ଅନିଶ୍ଚିତତାରେ ପରୀକ୍ଷାର୍ଥୀ

ଡ. ମୌସୁମୀ ପରିଡ଼ା

ମ୍ୟାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ଦେଉଥିବା ପିଲାମାନଙ୍କ ପାଇଁ ୨୦୨୧ର ଶିକ୍ଷାବର୍ଷ ଏକ ସମସ୍ୟା ବହୁଳ ବର୍ଷ କହିଲେ ଭୁଲ୍‌ ହେବନାହିଁ। ଗତବର୍ଷ କୋଭିଡ୍‌ ସଂକ୍ରମଣ ଯୋଗୁ ବାକି ଥିବା ଗୋଟିଏ କିମ୍ବା ଦୁଇଟି ପେପର୍‌ର ପରୀକ୍ଷା ସିନା ବାତିଲ୍‌ ହୋଇଥିଲା, କିନ୍ତୁ ପିଲାମାନେ ପାଠ ତ ଠିକ୍‌ ଭାବେ ପଢ଼ିଥିଲେ ଓ ସେଥିପାଇଁ ପର୍ଯ୍ୟାପ୍ତ ସମୟ ମଧ୍ୟ ପାଇଥିଲେ। ଏଥର କିନ୍ତୁ ବର୍ଷଟା ସାରା ପାଠପଢ଼ାର ଭିନ୍ନ ପରିବେଶ। କୋଭିଡ୍‌ ସଂକ୍ରମଣ ପାଇଁ ଅନ୍‌ଲାଇନ୍‌ ପାଠପଢ଼ା ପ୍ରକୃତ ଆବଶ୍ୟକତା ପୂରଣ କରିପାରିଲା ନାହିଁ। ଅବଶ୍ୟ ଏ ବର୍ଷ ଜାନୁୟାରୀ ଆଠ ତାରିଖରୁ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହେଲା, ଯେଉଁ ସମୟରେ ସମ୍ପୂର୍ଣ୍ଣ କୋର୍ସ ସରି ରିଭିଜନ୍‌ ହେଉଥାଏ। ସେ ଯାହା ବି ହେଉ ଅନ୍‌ଲାଇନ୍‌ ପାଠପଢ଼ାରୁ ଆରମ୍ଭ ହେଲା ଏଥର ଶିକ୍ଷାବର୍ଷ। କିନ୍ତୁ ସବୁ ପିଲା ଏହାର ଫାଇଦା ଉଠେଇପାରିଲେ ନାହିଁ।
ଅନ୍‌ଲାଇନ୍‌ ପାଠପଢ଼ା ଭିତରେ ନାହିଁ ନ ଥିବା ଅସୁବିଧାକୁ ସାମ୍ନାସାମ୍ନି କଲେ ଉଭୟ ବିଦ୍ୟାର୍ଥୀ, ଶିକ୍ଷକ, ଅଧ୍ୟାପକ। କେତେବେଳେ ନେଟ୍‌ ଆସୁ ନ ଥିଲା ତ କେତେବେଳେ ଖୁବ୍‌ ମନ୍ଥର ଥିଲା। ପିଲାମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟୁଥିଲା ତ କେତେବେଳେ ଶିକ୍ଷକ ବା ଅଧ୍ୟାପକଙ୍କର। ଶ୍ରେଣୀ ଗୃହର ପାଠପଢ଼ା ତୁଳନାରେ ଅନ୍‌ଲାଇନ୍‌ ପାଠପଢ଼ା ତା’ର ପ୍ରକୃତ ଚମକ ହରାଇଲା। ତେବେ ବି ଅନ୍‌ଲାଇନ୍‌ ପାଠପଢ଼ା ଜାରିରହିଲା ନିୟମ ମୁତାବକ।
ଏ ବର୍ଷ ଜାନୁୟାରୀ ଆଠ ତାରିଖରୁ କୋଭିଡ୍‌ ପାଇଁ ସ୍ବତନ୍ତ୍ର ନିୟମ ପାଳନ ପୂର୍ବକ ରବିବାର ସହିତ ଛୁଟିଦିନ ସବୁକୁ ବାତିଲ୍‌ କରି ପ୍ରଦାନ କରାଯାଉଥିବା ଶିକ୍ଷା, ପିଲାମାନଙ୍କ ଆବଶ୍ୟକତା କେତେ ପରିମାଣରେ ପୂର୍ଣ୍ଣ କରିପାରିଛି ସେକଥା ସମୟ କହିବ। ଶିକ୍ଷା ପ୍ରଦାନ ଓ ଶିକ୍ଷା ଗ୍ରହଣର ଅନ୍ଧାଧୁନିଆ ଦୌଡ଼ ପିଲାମାନଙ୍କୁ ଆଗକୁ କେତେ ସାମର୍ଥ୍ୟ କରିପାରିବ ତାହା ଚିନ୍ତାର ବିଷୟ। ଏବେ ପରୀକ୍ଷା ଖୁବ୍‌ ନିକଟରେ। ଅଥଚ ହାତରେ ଉପଯୁକ୍ତ ସମୟ ନାହିଁ ପ୍ରସ୍ତୁତ ହେବାକୁ।
ଗତବର୍ଷଠାରୁ ନିୟମିତ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷା ଦେଇଆସୁଥିବା ଅଧ୍ୟାପକ ବା ଶିକ୍ଷକମାନେ ଶ୍ରେଣୀଗୃହର ପାଠପଢ଼ାରେ ପୁନର୍ବାର ସେହି ବିଷୟସବୁକୁ ପଢ଼ାଇ ସମ୍ପୂର୍ଣ୍ଣ କରାଇବା ଚ୍ୟାଲେଜିଂ ନିଶ୍ଚୟ। ଯେନତେନ ପ୍ରକାରେ ପାଠପଢ଼ା ଚାଲିଛି। ତା’ ସହିତ କୋଭିଡ୍‌ ନିୟମ କଡ଼ାକଡ଼ି ଭାବେ ପାଳିତ ବି ହେଉଛି। ପିଲାମାନଙ୍କୁ ଠିକ୍‌ ରୂପେ ଶିକ୍ଷାଦାନ କରିବାକୁ ସବୁ ପ୍ରକାରର ଚେଷ୍ଟା ନିୟମାନୁସାରେ ପାଳନ ହେଲେ ବି ପ୍ରକୃତରେ କ’ଣ କିଛି ଅସୁବିଧା ନାହିଁ, ଭାବିବାର କଥା। ଯୁକ୍ତ ଦୁଇର ବିଷୟବସ୍ତୁ ଅନୁସାରେ ପ୍ରଶ୍ନାବଳୀର ଆକାର ଓ ପ୍ରକାର ମାର୍ଚ୍ଚ ଚାରି ତାରିଖରେ ଯେଉଁଭଳି ଭାବେ ପ୍ରକାଶିତ ହେଲା, ଯାହା ଜଣାପଡଛି ପାଶ୍‌ କରିବା ସହଜ ହୋଇପାରେ। କିନ୍ତୁ ଅନ୍ୟାନ୍ୟ ଦିଗ ପ୍ରତି ଦୃଷ୍ଟିଦେଲେ ଅନୁଭୂତ ହୁଏ ଯେ କିଛି ସମସ୍ୟା ତ ରହିଯାଉଛି। କାରଣ ପିଲାମାନଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ ନିଜସ୍ବ ପାଠ ପଢ଼ିବାକୁ।
ବିଜ୍ଞାନରେ ପଢୁଥିବା ପିଲାଙ୍କ ପାଇଁ ସମସ୍ୟା ଗଭୀରତର। କୋଚିଂ ସେଣ୍ଟର୍‌ରେ ଘୋଡ଼ା ଦୌଡ଼ କରି ମଧ୍ୟ ପିଲାମାନେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କୋର୍ସ ସାରିପାରିନାହାନ୍ତି। ସ୍ବଳ୍ପ ସମୟ ଭିତରେ ଏତେଗୁଡ଼େ ବିଷୟ ସାରିବାକୁ ଉଭୟ ଅଧ୍ୟାପକ ଓ ପିଲାମାନେ କମ୍‌ କସରତ କରୁନାହାନ୍ତି। କୋଭିଡ୍‌ ପାଇଁ ସମୟ ସହ ଜୀବନର ଗତି ମଧ୍ୟ ବଦଳିଯାଇଛି! ଅନ୍ୟବର୍ଷଗୁଡ଼ିକରେ ପରୀକ୍ଷାର ଯଥେଷ୍ଟ ପୂର୍ବରୁ କୋର୍ସ ସାରି ଘରେ ପଢ଼ିବାକୁ ପାଖାପାଖି ତିନି, ଚାରିମାସ ସମୟ ପାଇଯାଉଥିଲେ ପିଲାମାନେ। କିନ୍ତୁ କୋଭିଡ୍‌ ପାଇଁ ସମୟ ସଙ୍କୁଚିତ ହୋଇଯାଇଥିବାରୁ ଏଥର ସେମାନେ ନିଜ ପାଠପଢ଼ାକୁ ନେଇ ସନ୍ତୁଷ୍ଟ ହୋଇପାରୁନାହାନ୍ତି। ଅଭିଭାବକମାନେ ବି ପିଲାମାନଙ୍କ ଭବିଷ୍ୟତକୁ ନେଇ ସନ୍ଦିହାନ।
ପ୍ରଶ୍ନାବଳୀରେ କିପରି ପ୍ରଶ୍ନସବୁ ରହିବ ଓ କିପରି ପରୀକ୍ଷାଗୁଡ଼ିକ ନିର୍ଦ୍ୱନ୍ଦ୍ୱରେ ସମାପ୍ତ ହେବ, ପରୀକ୍ଷାର୍ଥୀଙ୍କ ସହ ଅଭିଭାବକମାନେ ଏ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ହେବା ସାଧାରଣ କଥା। କାରଣ କରୋନାର ଦ୍ୱିତୀୟ ଲହରିଟି ଏବେ ଆମକୁ ଘାରିବା ଆରମ୍ଭ କଲାଣି। ପଞ୍ଜାବ ସରକାର ତାଙ୍କ ରାଜ୍ୟରେ ଦଶମ ଓ ଦ୍ୱାଦଶ ପିଲାଙ୍କ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ। ଅନ୍ୟ ରାଜ୍ୟଗୁଡ଼ିକ ଏ ପନ୍ଥାକୁ ଆପଣେଇବାକୁ ବାଧ୍ୟ ହେବେ, ଯଦି ସଂକ୍ରମଣ ସୀମା ଉଲ୍ଲଂଘନ କରେ। ଏଭଳି ସ୍ଥଳରେ ପିଲାମାନଙ୍କ ସହିତ ଅଭିଭାବକମାନେ ମଧ୍ୟ ଚାପଗ୍ରସ୍ତ।
ଏବେ ଅନ୍ୟ ସମସ୍ୟାଗୁଡ଼ିକୁ ଦେଖିଲେ ଜଣାପଡ଼ିବ ଯେ, ଦିଆଯାଇଥିବା ପ୍ରଶ୍ନାବଳୀର ଆକାର ପ୍ରକାର ଅନୁଯାୟୀ ଗଣିତ ବିଭାଗରେ ଏକ ନମ୍ବର ବିଶିଷ୍ଟ ପଚାଶଟି ପ୍ରଶ୍ନ ପଡୁଥିବାରୁ ତିନିଘଣ୍ଟାରେ ପୂରା ୧୦୦ ନମ୍ବରର ଉତ୍ତର ଦେଇପାରିବା ସମ୍ଭବ ହେବ କି ନା ତାହା ବି ଏକ ପ୍ରଶ୍ନ। ସେହି ଏକ ନମ୍ବର ବିଶିଷ୍ଟ ପ୍ରଶ୍ନ ପାଇଁ ଅତି କମ୍‌ରେ ଯଦି ଦୁଇରୁ ତିନି ମିନିଟ୍‌ ଦରକାର ହୁଏ, ମୋଟ ପଚାଶଟି ପ୍ରଶ୍ନର ଉତ୍ତର କରିବାକୁ ଶହେ ମିନିଟ୍‌ରୁ ଦେଢ଼ଶହ ମିନିଟ୍‌ ବା ଏକ ଘଣ୍ଟା ଚାଳିଶ ମିନିଟ୍‌ରୁ ଅଢ଼େଇ ଘଣ୍ଟା ସମୟ ଲାଗିବ। ହଁ, କିଛି ସହଜ ଓ କିଛି କଠିନ ପ୍ରଶ୍ନାବଳୀ ବି ଥିବ। ବାକି ପଚାଶ ନମ୍ବରର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନଗୁଡ଼ିକୁ ଧୀର ସ୍ଥିର ଭାବେ କରିବା ନିଶ୍ଚିତ ସମୟସାପେକ୍ଷ ଓ କଷ୍ଟକର। ଗଣିତରେ ପ୍ରାକ୍ଟିକାଲ୍‌ ନ ଥିବାରୁ ତାହା ମଧ୍ୟ ପିଲାମାନଙ୍କ ପାଇଁ ଏମିତିରେ ଏକ ପୁରାତନ ସମସ୍ୟା।
ଏସବୁ ବ୍ୟତୀତ ଏହି ଶିକ୍ଷାବର୍ଷରେ ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ସମୟ କିମ୍ବା ସ୍ଥିତି ଏମାନଙ୍କ ସପକ୍ଷରେ ନାହିଁ। ଏମିତିରେ ଯୁକ୍ତ ଦୁଇ ବିଜ୍ଞାନର ପାଠ୍ୟଖସଡା ବେଶ୍‌ ଓଜନିଆ। ସେହି ଅନୁସାରେ ବିଭିନ୍ନ ପ୍ରବେଶିକା ପରୀକ୍ଷାର ପ୍ରଶ୍ନସବୁ ବି ବେଶ୍‌ କଷ୍ଟକର। ଏଥର ନିଟ୍‌ କିମ୍ବା ଆଇ.ଆଇ.ଟି. ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଥିବା ପିଲାମାନେ ସମ୍ପୂର୍ଣ୍ଣ ବହିପାଠ ପଢ଼ିପାରି ନାହାନ୍ତି। ପ୍ରଥମରେ କୋଭିଡ୍‌ ପାଇଁ ତିରିଶ ପ୍ରତିଶତ ବିଷୟ ପ୍ରତ୍ୟେକ ବିଭାଗରୁ କଟିଥିବାରୁ ପିଲାମାନେ ସବୁ ବିଷୟରେ ସମ୍ପୂର୍ଣ୍ଣ ଅବଗତ ନୁହନ୍ତି, ଯେଉଁଥିପାଇଁ ନିକଟରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷାଗୁଡ଼ିକରେ ଏମାନେ ସଫଳ ହେବା ମୁସ୍କିଲ୍‌ ହେବ। ଏମିତିରେ ପର୍ଯ୍ୟାପ୍ତ ସମୟ ନାହିଁ ସେହି ସତୁରି ପ୍ରତିଶତ ପାଠକୁ ଆହରଣ କରିବାକୁ। ଏସବୁ ସ୍ଥିତିକୁ ପଙ୍ଖାନୁପୁଙ୍ଖ ଆଲୋଚନା କଲେ ମନେହେଉଛି ଏମାନେ ଏକ କଠୋର ପରିସ୍ଥିତି ଦେଇ ଗତିକରୁଛନ୍ତି ଯେପରି! କୋଭିଡ୍‌ ପାଇଁ ଯାହାସବୁ କ୍ଷତି ହୋଇଛି, ସେସବୁ ଭିତରେ ଏହି ବର୍ଗର ବିଦ୍ୟାର୍ଥୀମାନେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି।
ଦ୍ୱିତୀୟ କଥା ହେଲା, ନିଟ୍‌ ତା’ର ବିଷୟବସ୍ତୁରେ କୌଣସି ପରିବର୍ତ୍ତନ କରିନାହିଁ ଯଦିଓ ଏଥର ପିଲାମାନଙ୍କ କୋର୍ସରୁ କିଛି ବିଷୟ କଟିଛି। ତେଣୁ ଏଥର ଅଗଷ୍ଟ ଏକ ତାରିଖରେ ହେଉଥିବା ନିଟ୍‌ ପରୀକ୍ଷାରେ ଏହି ଶିକ୍ଷାବର୍ଷର ପିଲାମାନେ ସଫଳ ହେବା ଅନିଶ୍ଚିତ; ଯାହାର ଫାଇଦା ପୂର୍ବ ବର୍ଷର ପିଲାମାନେ ବେଶି ପାଇପାରିବେ। ଏହି ଶିକ୍ଷାବର୍ଷର ପିଲାମାନେ କେବଳ ଏ ବର୍ଷ କାହିଁକି ଆସନ୍ତା ବର୍ଷଗୁଡ଼ିକରେ ବି ଅନେକ ଅସୁବିଧାର ସମ୍ମୁଖୀନ ହେବେ। ବର୍ତ୍ତମାନ ସମୟରେ ଆବଶ୍ୟକତାକୁ ଅନୁଧ୍ୟା କରି ଛାତ୍ରୀଛାତ୍ରମାନଙ୍କ ପାଇଁ ସ୍ବତନ୍ତ୍ର ନିୟମ ପ୍ରଣୟନ ହେବା ଉଚିତ।
ଏସବୁ ଦିଗବାଗକୁ ଦୃଷ୍ଟିରେ ରଖି ନୂତନ ପଦକ୍ଷେପ ନିଆଗଲେ ପିଲାମାନଙ୍କ ମନଭିତରର ଅନିଶ୍ଚିତତା ଉଭେଇଯିବ। ଯଦି ଏମାନଙ୍କ ପାଇଁ ପ୍ରବେଶିକା ପରୀକ୍ଷାଗୁଡ଼ିକରେ କିଛି ପରିବର୍ତ୍ତନ କରାଯାଇପାରନ୍ତା କିମ୍ବା ସ୍ଥିତିକୁ ଆଗରେ ରଖି ନୂତନ ଯୋଜନା ପ୍ରସ୍ତୁତ କରାଯାଆନ୍ତା, ତେବେ ବହୁତ ଛାତ୍ରୀଛାତ୍ର ଉପକୃତ ହୁଅନ୍ତେ। କୋଭିଡ୍‌ ମହାମାରୀର ମୁକାବିଲା ପାଇଁ ସରକାର ବହୁତ ଗଠନମୂଳକ କାର୍ଯ୍ୟ କରି ବିଶ୍ୱ ଦରବାରରେ ଉଚ୍ଚପ୍ରଶଂସିତ ହୋଇଛନ୍ତି। ଚ୍ୟାଲେଞ୍ଜଗୁଡ଼ିକୁ ସତର୍କତାର ସହ ଗ୍ରହଣ କରି ଲୋକପ୍ରିୟତା ହାସଲ କରିଛନ୍ତି। ଏବର୍ଷ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ସେହିପରି କିଛି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଗଲେ ସେମାନେ ମଧ୍ୟ ନିଜ ମନଲାଖି ଭବିଷ୍ୟତ ଚୟନ କରିପାରନ୍ତେ ତଥା ଉଭୟ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଉପକୃତ ହୁଅନ୍ତେ।
mousumi.mama7@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri