ରାଉରକେଲାରେ ଡାଇରିଆ ସଂକ୍ରମଣ ଘଟଣାରେ ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୨୦ା୧୨: ରାଉରକେଲାରେ ଡାଇରିଆ ସଂକ୍ରମଣ ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିନ୍ତା ପ୍ରକଟ କରିଛନ୍ତି। ଏହାକୁ ରୋକିବା ପାଇଁ ତ୍ୱରିତ ପଦକ୍ଷେପ ସ୍ୱରୂପ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବା ପାଇଁ ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ କହିଛନ୍ତି। ପ୍ରଧାନ କହିଛନ୍ତି, ରାଉରକେଲା ସହର ସହିତ ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେବ ଡାଇରିଆ ଲାଗି ରହିଥିବା କାରଣରୁ ଲୋକଙ୍କ ମୃତ୍ୟୁ ଘଟୁଛି। ଏହା ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ସେ କହିବା ସହ ଅମର ଆତ୍ମାର ସଦ୍‌‌ଗତି କାମନା କରିଛନ୍ତି। ଏଥିସହିତ କେନ୍ଦ୍ରମନ୍ତ୍ରୀ ଆକ୍ରାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ରାଉରକେଲା ଭଳି ମହାନଗର ଅଞ୍ଚଳରେ ଡାଇରିଆ ସଂକ୍ରମଣରେ ଶତାଧିକ ଲୋକ ଆକ୍ରାନ୍ତ ହେବା ଓ ପ୍ରଶାସନର ନିୟନ୍ତ୍ରଣ ବାହାରକୁ ଚାଲିଥିବା ଚିନ୍ତାଜନକ ବୋଲି କେନ୍ଦମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାର ତୁରନ୍ତ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହ ନେଇ ଚିକିତ୍ସିତ ହେଉଥିବା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି।

ମିଳିଥିବା ଖବରରୁ ଜଣାପଡ଼ିଛି, ଅଦ୍ୟାବଧି ଝାଡାବାନ୍ତିରେ ୧୦ ଜଣ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି। ଆକ୍ରାନ୍ତମାନଙ୍କୁ ବିଭିନ୍ନ ହସ୍‌‌ପିଟାଲରେ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ସ୍ୱାସ୍ଥ୍ୟ ସଚିବଙ୍କ ସହ ଦୁଇ ବରିଷ୍ଠ ଅଧିକାରୀ ସ୍ଥିତିର ସମୀକ୍ଷା କରିବା ପାଇଁ ରାଉରକେଲା ଗସ୍ତ କରିଥିବା ଜଣାପଡ଼ିଛି।