ସୁନ୍ଦରଗଡ,୧୧ା୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାର ପୃଥକ ପୃଥକ ସ୍ଥାନରେ ମଙ୍ଗଳବାର ବ୍ରଜପାତ ଘଟି ୪ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତା ମହିଳାମାନେ ହେଲେ ଛତିଶଗଡ଼ ରାଜ୍ୟର ତୁମଲା ଥାନା ଅନ୍ତର୍ଗତ ବରଡିହି ଗ୍ରାମର ଚମ୍ପା ତିର୍କୀ (୭୦), ଶୁଶିଲା ତିର୍କୀ (୪୯),ସୁନିତା ଓରାମ (୩୫)ଓ ଦ୍ରୌପଦୀ କିଷାନ (୩୫)।
ମିଳିଥିବା ସୂଚନା ଅନୁଯାୟୀ, ପଡୋଶୀ ଛତିଶଗଡ଼ ରାଜ୍ୟର ତୁମଲା ଥାନା ଅନ୍ତର୍ଗତ ବରଡିହି ଗ୍ରାମରୁ ଧାନ ତଳିରୁଆ କାମ ପାଇଁ କେତେଜଣ ମହିଳା ଶ୍ରମିକ ବାଲିଶଙ୍କରା ଚାନ୍ଦନୀମାଲ ଅଞ୍ଚଳକୁ ଆସିଥିଲେ। ପ୍ରାୟ ୨୪ଜଣ ମହିଳା ଗ୍ରାମର ଜଗଦୀଶ ନାଏକଙ୍କ ଧାନବିଲରେ କାମ କରୁଥିବା ସମୟରେ ହଠାତ୍ ବର୍ଷା ଓ ବଜ୍ରାଘାତ ହେବାରୁ ୮ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ବାଲିଶଙ୍କରା ଗ୍ରାମର ନବୀନ କୁଜୁର, ଶରତ ସାଏ, ବିନୋଦ ଛତ୍ରିଆ ଏବଂ ଖରଦାତା ଚିତ୍ତରଞ୍ଜନ ନାଗ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେମାନେ ସଙ୍ଗେ ସଙ୍ଗେ ଗୁରୁତରମାନଙ୍କୁ ଉଦ୍ଧାର କରି ସବ୍ଡେଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଚମ୍ପା ଓ ଶୁଶିଲାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପକ୍ଷରେ, ଗୁରୁତର ଅବସ୍ଥାରେ ଥିବା ବରଡିହି ଗ୍ରାମର ସବା ତିର୍କୀ (୬୦), ଫୁଲକି ବାଡ଼ା(୫୫) ଓ ସରସ୍ବତୀ ତିର୍କୀ (୩୦)ଙ୍କୁ ପ୍ରାଥମିକ ଚିକିତ୍ସା ପରେ ସୁନ୍ଦରଗଡ ଜିଲା ମୁଖ୍ୟ ଡାକ୍ତରଖାନକୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟ ଜଣେ ମହିଳା ଲଳିତା ତର୍କି (୩୦) ସବଡେଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ୨ ଗୁରୁତରଙ୍କୁ ବାଲିଶଙ୍କରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ତଳସରା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତର ଖାନାକୁ ପଠାଇଛି। ବୁଧବାର ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।
ସେହିପରି ବଣାଇଁ ଥାନା ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମରେ ଚାଷ ଜମିରେ ୧୧ ଜଣ ମହିଳା କାମ କରୁଥିବା ବେଳେ ହଠାତ୍ ଘଡ଼ଘଡ଼ି ସହ ବ୍ରଜପାତ ହୋଇଥିଲା। ଏଥିରେ ୩ ଜଣଙ୍କ ଗୁରୁତର ହୋଇପଡିଥିଲେ। ସମସ୍ତଙ୍କୁ ଉଦ୍ଧା କରାଯାଇ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ସୁନିତା ଓ ଦ୍ରୌପଦୀଙ୍କୁ ଡାକ୍ତର ମୃତ
ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣି ଭର୍ତ୍ତି କରାଯାଇଥିଲା ହେଲେ ଡ଼ାକ୍ତର ମୃତ ଘୋଷଣା କରିଥିଲେ।
ସେହିପରି ଟିକାୟତପାଲି ଥାନା ଅନ୍ତର୍ଗତ ଝିରଡାପାଲି ଗ୍ରାମର ମହିଳା ସଞ୍ଜୁକ୍ତା ଚାରଦିଆ (୪୦)ଚାଷ ଜମିରେ କାମ କରୁଥିବା ସମୟରେ ବ୍ରଜପାତ ଘଟି ଗୁରୁତର ହୋଇ ପଡିଥିଲେ। ପରିବାର ଲୋକେ ଉଦ୍ଧାର କରି ବଣାଇଁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ଓ ତାଙ୍କର ଅବସ୍ଥା ସ୍ଥିର ରହିଛି l