ସିର ଗାଡ଼ି ଯେଉଁ ଅଳିଆ ଗଦା କରିଥିଲା, ସେଥିରେ ବ୍ୟବହୃତ ପିପିଇ କିଟ୍‌ ପଡ଼ିରହିଥିଲା। ଉଲ୍ଲେଖଯୋଗ୍ୟ, ପିପିଇ କିଟ୍‌କୁ ଥରେ ବ୍ୟବହାର ପରେ ଏହାକୁ ସ୍ବତନ୍ତ୍ର ପ୍ୟାକେଜିଂ କରି ବାୟୋ ମେଡିକାଲ ୱେଷ୍ଟ ପ୍ଲାଣ୍ଟରେ ଏହାକୁ ନଷ୍ଟ କରାଯାଇଥାଏ। କିନ୍ତୁ ଏହାକୁ ଖୋଲାଖୋଲି ରାସ୍ତାରେ ଫୋପାଡ଼ି ଦିଆଯାଉଛି। ଫଳରେ ଅଳିଆ ଉଠାଇବା କାର୍ଯ୍ୟରେ ନିୟୋଜିତ କର୍ମଚାରୀ କିମ୍ବା ପ୍ଲାଷ୍ଟିକ ଗୋଟାଉଥିବା କବାଡ଼ିବାଲା ଏହାଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ରହିଛି।

ଏ ନେଇ ସିଏମ୍‌ସିର ପରିମଳ ଅଧିକାରୀ ତଥା ଡେପୁଟି କମିଶନର ସଞ୍ଜୀବିତା ରାୟ କହିଛନ୍ତି, ସମସ୍ତ କୋଭିଡ୍‌ ହସ୍ପିଟାଲ କିମ୍ବା କୋଭିଡ୍‌ କେୟାର ସେଣ୍ଟରରୁ ବାହାରୁଥିବା ପିପିଇ କିଟ୍‌କୁ ନଷ୍ଟ କରିବା ପାଇଁ ବିଭିନ୍ନ ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଛି। ସେମାନେ କିଟ୍‌କୁ ପୋଡ଼ି ଦେଉଛନ୍ତି, ନଚେତ୍‌ ପୋତି ଦେଉଛନ୍ତି। ବାହାର ଅଳିଆଗଦାରେ ଏହା ପଡୁ ନ ଥିବା ସେ କହିଛନ୍ତି।