ବେରୋଜଗାରୀର ବିସ୍ଫୋରକ ସ୍ଥିତି

ଭାଲଚନ୍ଦ୍ର ଷଡ଼ଙ୍ଗୀ

 

ଗତ ଜାନୁୟାରୀ ଶେଷ ସପ୍ତାହରେ ବିହାରର ପାଟନାଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶର ପ୍ରୟାଗରାଜ ପର୍ଯ୍ୟନ୍ତ ବେରୋଜଗାର ଯୁବତୀ ଯୁବକଙ୍କ ରଣହୁଙ୍କାର ଦେଶକୁ ଆଲୋଡ଼ିତ କରିଥିଲା। ରେଲ୍‌ଓ୍ବେ ଭର୍ତ୍ତିରେ ହୋଇଥିବା ଅନିୟମିତତାକୁ କେନ୍ଦ୍ରକରି ଉପରୋକ୍ତ ଦୁଇ ରାଜ୍ୟର ହଜାର ହଜାର ଯୁବତୀଯୁବକ ସ୍ବତଃସ୍ଫୂର୍ତ୍ତ ଭାବେ ବିକ୍ଷୋଭ ପ୍ରଦର୍ଶନ ସହ ରେଳରୋକୋ କରିଥିଲେ। ସରକାର ନିଜ ଭୁଲ୍‌ ସ୍ବୀକାର କରି ତୁରନ୍ତ ପଦକ୍ଷେପ ନେବା ପରିବର୍ତ୍ତେ ଆନ୍ଦୋଳନକାରୀଙ୍କୁ ବିଭିନ୍ନ ମକଦ୍ଦମା ଓ ଦଫା ଲଗାଇ ରାତିଅଧିଆ ଗିରଫ କରିଥିଲେ। ଏପରିକି ପ୍ରତିଯୋଗୀ ପରୀକ୍ଷା ପାଇଁ ସେମାନେ ଯେଉଁସବୁ କୋଚିଂ କେନ୍ଦ୍ରରେ କୋଚିଂ ନେଉଥିଲେ ତା’ର ଅଧ୍ୟାପକମାନେ ମଧ୍ୟ ପୋଲିସ ଦମନରୁ ବର୍ତ୍ତି ନ ଥିଲେ। ତେବେ ରେଲ୍‌ଓ୍ବେରେ ଭର୍ତ୍ତିକୁ ନେଇ ଯୁବତୀ ଯୁବକମାନଙ୍କ ଏତେବଡ଼ ପ୍ରତିବାଦର ପରିଣାମ ଯାହା ହେଉନା କାହିଁକି, ତାହା ଦେଶରେ ବେରୋଜଗାରୀର ଭୟାବହ ସ୍ଥିତିକୁ ଉଜାଗର କରିଦେଇଛି।
ରେଲ୍‌ଓ୍ବେ ଭର୍ତ୍ତି ପରୀକ୍ଷାରେ ଅନିୟମିତତାକୁ ନେଇ ଯୁବତୀ ଯୁବକମାନଙ୍କ ଉପରୋକ୍ତ ପ୍ରତିବାଦ ଅସ୍ବାଭାବିକ ନ ଥିଲା। ବର୍ଷ ବର୍ଷ ଧରି ନୂଆ ଚାକିରି ନ ବାହାରିବା, ଚାକିରି ପାଇଁ ଭର୍ତ୍ତି ପରୀକ୍ଷାରେ ଅନିଶ୍ଚିତତା, ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା, ପରୀକ୍ଷା ଦେବା ପରେ ବର୍ଷ ବର୍ଷ ଧରି ତା’ର ଫଳ ନ ବାହାରିବା, ଏପରିକି ଚାକିରି ପାଇଁ ଚୟନ ହେବା ପରେ ବି ବର୍ଷ ବର୍ଷ ଧରି ନିଯୁକ୍ତି ନ ମିଳିବା ଆଦି ସାଙ୍ଗକୁ ବେରୋଜଗାରୀର ବର୍ଦ୍ଧିତ ଜ୍ୱାଳା ଦେଶର ଚାକିରି ଆଶାୟୀ କୋଟି କୋଟି ଯୁବତୀ ଯୁବକଙ୍କୁ ହତାଶ କରିଆସିଛି। କେବଳ ରେଲ୍‌ଓ୍ବେ ନୁହେଁ, ସରକାରଙ୍କ ସମସ୍ତ ଭର୍ତ୍ତି ବୋର୍ଡରେ ଏଭଳି ଅନିୟମିତତା, ଭ୍ରଷ୍ଟାଚାର ଓ ସମ୍ବେଦନହୀନତା ଚାକିରି ଆଶାୟୀମାନଙ୍କୁ ଲଗାତର ପ୍ରତାରିତ କରିଛି। ବେରୋଜଗାରୀର ସ୍ଥିତି ଏତେ ଉତ୍କଟ ହୋଇଛି ଯେ ସାଧାରଣ ଚପରାସୀ କିମ୍ବା ସଫେଇ କର୍ମଚାରୀ ପଦବୀ ପାଇଁ ହଜାର ହଜାର ସଂଖ୍ୟାରେ ସ୍ନାତକ, ସ୍ନାତକୋତ୍ତର ଏପରିକି ବିଟେକ୍‌, ଏମ୍‌ବିଏ ପାସ୍‌ କରିଥିବା ପିଲା ଆବେଦନ କରିବା ଦେଖାଯାଉଛି। ରେଲ୍‌ଓ୍ବେର ଯେଉଁ ପରୀକ୍ଷାକୁ ନେଇ ଏତେ ବିବାଦ ସୃଷ୍ଟି ହୋଇଛି, ସେଥିରେ ମାତ୍ର ୩୫ ହଜାର ପଦବୀ ପାଇଁ ସର୍ବମୋଟ ୧.୩୭ କୋଟି ଯୁବତୀ ଯୁବକ ଆବେଦନ କରିଥିଲେ। ଅତଏବ ଚାକିରି ଆଶାୟୀ ପିଲାମାନେ ରେଲ୍‌ଓ୍ବେର ଭର୍ତ୍ତି ପ୍ରକ୍ରିୟାରେ ଅନିୟମିତତା ଓ ସମ୍ବେଦନହୀନତାକୁ ଦେଖିଥିଲେ, ସେମାନଙ୍କ ପାଖରେ ପ୍ରତିବାଦ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିଲା। ଆଜି ସରକାରଙ୍କ ଦମନ ଓ କିଛି ତ୍ରୁଟି ସୁଧାର ପଦକ୍ଷେପ ଫଳରେ ହୁଏତ ତତ୍କାଳିକ ଭାବେ ଏହି ଆନ୍ଦୋଳନ ଏବେ ଥଣ୍ଡା ପଡ଼ିଯାଇଛି। କିନ୍ତୁ ଦେଶରେ ବେରୋଜଗାରର ଭୟଙ୍କର ସ୍ଥିତିରେ କୌଣସି ଆଖିଦୃଶିଆ ସୁଧାର ନ ଆସିବା ପର୍ଯ୍ୟନ୍ତ ଏହି ପ୍ରସଙ୍ଗ ପୁଣି ଥରେ ଯେ ବିସ୍ଫୋରକ ରୂପ ନେବ, ସେଥିରେ ତିଳେମାତ୍ର ସନ୍ଦେହ ନାହିଁ।
ଦେଶରେ ବେରୋଜଗାରୀର ସ୍ଥିତି ଯେ ଅତ୍ୟନ୍ତ ଭୟଙ୍କର, ଏହାର ସ୍ପଷ୍ଟ ସଙ୍କେତ ବିଭିନ୍ନ କ୍ଷେତ୍ରରୁ ମିଳୁଛି। ନିକଟରେ କେନ୍ଦ୍ର ସରକାରଙ୍କ ଜାତୀୟ କ୍ରାଇମ୍‌ ରେକର୍ଡ ବ୍ୟୁରୋ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ଯେ ବେରୋଜଗାର କାରଣରୁ ଯୁବତୀ ଯୁବକଙ୍କ ମଧ୍ୟରେ ଆତ୍ମହତ୍ୟାର ହାର ଲଗାତର ବଢ଼ିବାରେ ଲାଗିଛି। ବେରୋଜଗାର କାରଣରୁ ୨୦୧୮ରେ ୨୭୪୧ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୧୯ରେ ୨୮୫୧ ଓ ୨୦୨୦ରେ ୩୫୪୮ ଜଣ ଆତ୍ମହତ୍ୟା କରିଛନ୍ତି। ଖୋଦ୍‌ ସରକାରୀ ତଥ୍ୟ ଅନୁଯାୟୀ ଗତବର୍ଷ ମଧ୍ୟରେ ଦେଶରେ ବେରୋଜଗାରୀର ହାର ସର୍ବୋଚ୍ଚ ସ୍ତରରେ ରହିଛି। କୋଭିଡ୍‌ ମହାମାରୀର ଆଗରୁ ହିଁ ଦେଶରେ ବେରୋଜଗାରୀ ହାର ଚିନ୍ତାଜନକ ଥିବା ବେଳେ କୋଭିଡ୍‌ ମହାମାରୀ ଏହାକୁ ଆହୁରି ଉତ୍କଟ କରିଛି। ଦେଶର ୧.୮୯ କୋଟି ଲୋକ କୋଭିଡ୍‌ ଯୋଗୁ ନିଜର ଚାକିରି ହରାଇଥିବା ବେଳେ ସେମାନଙ୍କ ମଧ୍ୟରେ ୬୦ ଲକ୍ଷ ଲୋକ ନିୟମିତ ଦରମା ପାଉଥିବା କର୍ମଚାରୀ ରହିଛନ୍ତି। କେନ୍ଦ୍ର ସରକାରଙ୍କ ସଂସ୍ଥା ଜାତୀୟ ପରିସଂଖ୍ୟାନ ଅଫିସ ଦ୍ୱାରା ସଦ୍ୟତମ ଜାରି ତଥ୍ୟ ଅନୁଯାୟୀ ଦେଶରେ ଗତବର୍ଷ ବେରୋଜଗାରୀ ହାର ୧୨.୭ ପ୍ରତିଶତ ରହିଥିଲା। ସେଥିମଧ୍ୟରୁ ପୁରୁଷମାନଙ୍କ କ୍ଷେତ୍ରରେ ଏହି ହାର ୧୨.୨ ପ୍ରତିଶତ ରହିଥିବା ବେଳେ ମହିଳାମାନଙ୍କ କ୍ଷେତ୍ରରେ ତାହା ୧୪.୩ ପ୍ରତିଶତ ରହିଛି।
ଭାରତରେ ଜନସଂଖ୍ୟା ଅନୁପାତରେ ରୋଜଗାର କରୁଥିବା ଲୋକଙ୍କ ହାର ବିଶ୍ୱର ଅନେକ ଦେଶ ତୁଳନାରେ କମ୍‌ ରହିବା ସହ ତାହା ଲଗାତର କମିବାରେ ଲାଗିଛି। ଏହା ଶ୍ରମଶକ୍ତିର ଅଂଶଗ୍ରହଣର ହାରରେ ଦେଖିବାକୁ ମିଳିଥାଏ। ୨୦୨୦ରେ ଏହି ହାର ଭାରତରେ ୪୬ ପ୍ରତିଶତ ଥିବା ବେଳେ ଚାଇନାରେ ୬୭ ପ୍ରତିଶତ, ଇଣ୍ଡୋନେସିଆରେ ୬୬ ପ୍ରତିଶତ, ମାଲେସିଆରେ ୬୪ ପ୍ରତିଶତ, ବ୍ରାଜିଲରେ ୫୯ପ୍ରତିଶତ ଏବଂ ଇଥିଓପିଆ ଓ ଘାନା ପରି ଦେଶଗୁଡ଼ିକରେ ଏହା ଯଥାକ୍ରମେ ୬୭ ପ୍ରତିଶତ ଓ ୬୬ ପ୍ରତିଶତ ରହିଥିଲା। ୨୦୨୧ରେ ଭାରତରେ ଏହି ହାର ୪୩.୧ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ଗତବର୍ଷ ମହାମାରୀର ଦ୍ୱିତୀୟ ଲହର ସମୟରେ ୪୦.୯ ପ୍ରତିଶତକୁ ହ୍ରାସ ପାଇଛି। ଭାରତରେ ଏହି ହାର ବେରୋଜଗାରୀର ହାର ଅପେକ୍ଷା ଅଧିକ ଗୁରୁତ୍ୱ ବହନ କରୁଛି। କାରଣ ଉପଯୁକ୍ତ ରୋଜଗାର ଅଭାବରୁ ଯାହା କାମ ମିଳୁଛି ତାକୁ କରିବାକୁ ଭାରତର ଆଶାୟୀ ଲୋକେ ବାଧ୍ୟ ହେଉଛନ୍ତି।
୨୦୧୪ରେ ବାର୍ଷିକ ଦୁଇ କୋଟି ଲୋକଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିଥିଲେ। ଏହି ହିସାବରେ ଦେଖିଲେ ମୋଦିଙ୍କ ଗତ ୮ବର୍ଷର ଶାସନ କାଳରେ ମୋଟ ୧୬ କୋଟି ଲୋକଙ୍କୁ ରୋଜଗାର ମିଳିବା କଥା। କିନ୍ତୁ ସରକାରଙ୍କ ଆନ୍ତରିକତା ଅଭାବରୁ ନୂଆ ରୋଜଗାର ତ ମିଳିଲାନି। ବରଂ ସରକାରଙ୍କ ତ୍ରିଟିପୂର୍ଣ୍ଣ ନୀତି ଦେଶର ଲକ୍ଷ ଲକ୍ଷ ଲୋକଙ୍କ ରୋଜଗାରକୁ ଛଡ଼େଇ ନେଇଛି। ବିମୁଦ୍ରୀକରଣ, ଜିଏସ୍‌ଟି ଓ ଯୋଜନାହୀନ ଲକ୍‌ଡାଉନ୍‌ ଘୋଷଣା ପରି ସରକାରଙ୍କ ଦାୟିତ୍ୱହୀନ ପଦକ୍ଷେପ ଯୋଗୁ ଦେଶର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଶ୍ରମିକ ଏବଂ କର୍ମଚାରୀ ନିଜର ରୋଜଗାର ହରାଇଛନ୍ତି। କଂଗ୍ରେସ ଶାସନ କାଳର ରୋଜଗାରହୀନ ବିକାଶ ଏବେ ଭାଜପା ଶାସନ କାଳରେ ରୋଜଗାରହାନି ବିକାଶରେ ପରିଣତ ହୋଇଛି। ରିଜର୍ଭ ବ୍ୟାଙ୍କ ଆକଳନ ଅନୁଯାୟୀ ମୋଦିଙ୍କ ଶାସନର ପ୍ରଥମ ଦୁଇବର୍ଷ ମଧ୍ୟରେ ଦେଶର ୨୦ ଲକ୍ଷ ଯୁବତୀ ଯୁବକ ରୋଜଗାର ହରାଇଛନ୍ତି। ୨୦୧୩ରେ ଦେଶରେ କାର୍ଯ୍ୟରତ ବ୍ୟକ୍ତିଙ୍କ ସଂଖ୍ୟା ୪୪ କୋଟି ଥିବା ବେଳେ ୨୦୧୬ରେ ତାହା ୪୧ କୋଟିକୁ ହ୍ରାସ ପାଇଛି। କରୋନା ମହାମାରୀ ପରବର୍ତ୍ତୀ ଅବସ୍ଥାରେ ଏହି ସଂଖ୍ୟା ୩୪ କୋଟିକୁ ହ୍ରାସ ପାଇଛି।
ବେରୋଜଗାରୀ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ସମ୍ବେଦନହୀନତା ପ୍ରଦର୍ଶନ କରାଯାଇଛି। ସରକାର ନିଜର ଅପାରଗତା ଉଜାଗର ହେବା ଭୟରେ ବେରୋଜଗାରୀର ବାର୍ଷିକ ତଥ୍ୟକୁ ଆଉ ପ୍ରକାଶ କରୁନାହାନ୍ତି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏନେଇ ଲଗାତର ଅତ୍ୟନ୍ତ ସମ୍ବେଦନହୀନ ମନ୍ତବ୍ୟ ଦେବା ଦେଖିବାକୁ ମିଳିଛି। ବେରୋଜଗାରୀ ପ୍ରସଙ୍ଗକୁ ହାଲୁକା କରିବା ପାଇଁ ପ୍ରଧାନମନ୍ତ୍ରୀ କେତେବେଳେ ରାସ୍ତାକଡ଼ରେ ପକୋଡ଼ି ଛାଣିବାକୁ ରୋଜଗାର ବୋଲି କହିଥିବା ବେଳେ କେତେବେଳେ ରୋଜଗାର ଆଶାୟୀ ହେବା ପରିବର୍ତ୍ତେ ରୋଜଗାର ପ୍ରଦାନକାରୀ ହେବାକୁ ଦେଶର ଯୁବ ସମ୍ପ୍ରଦାୟକୁ ପରାମର୍ଶ ଦେବାକୁ ଭୁଲିନାହାନ୍ତି। ଏପରି କହି ସରକାର ଦେଶରେ ରୋଜଗାର ସୃଷ୍ଟି ପାଇଁ ନିଜର ଦାୟିତ୍ୱ ଓ ପ୍ରତିବଦ୍ଧତାକୁ ଏଡ଼େଇଯିବାକୁ ଚାହୁଁଥିବା ଜଣାପଡ଼ିଛି।
ସରକାର ରୋଜଗାର ଦେବା ନେଇ କେତେ ଗମ୍ଭୀର ତାହା ଖୋଦ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିପଡ଼ିଥିବା ଲକ୍ଷ ଲକ୍ଷ ପଦବୀରୁ ଜଣାପଡ଼ୁଛି। ସରକାର ସଂସଦରେ ଦେଇଥିବା ତଥ୍ୟ ଅନୁଯାୟୀ ମାର୍ଚ୍ଚ ୨୦୨୦ ସୁଦ୍ଧା କେବଳ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୮.୭୨ ଲକ୍ଷରୁ ଅଧିକ ପଦବୀ ଖାଲି ରହିଛି। ସେଥିମଧ୍ୟରୁ ରେଲ୍‌ଓ୍ବେରେ ୨.୬୫ ଲକ୍ଷ, ସୈନ୍ୟବାହିନୀରେ ୧.୨୫ ଲକ୍ଷ, ୧୨ଟି ସରକାରୀ ବ୍ୟାଙ୍କରେ ୪୧,୧୭୭, ଗ୍ରାମୀଣ ସ୍ବାସ୍ଥ୍ୟକର୍ମୀ ବାବଦରେ ୬୩,୯୪୧ଟି ପଦବୀ ଖାଲି ରହିଛି। ଏହା ବ୍ୟତୀତ ଦେଶସାରା ପୋଲିସ ବିଭାଗରେ ୫.୩୧ ଲକ୍ଷ ପଦବୀ ଖାଲି ରହିଛି। ଦେଶର ବିଚାର ବିଭାଗ, ଶିକ୍ଷା ବିଭାଗ ଆଦିରେ ବି ଲକ୍ଷ ଲକ୍ଷ ସଂଖ୍ୟାରେ ପଦବୀ ଖାଲି ରହିଛି। ଯଦି ଦେଶର ସବୁ ରାଜ୍ୟରେ ଖାଲିଥିବା ସରକାରୀ ପଦବୀକୁ ହିସାବକୁ ନିଆଯିବ, ତା’ହେଲେ ଏହି ସଂଖ୍ୟା କୋଟିଏରୁ ଅଧିକ ହୋଇଯିବ। ଏହା ପ୍ରତିଦିନ ବଢ଼ିବାରେ ଲାଗିଛି। କାରଣ ଉପରୋକ୍ତ ଶୂନ୍ୟ ପଦବୀସବୁ ଆଗରୁ ସେଠାରେ କାର୍ଯ୍ୟରତ କର୍ମଚାରୀମାନେ ଅବସର ନେବା ପରେ ଶୂନ୍ୟ ହୋଇଛି। ଏସବୁ ପଦବୀ ମୋଦିଙ୍କ ଅମଳରେ ସୃଷ୍ଟି ହୋଇନି। ପୂର୍ବ ସରକାରଙ୍କ ସମୟରେ ସରକାରୀ କାର୍ଯ୍ୟର ଆବଶ୍ୟକତାକୁ ନେଇ ସୃଷ୍ଟି ହୋଇଥିଲା। ତାକୁ ଗତ ୮ବର୍ଷ ମଧ୍ୟରେ ସମ୍ପ୍ରସାରିତ କରାଯାଇନାହିଁ। ସରକାରୀ ସେବାର ପରିଧିକୁ ବଢ଼ାଇ ଅଧିକରୁ ଅଧିକ ନିଯୁକ୍ତି ଦେବା ପରିବର୍ତ୍ତେ ଓଲଟା ଅନେକ ଶୂନ୍ୟପଦକୁ ଉଚ୍ଛେଦ କରିଦିଆଯାଇଛି।
ଦେଶରେ ରୋଜଗାର ବଢ଼ାଇବା ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନେବା ପରିବର୍ତ୍ତେ ସରକାରଙ୍କ ଆର୍ଥିକ ନୀତି ଓଲଟା ରୋଜଗାରକୁ ହ୍ରାସ କରିଚାଲିଛି। ସରକାରଙ୍କ ବହୁ ପ୍ରଚାରିତ ମୁଦ୍ରୀକରଣ ଯୋଜନାରେ ଯେଉଁସବୁ ରାଷ୍ଟ୍ରାୟତ୍ତ ଶିଳ୍ପ ଓ ସଂସ୍ଥାର ଘରୋଇକରଣ ବା ବିକ୍ରି ହେବ, ତାହା ସେସବୁରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀଙ୍କ ରୋଜଗାରକୁ ଛଡ଼େଇନେବ। ଏହାବ୍ୟତୀତ ସରକାରଙ୍କ ପ୍ରସ୍ତାବିତ ଶ୍ରମ ସଂସ୍କାର ପଦକ୍ଷେପ ମଧ୍ୟ ଶ୍ରମିକମାନଙ୍କୁ ମନଇଚ୍ଛା ଛଟେଇ କରିବାକୁ ଘରୋଇ ମାଲିକମାନଙ୍କୁ ଅବାଧ ସୁଯୋଗ ଦେବ। ଦେଶରେ ହିନ୍ଦୁ-ମୁସଲମାନ, ଭାରତ-ପାକିସ୍ତାନର ବିତର୍କ ମଧ୍ୟ ଦେଇ ରୋଜଗାରର ପ୍ରସଙ୍ଗକୁ ଏଡ଼େଇଦେବାକୁ ଏକ ସୁନିୟୋଜିତ ଷଡ଼ଯନ୍ତ୍ର ଚାଲିଛି। ନିକଟରେ ଅନୁଷ୍ଠିତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଏହା ପ୍ରସଙ୍ଗ ନ ହେବା ଉପରୋକ୍ତ ଷଡ଼ଯନ୍ତ୍ରର ହିଁ ଅଂଶବିଶେଷ ବୋଲି କୁହାଯାଇପାରେ। ଅତଏବ ଦେଶର ବିଶେଷ କରି କୋଟି କୋଟି ଯୁବତୀ ଯୁବକଙ୍କ ସ୍ବାର୍ଥରେ ‘ରୋଜଗାର’ ସବୁଠାରୁ ବଡ଼ ପ୍ରସଙ୍ଗ ହେବା ଏକାନ୍ତ ଜରୁରୀ।
ମୋ: ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri