ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି। ତଲନାଗିରୁ ଘୁଟ୍ରୁଖାଲା ହୋଇ ମାଲିଗାଁକୁ ଯୋଡ଼ିବା ପାଇଁ ଘୁଟ୍ରୁଖାଲାଠାରେ ୧୨୫ କୋଟି ଟଙ୍କାର ବୃହତ ପ୍ରକଳ୍ପ ଅଧୀନରେ ୨୪୬ ମିଟର ଦୀର୍ଘ ଏକ ଉଚ୍ଚସ୍ତରୀୟ ସେତୁ ନିର୍ମାଣ ନେଇ ପ୍ରାରମ୍ଭିକ ଡିଜିଟାଲ ଜିପିଏସ (ଡିଜିପିଏସ) ସର୍ଭେ କାର୍ଯ୍ୟ ମଙ୍ଗଳବାର ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ପୂର୍ତ୍ତ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଓ ଯନ୍ତ୍ରୀ ଦଳ ପ୍ରକଳ୍ପ ସ୍ଥଳରେ ଉପସ୍ଥିତ ରହି ସୁଚାରୁ ରୂପେ ଏହି ସର୍ଭେ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି।

ଏହି ସର୍ଭେ ସମୟରେ ପୂର୍ତ୍ତ ବିଭାଗର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ନନ୍ଦ କିଶୋର କରାର, ଚିଫ୍ କନଷ୍ଟ୍ରକ୍ସନ ଇଞ୍ଜିନିୟର ବିଜନ କୁମାର ଜେନା, ସବ-ଡିଭିଜନାଲ ଅଫିସର ଅନନ୍ତ ପ୍ରଧାନ ଏବଂ କନିଷ୍ଠ ଯନ୍ତ୍ରୀ ମିନିକେତନ କାର୍ଜୀ ପ୍ରମୁଖ ସ୍ଥଳପରିଦର୍ଶନ କରି ଡିଜିପିଏସ ଯନ୍ତ୍ରାଂଶ ମାଧ୍ୟମରେ ସେତୁର ସଠିକ୍ ପରିମାପ, ଭୌଗୋଳିକ ସ୍ଥିତି ଓ ନିର୍ମାଣ ସ୍ଥଳ ଯାଞ୍ଚ କରିଥିଲେ।

ପ୍ରକାଶଯୋଗ୍ୟ ଯେ, ଏହି ପ୍ରକଳ୍ପ ଅଧୀନରେ ୨୪୬ ମିଟର ଦୀର୍ଘ ସେତୁ ସହ ଦୁଇ ପାର୍ଶ୍ୱରେ ପାଖାପାଖି ୩.୬୦୦ କିଲୋମିଟର ଦୀର୍ଘ ଆପ୍ରୋଚ୍‌ ରୋଡ଼ ନିର୍ମାଣ କରାଯିବ। ଏହି ସେତୁ ନିର୍ମାଣ ଦ୍ୱାରା ଇନ୍ଦ୍ରାବତୀ ଜଳଭଣ୍ଡାର ଦ୍ୱାରା ବିଚ୍ଛିନ୍ନ ହୋଇରହିଥିବା ତଲନାଗି, ଘୁଟ୍ରୁଖାଲ, ମାଲିଗାଁ ସମେତ ଅନେକ ଦୁର୍ଗମ ଆଦିବାସୀ ଗ୍ରାମର ଲୋକେ ସିଧାସଳଖ ମୁଖ୍ୟସ୍ରୋତ ସହ ଯୋଡ଼ି ହୋଇପାରିବେ। ଏହାସହ ଏହି ରାସ୍ତା ଓ ସେତୁ ଫଳରେ ଇନ୍ଦ୍ରାବତୀ ଅଞ୍ଚଳରୁ ପଡ଼ୋଶୀ ରାୟଗଡ଼ା ଏବଂ ନବରଙ୍ଗପୁର ଜିଲ୍ଲାକୁ ସିଧାସଳଖ ଯୋଗାଯୋଗ ବ୍ୟବସ୍ଥା ସୁଗମ ହେବ, ଯାହା ଆଞ୍ଚଳିକ ବ୍ୟବସାୟ ଓ ଗମନାଗମନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିବ।

ସର୍ଭେ କାର୍ଯ୍ୟ ଶେଷ ହୋଇଥିବାରୁ ପ୍ରକଳ୍ପର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଅତି ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦୀର୍ଘ ଦିନର ଏହି ଆକାଂକ୍ଷିତ ପ୍ରକଳ୍ପର କାର୍ଯ୍ୟ ଆଗେଇ ଚାଲିଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Share