ଦେବଗଡ,୧୭।୪(ଶଶାଙ୍କ ଶେଖର ଝାଙ୍କର): ଝିଆରୀକୁ ବଳାତ୍କାର ଅଭିଯୋଗରେ କାକା ଗିରଫ । ଏଭଳି ଏକ ଅଭାବନୀୟ ତଥା କୁତ୍ସିତ ଘଟଣା ଘଟିଛି ଦେବଗଡ ଜିଲାର ବାରକୋଟ ଥାନା ଅଂଚଳରେ । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବାରକୋଟ ଥାନା ଅନ୍ତର୍ଗତ ଏକ ନିର୍ଦ୍ଦିଷ୍ଟ ଗ୍ରାମରେ ୧୮ ବର୍ଷର ଜଣେ ଯୁବତୀ ନିଜ କାକା ଘରେ ଅନ୍ୟ ଭଉଣୀମାନଙ୍କ ସହିତ ଗୋଟିଏ କୋଠରୀରେ ଶୋଇଥିଲେ । ତାଙ୍କ କାକା ଅଜିତ ମୁଣ୍ଡା (୨୩) ରାତି ପ୍ରାୟ ୧୨ ଟା ସମୟରେ ଝିଆରୀଙ୍କୁ ନିଦରୁ ଉଠାଇ ବଳାତ୍କାର କରିଥିଲେ । ଏଥିସହ ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଅସଭ୍ୟ ଭାଷାରେ ଗାଳିଗୁଳଜ ମଧ୍ୟ କରିଥିଲେ ।
ପୀଡିତା ଝିଆରୀ ଜଣକ ଘଟଣା ସମ୍ପର୍କରେ ତାଙ୍କ ମା’ଙ୍କୁ ଜଣାଇଥିଲେ । ମାତ୍ର ଗୋଟିଏ ପରିବାରର ହୋଇଥିବାରୁ ସମ୍ମାନ ହାନୀ ଭୟରେ ପୀଡିତାଙ୍କ ମା’ ତାଙ୍କୁ ନିରବ ରହିବାକୁ କହିଥିଲେ । ମାତ୍ର ଅଭିଯୁକ୍ତ କାକା ନିଜେ ଘଟଣା ସମ୍ପର୍କରେ ଅନ୍ୟମାନଙ୍କୁ କହି ବୁଲିବା ସହ ଝିଆରୀଙ୍କୁ ବଦନାମ କରୁଥିଲେ । ଫଳରେ ପୀଡିତା ଜଣକ ବାଧ୍ୟହୋଇ ଗତ ୧୪ ତାରିଖରେ ଏନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବାରକୋଟ ଥାନା ପୋଲିସ ଅଭିଯୁକ୍ତ କାକା ଅଜିତ ବିରୁଦ୍ଧରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଗୁରୁବାର ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାତ୍ର ଅଦାଲତରେ ଜାମିନ ଆବେଦନ ଖାରଜ ହେବାରୁ ଅଜିତକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

