ହାଟଡିହୀ,୨୪।୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ବାଲିଆ ଅଞ୍ଚଳର ଏକ ବିଲରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବୁଧବାର ପୋଲିସ ମୃତଦେହ ଜବତ କରିବା ସହ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଏହାର ମୃତଦେହ ବ୍ୟବଚ୍ଛେଦ କରାଇଛି। ଏହି ଘଟଣାରେ ପୋଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା (ୟୁଡ଼ି ମାମଲା ନଂ ୧୦/୨୦୨୬) ରୁଜୁ କରିଥିବା ବେଳେ ଏବେ ଏହାକୁ ଏକ ହତ୍ୟା ମାମଲାରେ ପରିଣତ କରି ତଦନ୍ତ ପ୍ରକ୍ରିୟା ଜୋରଦାର କରିଛି।
ସୂଚନାନୁଯାୟୀ, ଗତ ମଙ୍ଗଳବାର ବାଲିଆ ଅଞ୍ଚଳର ଏକ ପାଣି ଓ କାଦୁଅ ସରସର ବିଲ ଭିତରେ ମହିଳାଙ୍କ ମୃତଦେହ ମୁହଁ ମାଡ଼ି ପଡ଼ିଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମୃତଦେହ ପଡ଼ିଥିବା ସ୍ଥାନରୁ ପୋଲିସ ଏକ ଭ୍ୟାନିଟ ବ୍ୟାଗ୍ ଜବତ କରିଥିଲା। ଉକ୍ତ ବ୍ୟାଗ ଭିତରୁ ମହିଳାଙ୍କ ପରିଚୟ ସମ୍ପର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ମିଳିଛି, ଯାହାକୁ ଆଧାର କରି ମହିଳା ଜଣକ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି। ତେବେ ମହିଳାଙ୍କ ମୃତଦେହ ଏହି ନିଛାଟିଆ ସ୍ଥାନକୁ କେଉଁ ପରିସ୍ଥିତିରେ ଆସିଲା ଏବଂ ଏହି ହତ୍ୟାକାଣ୍ଡ ପଛରେ କାହାର ହାତ ରହିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।
ଥାନାଧିକାରୀଣି କାନନ ସାହୁ କହିଛନ୍ତି ଯେ, ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ନୁହନ୍ତି। ତାଙ୍କର ପ୍ରକୃତ ପରିଚୟ ପଶ୍ଚିମବଙ୍ଗର କି ନୁହେଁ ସେ ନେଇ ଅଧିକ ଅନୁସନ୍ଧାନ ଚାଲିଛି। ବର୍ତ୍ତମାନ ସୁଦ୍ଧା ଘଟଣାର ତଦନ୍ତ ପ୍ରାଥମିକ ସ୍ତରରେ ଥିବାରୁ ଏ ବାବଦରେ ଅଧିକ କିଛି କହିବା ଉଚିତ ହେବନାହିଁ।
ସେହିଭଳି ଅତିରିକ୍ତ ଏସ୍ପି ପ୍ରତ୍ୟୁଷ ମହାପାତ୍ର କହିଛନ୍ତି ଯେ, ଘଟଣାସ୍ଥଳର ପାରିପାର୍ଶିକ ପରିସ୍ଥିତିରୁ ଏହା ସ୍ପଷ୍ଟ ଭାବେ ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ସେଥିପାଇଁ ପୋଲିସ ଏହାକୁ ଏକ ହତ୍ୟା ମାମଲା ଭାବେ ପଞ୍ଜିକରଣ କରିଛି। ମହିଳା ଜଣଙ୍କ ବାହାର ଅଞ୍ଚଳର ହୋଇଥିବାରୁ ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ଏକାଧିକ ପୋଲିସ ଟିମ୍ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛନ୍ତି। ଗୁରୁବାର ସୁଦ୍ଧା ଆନୁଷଙ୍ଗିକ ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ସମସ୍ତ ବିଷୟ ସ୍ପଷ୍ଟ ହୋଇଯିବ।
Dharitri – Odisha’s No.1 Odia Daily