କାଠମାଣ୍ଡୁ,୩୧ା୮: ନେପାଳ ବନ୍ୟାଜନିତ ମୃତ୍ୟୁସଂଖ୍ୟା ରବିବାର ସନ୍ଧ୍ୟା ସୁଦ୍ଧା ୭୯୪ରେ ପହଞ୍ଚତ୍ଛି। ମୃତଦେହ ରଖିବା ପାଇଁ ହସ୍ପିଟାଲଗୁଡ଼ିକରେ ସ୍ଥାନାଭାବ ଦେଖାଦେଇଛି। ସେପଟେ ମୃତଦେହଗୁଡ଼ିକ ଚିହ୍ନଟ ହୋଇ ନ ପାରି ଶଢ଼ିବାକୁ ଲାଗିଲାଣି। ତେଣୁ ବନ୍ୟାର ୫ମ ଦିନରେ କର୍ତ୍ତୃପକ୍ଷ ଚିହ୍ନଟ ହୋଇ ନ ଥିବା ମୃତଦେହଗୁଡ଼ିକୁ ମାଟିରେ ପୋତିବା ଆରମ୍ଭ କରିଛନ୍ତି। ସେଗୁଡ଼ିକୁ ପରେ ଚିହ୍ନଟ କରିବାକୁ କର୍ତ୍ତୃପକ୍ଷ ମୃତଦେହଗୁଡ଼ିକର ଡିଏନ୍ଏ ନମୁନା, ଫଟୋ ଓ ଅନ୍ୟାନ୍ୟ ପରିଚୟ ପ୍ରମାଣ ସଂଗ୍ରହ କରି ରଖୁଛନ୍ତି।
ଚିଟଓ୍ବାନ ଜିଲାରୁ ସର୍ବାଧିକ ୨୬୪ ମୃତଦେହ ମିଳିଥିବାବେଳେ ଏପର୍ଯ୍ୟନ୍ତ ମାତ୍ର ୪ଟି ଚିହ୍ନଟ ହୋଇଛି। ଅନ୍ୟ ମୃତଦେହଗୁଡ଼ିକୁ ହସ୍ପିଟାଲ ଏବଂ ଅସ୍ଥାୟୀ କେନ୍ଦ୍ରରେ ରଖାଯାଇଥିବାବେଳେ ସେଗୁଡ଼ିକ ଗଳିତ ଅବସ୍ଥାକୁ ଆସିଗଲାଣି।
ହସ୍ପିଟାଲ ଶବାଗାରରେ ମୃତଦେହଗୁଡ଼ିକ ଅଧିକ ଶଢ଼ି ଦୁର୍ଗନ୍ଧ ହେଲେ ସଂକ୍ରମଣ ବ୍ୟାପିବା ଆଶଙ୍କା ବଢ଼ିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ଶବାଗାରଗୁଡ଼ିକରେ କ୍ଷମତାଠାରୁ ଅଧିକ ମୃତଦେହ ରହିଛି। ଭରତପୁର ମେଟ୍ରୋପଲିଟାନ ସିଟିର ଦେବଘାଟସ୍ଥିତ ଖୋଲା ସ୍ଥାନରେ ଅଜଣା ମୃତଦେହ ପୋତିବାକୁ ଚିଟଓ୍ବାନ ଜିଲା ସୁରକ୍ଷା କମିଟି ନିଷ୍ପତ୍ତି ନେଇଛି। ନେପାଳର ଚିହ୍ନଟ ହୋଇ ନ ଥିବା ଓ ଦାବିଦାର ନ ଥିବା ମୃତଦେହ ପରିଚାଳନା ନିର୍ଦ୍ଦେଶନାମା, ୨୦୨୬ ଅନୁଯାୟୀ ମୃତଦେହଗୁଡ଼ିକୁ ପୋତାଯାଉଛି। ଚିହ୍ନଟ ମୃତଦେହ ଗୁଡ଼ିକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି।

