ଲଣ୍ଡନ,୧୮ା୬: ୟୁକ୍ରେନ୍କୁ ୟୁରୋପୀୟ ୟୁନିୟନର ସଦସ୍ୟତା ପ୍ରଦାନ ଲାଗି ଏହାର କାର୍ଯ୍ୟନିର୍ବାହୀ ସଂଗଠନ ଶୁକ୍ରବାର ସୁପାରିସ କରିଛି। ରୁଷିଆ ଆକ୍ରମଣର ସମ୍ମୁଖୀନ ହୋଇଥିବା ୟୁକ୍ରେନ୍ ୨୭ ରାଷ୍ଟ୍ରବିଶିଷ୍ଟ ୟୁରୋପୀୟ ସଂଘରେ ସାମିଲ ହେଲେ ମହାଦେଶରେ ଶାନ୍ତି ରକ୍ଷା ହୋଇପାରିବ। ତେବେ ୟୁରୋପୀୟ କମିଶନ ସୁପାରିସ ଏ ଦିଗରେ ପ୍ରଥମ ପଦକ୍ଷେପ। ଇୟୁ ସଦସ୍ୟତା ପାଇବା ପାଇଁ ହୁଏତ ୧୦ ବର୍ଷ ଲାଗିଯାଇପାରେ ବୋଲି କୁହାଯାଉଛି। ୟୁରୋପୀୟ କମିଶନଙ୍କ ସୁପାରିସ ଉପରେ ଆସନ୍ତା ସପ୍ତାହରେ ବ୍ରସେଲ୍ସରେ ବସିବାକୁ ଥିବା ୨୭ ସଦସ୍ୟ ବିଶିଷ୍ଟ ୟୁରୋପୀୟ ୟୁନିୟନରେ ଆଲୋଚନା କରାଯିବ। ଏଥିପାଇଁ ସବୁ ସଦସ୍ୟ ରାଷ୍ଟ୍ରଙ୍କ ସମ୍ମିଳିତ ଅନୁମୋଦନ ଆବଶ୍ୟକ।
ଫେବୃୟାରୀ ୨୪ରୁ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଥିବାବେଳେ କିଭ୍ ପ୍ରତିଆକ୍ରମଣରେ ପଛଘୁଞ୍ଚା ଦେଇନାହିଁ। ଏହି ଯୁଦ୍ଧରେ ବହୁ ଧନଜୀବନ କ୍ଷୟକ୍ଷତି ହେଲାଣି ଓ ଲକ୍ଷ ଲକ୍ଷ ଲୋକ ଦେଶ ଛାଡ଼ି ପଳାଇଗଲେଣି। ୟୁକ୍ରେନ୍ର ପୂର୍ବଭାଗରେ ଥିବା ଡୋନବାସ ଅଞ୍ଚଳରେ ରୁଷିଆ ସୈନ୍ୟ ଆକ୍ରମଣ ଚଳାଇଛନ୍ତି।