Categories: ଖେଳ

ୟୁଏସ୍‌ ଓପନ୍‌:ବ୍ରାଡି- ଓସାକା ସେମିଫାଇନାଲ

ନ୍ୟୁୟର୍କ,୧୦।୯(ଏପି): ୟୁଏସ୍‌ ଓପନ୍‌ ଟେନିସ ଟୁର୍ନାମେଣ୍ଟର ୯ମ ଦିବସରେ ମହିଳା ସିଙ୍ଗଲ୍ସ ଇଭେଣ୍ଟର ପ୍ରଥମ ସେମିଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଚତୁର୍ଥ ସିଡ୍‌ ଖେଳାଳି ଜାପାନର ନାଓମି ଓସାକା ଓ ୨୮ତମ ସିଡ୍‌ ଆମେରିକାର ଜେନିଫର ବ୍ରାଡି ପରସ୍ପରକୁ ସେମିରେ ଭେଟିବା ନିଶ୍ଚିତ ହୋଇଛି। ମଙ୍ଗଳବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମୁକାବିଲାରେ ବ୍ରାଡି ୬-୩, ୬-୨ ସେଟ୍‌ରେ କାଜାଖସ୍ତାନର ୨୩ତମ ସିଡ୍‌ ଖେଳାଳି ୟୁଲିଆ ପୁଟିନଶେଭାଙ୍କୁ ହରାଇ ଏକ ବୃହତ୍‌ ବିଜୟ ହାସଲ କରିବା ସହ ସେମିଫାଇନାଲରେ ପ୍ରବେଶ କରିଛନ୍ତି। କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ କ୍ୱାର୍ଟର ଫାଇନାଲରେ ସାମାନ୍ୟ ନର୍ଭସ ଥିଲି। ତେବେ ପରେ ଭଲ ଖେଳିବା ପାଇଁ ଆତ୍ମ ବିଶ୍ୱାସ ପାଇଥିଲି ବୋଲି ୨୫ ବର୍ଷୀୟ ବ୍ରାଡି କହିଛନ୍ତି।
ସେହିପରି ଅନ୍ୟଏକ କ୍ୱାର୍ଟର ଫାଇନାଲରେ ଓସାକା ୬-୩, ୬-୪ ସେଟ୍‌ରେ ଆମେରିକାର ଅଣସିଡ୍‌ ଖେଳାଳି ସେଲବି ରୋଜର୍ସଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୨ ବର୍ଷୀୟ ଓସାକା ବିଜୟୀ ହେବା ପାଇଁ ଏକ ଘଣ୍ଟା ୨୦ ମିନିଟ୍‌ ସମୟ ଆବଶ୍ୟକ କରିଥିଲେ। ଓସାକା ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୯ମ ସ୍ଥାନରେ ରହିଥିବା ବେଳେ ରୋଜର୍ସ ୯୩ତମ ସ୍ଥାନରେ ରହିଛନ୍ତି। ପୂର୍ବରୁ ରୋଜର୍ସଙ୍କଠାରୁ ଓସାକା ୩ଥର ପରାସ୍ତ ହୋଇଥିବା ବେଳେ ଏଥର କିନ୍ତୁ ଏହି ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି। ରୋଜର୍ସଙ୍କୁ ପୂର୍ବରୁ କେବେ ହରାଇ ନ ଥିଲି। ତେଣୁ ସେ ଫେଭରାଇଟ୍‌ ବୋଲି ଧରି ନେଇଥିଲି। ଶେଷରେ ତାଙ୍କୁ ପରାସ୍ତ କରିବା ସେତେଟା ସହଜ ନ ଥିଲା ବୋଲି ଓସାକା କହିଛନ୍ତି। ଏଥିସହିତ ଗତ ୩ ବର୍ଷ ମଧ୍ୟ ଓସାକା ଦ୍ୱିତୀୟଥର ପାଇଁ ୟୁଏସ୍‌ ଓପନ୍‌ ସେମିଫାଇନାଲରେ ପ୍ରବେଶ କରିଛନ୍ତି। କେତେକ ତାରାକା ଖେଳାଳିଙ୍କ ଅନୁପସ୍ଥିତିରେ ଓସାକା ଏଥର ମଧ୍ୟ ଟାଇଟଲ ଫେଭରାଇଟ୍‌ ବିବେଚିତ ହେଉଛନ୍ତି।
ଅନ୍ୟ ଦୁଇଟି କ୍ୱାର୍ଟର ଫାଇନାଲରେ ତୃତୀୟ ସିଡ୍‌ ଅଭିଜ୍ଞ ଆମେରିକୀୟ ଖେଳାଳି ସେରେନା ଓ୍ବିଲିୟମ୍ସ ଓ ବୁଲଗେରିଆର ଶ୍ୱେତାନା ପିରୋଙ୍କୋଭା ପରସ୍ପରକୁ ଭେଟିବେ। ସେହିପରି ଚତୁର୍ଥ କ୍ୱାର୍ଟର ଫାଇନାଲରେ ବେଲାରୁଷର ଭିକ୍ଟୋରିଆ ଆଜାରେଙ୍କା ଓ ୨୬ତମ ସିଡ୍‌ ଖେଳାଳି ବେଲଜିୟମ୍‌ର ଏଲିସ୍‌ ମେର୍ଟେନ୍ସ ମୁହଁାମୁହିଁ ହେବେ। ବୁଧବାର ଏହି ଦୁଇଟି କ୍ୱାର୍ଟର ଫାଇନାଲ ଖେଳାଯିବ।

Share