ଥୁଆମୂଳ ରାମପୁର କଲେଜରେ ଅଶାନ୍ତି: ଛାତ୍ର ସଂସଦ ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଛାତ୍ରୀଛାତ୍ରଙ୍କ ଧାରଣା

ଥୁଆମୂଳ ରାମପୁର,୧୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ସ୍ଥିତ ସରକାରୀ ଯୁକ୍ତ ତିନି ମହାବିଦ୍ୟାଳୟରେ ଛାତ୍ର ସଂସଦ ଚୟନ ପ୍ରକ୍ରିୟାକୁ ନେଇ କ୍ୟାମ୍ପସରେ ବ୍ୟାପକ ଅଶାନ୍ତି ଓ ଉତ୍ତେଜନା ଦେଖାଦେଇଛି । ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ନଂ. ୫୩୨୩୭/୨୬ ଏବଂ ଲିଙ୍ଗଡୋ କମିଟିର ସୁପାରିଶ ଅନୁସାରେ ଗୁରୁବାର ଚୂଡ଼ାନ୍ତ ଚୟନ ଫଳାଫଳ ପ୍ରକାଶ ପାଇଥିଲେ ମଧ୍ୟ ସମଗ୍ର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଅପରାହ୍ନ ୨:୦୦ ଟାରୁ ସନ୍ଧ୍ୟା ୫:୦୦ ଟା ପର୍ଯ୍ୟନ୍ତ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।

ଗୁରୁବାର ପ୍ରକାଶିତ ସରକାରୀ ବିଜ୍ଞପ୍ତି ନଂ. ୩୭୫/୨୬ ଅନୁଯାୟୀ, +୩ ତୃତୀୟ ବର୍ଷ କଳା ଛାତ୍ର ଲୋକେଶ୍ୱର ନାଏକ ସଭାପତି, ଛାତ୍ରୀ ରିଙ୍କି ନାଏକ ସହ-ସଭାପତି, ଛାତ୍ରୀ ମାଧବୀ ମାଝୀ ସାଧାରଣ ସମ୍ପାଦକ, ଛାତ୍ର ଡିମ୍ପଲ୍ ନାଏକ କ୍ରୀଡ଼ା ସମ୍ପାଦକ ଏବଂ ରିତୁମ୍ବରା ନାଏକ ନାଟକ ସଂସଦ ସମ୍ପାଦକ ଭାବେ ଚୟନ ହୋଇଛନ୍ତି। ମାତ୍ର ଏହି ଚୟନ ପ୍ରକ୍ରିୟାକୁ ବିରୋଧ କରି ଛାତ୍ରୀଛାତ୍ରମାନେ ତହସିଲଦାରଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।

ଛାତ୍ରୀଛାତ୍ରଙ୍କ ଅଭିଯୋଗ ଅନୁଯାୟୀ, କର୍ତ୍ତୃପକ୍ଷ ପ୍ରଥମେ ନିର୍ବାଚନ ହେବ କହି ନାମାଙ୍କନ ପତ୍ର ଗ୍ରହଣ କରିଥିଲେ, ଯୋଦି ଇଲେକ୍ସନ ହେବାର ହିଁ ନଥିଲା ତେବେ ପ୍ରାର୍ଥୀ ପତ୍ର ଦାଖଲ କରାଇଲେ କାହିଁକି। ଏବଂ ମାତ୍ର ପରବର୍ତ୍ତୀ ସମୟରେ ପ୍ରିନ୍ସିପାଲ ଇଞ୍ଚାର୍ଜ ସର୍ବେଶ୍ୱର ଉଠାନ ସିଂହ ହଠାତ୍ ସିଲେକ୍ସନ ପ୍ରକ୍ରିୟା ହେବ ବୋଲି ଘୋଷଣା କଲେ। ପୂର୍ବରୁ କୌଣସି ନିୟମାବଳୀ କିମ୍ବା ନୋଟିସ୍ ନ ଦେଇ ସିଧାସଳଖ ଚୟନ ତାଲିକା ପ୍ରକାଶ କରାଯିବାରୁ ସେମାନେ ନିଜର ଗଣତାନ୍ତ୍ରିକ ‘ମତଦାନ ଅଧିକାର’ ରୁ ବଞ୍ଚିତ ହୋଇଛନ୍ତି ବୋଲି ଦାବି କରିଛନ୍ତି। ଅନ୍ୟପକ୍ଷରେ, ଗୁରୁବାର ଚୟନ ପ୍ରକ୍ରିୟା ଚାଲିଥିବା ବେଳେ ପ୍ରିନ୍ସିପାଲ ମାତ୍ର ୧୧:୩୦ ରେ କଲେଜକୁ ଆସି ଦିନ ୧୨:୦୦ ଟା ବେଳକୁ ଚାଲିଯାଇଥିଲେ। ନିଜେ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱରେ ଥାଇ ସେ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ କାହିଁକି ରହିଲେ ନାହିଁ ଏବଂ ତାଙ୍କ ଅନୁପସ୍ଥିତିରେ ଚୟନ ପତ୍ରରେ କିଏ ଦସ୍ତଖତ କଲା— ଏହାକୁ ନେଇ ଛାତ୍ରଛାତ୍ରୀମାନେ ପ୍ରଶ୍ନ ଉଠାଇବା ସହ ପ୍ରିନ୍ସିପାଲ ଓ ଅଧ୍ୟାପକମାନଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ‘ମୁର୍ଦାବାଦ’ ନାରା ଦେଇଥିଲେ।

ପରିସ୍ଥିତି ଗମ୍ଭୀର ହେବାରୁ ଘଟଣାସ୍ଥଳରେ ପୋଲିସ ଏବଂ ଅତିରିକ୍ତ ତହସିଲଦାର୍ ତପନ କୁମାର ପତି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଛାତ୍ରୀଛାତ୍ରଙ୍କୁ ବୁଝାସୁଝା କରିଥିଲେ। ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ବାତିଲ ହେବା ସହ ପୁନଃ ଇଲେକ୍ସନ ନ ହେଲେ୧୬ ତାରିଖରେ ହେବାକୁଥିବା ଶପଥ ପାଠ ସମାରୋହ କରାଇ ଦେବୁ ନାହିଁ କିମ୍ବା ଆମେ ମଧ୍ୟ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏତଦ୍‌ବ୍ୟତୀତ, କଲେଜରେ ରାଜନୈତିକ ହସ୍ତକ୍ଷେପ ମନା ଥିଲେ ମଧ୍ୟ କ୍ୟାମ୍ପସକୁ ଭାଜପା କର୍ମୀ ଓ ସ୍ଥାନୀୟ ନେତା ଆସୁଥିବା ନେଇ ଛାତ୍ରୀଛାତ୍ରମାନେ ଅଭିଯୋଗ ଆଣିଛନ୍ତି। ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ମାଝୀ ପୂର୍ବରୁ କେବେ କଲେଜକୁ ନ ଆସି ବର୍ତ୍ତମାନ ନିର୍ବାଚନ ସମୟରେ ନିଜ ଗାଡ଼ିରେ କିଛି ଛାତ୍ରୀଛାତ୍ରଙ୍କୁ ନେଇ ହେଲୋ ପଏଣ୍ଟରେ ଭୋଜିଭାତ କରୁଥିବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। କଲେଜ ଖୋଲିବାର ୩ ବର୍ଷ ବିତିଯାଇଥିଲେ ହେଁ ନିଜସ୍ୱ ସ୍ଥାୟୀ କୋଠା, ଶୌଚାଳୟ ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ନଥିବା ବେଳେ ନିର୍ବାଚନ ସମୟରେ ଏଭଳି ଅନିୟମିତତାକୁ କଦାପି ଗ୍ରହଣ କରାଯିବ ନାହିଁ ବୋଲି ଛାତ୍ରୀଛାତ୍ରମାନେ ଚେତାବନୀ ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Share