ଅସୁରକ୍ଷିତ ପ୍ରାଣୀ ଚିକିତ୍ସାଳୟ

ଖଇରା, ୨୬।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ ସରିବାର ପାଖାପାଖି ସାଢେ ୩ବର୍ଷ ବିତିଗଲାଣି। ନୂଆ କାନ୍ଥରେ ଶିଉଳି ଲାଗି ପୁରୁଣା ଭଳି ଦେଖାଗଲାଣି। ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ସ୍ଥାଣୁ ହୋଇବସିଛି। ପ୍ରାଣୀ ଚିକିତ୍ସକ ଓ ଅନ୍ୟମାନେ ବାଧ୍ୟ ହୋଇ ପୁରୁଣା ଅସୁରକ୍ଷିତ ଚିକିତ୍ସାଳୟରେ ଦାୟିତ୍ୱ ତୁଲାଉଛନ୍ତି। ତୁରନ୍ତ ଚିକିତ୍ସାଳୟ କିଭଳି ନତନ ଗୃହକୁ ସ୍ଥାନାନ୍ତର ହୋଇପାରିବ ସେଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ପ୍ରାଣୀପାଳକମାନେ ଦାବି କରିଛନ୍ତି।
ନୂତନ ଚିକିତ୍ସାଳୟ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅନ୍ୟୁନ ୨୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।
୨୦୧୯ ଜାନୁଆରୀରେ କାମ ଶେଷ ହୋଇଥିଲା। ତେବେ ବିଭାଗ ଠିକାଦାରଙ୍କୁ ଏଷ୍ଟିମେଟଠାରୁ ଅଧିକ କାର୍ଯ୍ୟ କରାଇ ବିଲ୍‌ ପେମେଣ୍ଟ ନ କରିବା ନେଇ ଚାଲିଥିବା ବିବାଦ ଘର ହସ୍ତାନ୍ତର ନ ହେବାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଖଇରା ପ୍ରାଣୀ ଚିକିତ୍ସାଳୟକୁ ଦୈନିକ ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ପ୍ରାଣୀ ଚିକିତ୍ସା ସମ୍ବନ୍ଧୀୟ ପରାମର୍ଶ ନେବାକୁ ଆସିଥାନ୍ତି। କିଛି ଇଞ୍ଜେକଶନ ଦେବା ତଥା ଔଷଧ ସେବନ କରାଇବାକୁ ଗାଈ ଓ ଛେଳିକୁ ସାଙ୍ଗରେ ନେଇ ଆସିଥାନ୍ତି। ହେଲେ ପ୍ରାଣୀମାନଙ୍କୁ ସୁରକ୍ଷିତ ସ୍ଥାନରେ ଛିଡା କରାଇବାକୁ ପୁରୁଣା କାର୍ଯ୍ୟାଳୟରେ ଆନୁଷଙ୍ଗିକ ବ୍ୟବସ୍ଥା ନ ରହିବା, ଷ୍ଟୋର ରୁମ୍‌ ଅଭାବ ତଥା ବହୁବର୍ଷର ପୁରୁଣା ଗୃହ ଧୀରେ ଧୀରେ ଅସୁରକ୍ଷିତ ହୋଇପଡୁଥିବା କାରଣକୁ ଦୃଷ୍ଟିରେ ରଖି ନୂତନ ଗୃହ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଥିଲା।
ହେଲେ ଗୃହ ନିର୍ମାଣ ହୋଇସାରିବା ପରେ ମଧ୍ୟ ୩ବର୍ଷ ଧରି ଅବ୍ୟବହୃତ ହୋଇପଡିବା ସରକାର ରାଜସ୍ବ ଅପଚୟ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏ ସମ୍ପର୍କରେ ବିଭାଗର ସହକାରୀ ଯନ୍ତ୍ରୀ ପ୍ରିୟରଞ୍ଜନ ବେହେରାଙ୍କୁ ଯୋଗାଯୋଗ କରିବାରେ ସେ କାର୍ଯ୍ୟରେ ଯୋଗଦେବା ପରେ କେହି ତାଙ୍କୁ ଏ ବିଷୟରେ ଅଭିଯୋଗ କରିନାହାନ୍ତି ା କିଭଳି କାର୍ଯ୍ୟକ୍ଷମ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି।