ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି । ଏହି ଦୁଇ ଦେଶର ସହଭାଗୀ ମୂଲ୍ୟବୋଧ, ଲୋକଙ୍କ ସହ ସମ୍ପର୍କ ଏବଂ ସବୁ ପ୍ରମୁଖ ପ୍ରସଙ୍ଗରେ ରଣନୀତିକ ବୁଝାମଣା ନୂତନ ଶତାବ୍ଦୀ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। କିନ୍ତୁ ସହଭାଗିତାର ଏଭଳି ଜଣାଶୁଣା କଥା ମୂଲ୍ୟହୀନ ହେବାକୁ ଯାଉଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ସର୍ବସାଧାରଣରେ ଅପମାନ ଦେବା ଏବଂ ଟାରିଫ୍‌କୁ ଅସ୍ତ୍ର ଭାବରେ ପ୍ରୟୋଗ କରିବା ଯୋଗୁ ଭାରତ ଓ ଆମେରିକା ସମ୍ପର୍କ କିଭଳି ପ୍ରଭାବିତ ହେଉଛି ସେ ବିଷୟରେ ଅନେକ କିଛି କୁହାଯାଇଛି। ୨୦୨୫ରେ ଟ୍ରମ୍ପ ହ୍ବାଇଟ ହାଉସକୁ ଫେରିବାର ବହୁ ପୂର୍ବରୁ ଦ୍ୱିପାକ୍ଷିକ ସମ୍ପର୍କ ଚାପରେ ରହିଥିଲା। ନିକଟ ଅତୀତରେ ଚାଇନାର ବିସ୍ତାରିତ ରଣନୀତିକ ପଦକ୍ଷେପ ଯୋଗୁ ଭାରତର ଆଞ୍ଚଳିକ ସ୍ଥିତି କ୍ରମାଗତ ଭାବରେ ଅବକ୍ଷୟ ହୋଇଆସୁଛି। ଆମେରିକା ଅନେକ ନୀତି ଆପଣାଇଛି, ଯାହା ଭାରତୀୟ ସ୍ବାର୍ଥକୁ ଅଣଦେଖା କରିବା ସହ ବେଳେବେଳେ ସ୍ବାର୍ଥରେ ସିଧାସଳଖ ବାଧା ସୃଷ୍ଟି କରୁଛି।
ବାଂଲାଦେଶ ହେଉଛି ଏହାର ଏକ ଉଦାହରଣ। ୨୦୨୪ରେ ସେନା ସମର୍ଥନରେ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ବହିଷ୍କାର ପରେ ଆମେରିକା ସେଠାକାର ଶାସନ ପରିବର୍ତ୍ତନକୁ ସମର୍ଥନ କରିଥିଲା। କିନ୍ତୁ ଏହା ଗୁରୁତର ବିପଦ ସୃଷ୍ଟି କରିବ ବୋଲି ଭାରତ ଜାଣିଥିଲା, ଯାହା ପରେ ବାସ୍ତବ ରୂପ ନେଇଛି। ବାଂଲାଦେଶରେ ଉଗ୍ରବାଦୀ ହିଂସା ଉଗ୍ର ରୂପ ନେଇଛି, ଯାହାଦ୍ୱାରା ଉତ୍ତରପୂର୍ବ ଭାରତର ସୀମାନ୍ତ ଅଞ୍ଚଳରେ ସ୍ଥିରତା ପ୍ରତି ବିପଦ ସୃଷ୍ଟି ହୋଇଛି। ମ୍ୟାନ୍‌ମାର କଥା ଦେଖନ୍ତୁ। ୨୦୨୧ରୁ ସେଠାରେ ସେନା ଦ୍ୱାରା ଏକ ନିର୍ବାଚିତ ସରକାର ବିତାଡ଼ିତ ହେବା ପରଠାରୁ ଆମେରିକା ଜୁଣ୍ଟାଙ୍କ ପ୍ରତି ଏକ ଦଣ୍ଡାତ୍ମକ ଆଭିମୁଖ୍ୟ ବଜାୟ ରଖିବା ସହ କଠୋର କଟକଣା ଲଗାଇଛି। ଏହାସହ ଭାରତର ସମ୍ବେଦନଶୀଳ ଉତ୍ତର-ପୂର୍ବ ସୀମାରେ ସୃଷ୍ଟି ହୋଇଥିବା ସୁରକ୍ଷା ବିପଦ ସତ୍ତ୍ୱେ ବିଦ୍ରୋହୀ ଗୋଷ୍ଠୀକୁ ମାରାତ୍ମକ ସାମରିକ ସହାୟତା କରିଆସୁଛି। ମାର୍ଚ୍ଚରେ, ଜଣେ ଆମେରିକୀୟଙ୍କ ସମେତ ୬ଜଣ ୟୁକ୍ରେନ ନାଗରିକ ବିନା ଅନୁମତିରେ ଭାରତର ଉତ୍ତର-ପୂର୍ବ ଅଞ୍ଚଳରେ ପ୍ରବେଶ କରିଥିବା ଯୋଗୁ ସେମାନଙ୍କୁ ଗିରଫ କରାଯାଇଥିଲା। ସେମାନେ ଭାରତ ସୀମା ପାର ହୋଇ ମ୍ୟାନ୍‌ମାରରେ ଡ୍ରୋନ୍‌ ଯୁଦ୍ଧ ପାଇଁ ଜୁଣ୍ଟା ବିରୋଧୀ ସଂଗ୍ରାମୀଙ୍କୁ ତାଲିମ ଏବଂ ଅସ୍ତ୍ରଶସ୍ତ୍ର ଦେବା ପାଇଁ ଯାଉଥିଲେ।
ଭୌଗୋଳିକ, ସାଂସ୍କୃତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଭାରତ ସହ ନେପାଳର ସମ୍ପର୍କ ରହିଥିଲେ ବି ଆମେରିକା ଏହାକୁ ଭାରତ ନୀତିର ଏକ ଅଂଶ ଭାବରେ ଦେଖୁନାହିଁ; ବରଂ ନିଜସ୍ବ ରଣନୀତିକ ପ୍ରାଥମିକତା ଭାବରେ ନେପାଳକୁ ବ୍ୟବହାର କରିବା ଆରମ୍ଭ କରିଛି। ବର୍ଷେ ଦୁଇ ବର୍ଷ ମଧ୍ୟରେ ଆମେରିକାର ଉଚ୍ଚ ସ୍ତରୀୟ ଅଧିକାରୀମାନେ କାଠମାଣ୍ଡୁକୁ ବାରମ୍ବାର ଗ୍ରସ୍ତରେ ଯାଇଛନ୍ତି, ହେଲେ ପୂର୍ବରୁ ନୂଆଦିଲ୍ଲୀ ବାଟ ଦେଇ ଯିବାର ଯେଉଁ ପରମ୍ପରା ଥିଲା ତାହାକୁ ଅନେକ କ୍ଷେତ୍ରରେ ସେମାନେ ଭଙ୍ଗ କରିଛନ୍ତି। ପାକିସ୍ତାନ ସହ ନିବିଡ଼ ସମ୍ପର୍କ ସ୍ଥାପନ କରି ଟ୍ରମ୍ପ ଆଞ୍ଚଳିକ ସମସ୍ୟାକୁ ଆହୁରି ଜଟିଳ କରିଦେଇଛନ୍ତି। ଆତଙ୍କବାଦୀ ଗୋଷ୍ଠୀକୁ ପାକିସ୍ତାନ ସୁରକ୍ଷିତ ସ୍ଥାନ ଦେବା ସହ ସାମରିକ ତଥା ଗୁପ୍ତଚର ସହାୟତା ଜାରି ରଖିଥିବା ବିଷୟରେ ସେ କେବେ ବି ଭାବିନାହାନ୍ତି। ଏହାସହ ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିର ଗତ ନଭେମ୍ବରରେ ସାମ୍ବିଧାନିକ କ୍ଷମତା ଦଖଲ କରିବା କଥା ବି ଚିନ୍ତା କରିନାହାନ୍ତି। ଟ୍ରମ୍ପଙ୍କ ପରିବାର ସଦସ୍ୟ ଏବଂ ବ୍ୟବସାୟ ସହଯୋଗୀମାନେ ପାକିସ୍ତାନ ସହ ଲାଭଜନକ ଚୁକ୍ତି କରିଛନ୍ତି । ଏହିସବୁ କାରଣରୁ ଉପମହାଦେଶରେ ବିପଜ୍ଜନକ ରଣନୀତିକ ଗତିଶୀଳତାକୁ ପୁନର୍ଜୀବିତ କରିବା ପାଇଁ ଟ୍ରମ୍ପ ପ୍ରଶାସନ ଲାଗିପଡ଼ିଛି।
ଚାଇନା ସହ ବିବାଦ କମ୍‌ କରିବା ସକାଶେ ଆମେରିକା ଏବେ ଆପୋସ ବୁଝାମଣା କରିବା ଆରମ୍ଭ କରିଛି। ଦୁଇ ମହାଶକ୍ତି ମଧ୍ୟରେ ରଣନୀତିକ ପ୍ରତିଯୋଗିତା ତୀବ୍ର ରହିଥିଲେ ବି ଏବେ କେତେକ କ୍ଷେତ୍ରରେ ବୁଝାମଣାରେ ପରିବର୍ତ୍ତନ ଅଧିକ ଅନିଶ୍ଚିତତା ସୃଷ୍ଟି କରିଛି। ହେଲେ ଟ୍ରମ୍ପ ପ୍ରଶାସନ ଭାରତ ପ୍ରତି ଏହା କରୁନାହିଁ, ଯଦିଓ ଚାଇନା ପ୍ରତି ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ ଭାବରେ କାର୍ଯ୍ୟ କରିବାର କ୍ଷମତା ଭାରତର ଅନେକ ଦିନରୁ ରହିଆସିଛି । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ପ୍ରଭୁତ୍ୱ ବିରୋଧରେ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ ଗଡ଼ ଭାବେ ଦେଖିଆସିଥିଲେ ମଧ୍ୟ ଭାରତର ଆଞ୍ଚଳିକ ପ୍ରାଧାନ୍ୟକୁ ଆମେରିକା ବିରୋଧ କରୁଛି। ଫେବୃଆରୀରେ ଆମେରିକାର ସହକାରୀ ବୈଦେଶିକ ସଚିବ ସମୀର ପଲ କପୁର ସ୍ପଷ୍ଟ ଭାବେ କହିଛନ୍ତି, ”ଦକ୍ଷିଣ ଏସିଆରେ କୌଣସି ଦେଶର ଅଧିକ ପ୍ରଭାବ ବୃଦ୍ଧିକୁ ପ୍ରତିହତ କରିବା ପାଇଁ ଆମେରିକା ଚେଷ୍ଟା କରୁଛି। କପୁରଙ୍କ ମନ୍ତବ୍ୟ ହେଉଛି -ଟ୍ରମ୍ପ ପ୍ରଶାସନର ଜାତୀୟ ସୁରକ୍ଷା ରଣନୀତି (ଏନ୍‌ଏସ୍‌ଏସ୍‌)ର ପ୍ରତିଫଳନ। ଏହା ଅନୁଯାୟୀ ଆମେରିକା କୌଣସି ରାଷ୍ଟ୍ରକୁ ପ୍ରାଧାନ୍ୟ ବିସ୍ତାରକୁ ଅନୁମତି ଦେଇପାରିବ ନାହିଁ, ଯାହା ଆମେରିକାର ସ୍ବାର୍ଥ ପ୍ରତି ବିପଦ ଆଣିପାରେ । ବିଶ୍ୱ ତଥା ଆଞ୍ଚଳିକ କ୍ଷମତାରେ ସନ୍ତୁଳନ ବଜାୟ ରଖିବା ଆବଶ୍ୟକ ବୋଲି କପୁର କହିଛନ୍ତି।
ଆମେରିକାର ଦୃଷ୍ଟିକୋଣରେ, ଅଧିକ ବହୁମୁଖୀ ଆଞ୍ଚଳିକ ବ୍ୟବସ୍ଥା ଆମେରିକାର ସ୍ବାର୍ଥ ପାଇଁ ଅଧିକ ସ୍ଥିର ଏବଂ ଅନୁକୂଳ ।
ଏହା ଉପରେ କୌଣସି ଦେଶ ଏପରି କି ଏକ ଘନିଷ୍ଠ ‘ରଣନୀତିକ ଭାଗୀଦାରି’ ଦେଶର ପ୍ରାଧାନ୍ୟ ରହୁ ବୋଲି ଆମେରିକା ଚାହେଁ ନାହିଁ। ୨୦୧୭ର ପ୍ରଶାସନରେ ମଧ୍ୟ ଏନ୍‌ଏସ୍‌ଏସ୍‌ କେବଳ ଭାରତ ବିଷୟରେ ଉଲ୍ଲେଖ କରି ସୂଚାଇ ଦେଇଥିଲା ଯେ ଆମେରିକା ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ନିରାପତ୍ତା ପାଇଁ ସହଯୋଗକୁ ଉତ୍ସାହିତ କରିବା ଲାଗି ଭାରତ ସହିତ ବାଣିଜି୍ୟକ (ଏବଂ ଅନ୍ୟାନ୍ୟ) ସମ୍ପର୍କ ବଢ଼ାଇବା ପାଇଁ ଚାହେଁ। ଆମେରିକାର ଦ୍ୱନ୍ଦ୍ୱ ବା ସମସ୍ୟା କେବଳ ଭୌଗୋଳିକ ନୁହେଁ। ନିକଟରେ ଆମେରିକାର ଡେପୁଟି ସେକ୍ରେଟାରୀ ଖ୍ରୀଷ୍ଟୋଫର ଲାଣ୍ଡାଉ ନୂଆଦିଲ୍ଲୀ ଗସ୍ତରେ ଆସି କହିଥିଲେ, ଆମେ ୨୦ ବର୍ଷ ପୂର୍ବେ ଚାଇନା ସହ ଯେଉଁ ଭୁଲ୍‌ କରିଥିଲୁ ସେହି ଭୁଲ୍‌ ଭାରତ ସହ କରିବାକୁ ଯାଉନାହୁଁ। ଆମେ ଭାରତକୁ ସବୁପ୍ରକାର ମାର୍କେଟ ବିକଶିତ କରିବା ସହ କୌଣସି ବ୍ୟବସାୟିକ କ୍ଷେତ୍ରରେ ଆମେରିକାକୁ ପରାସ୍ତ କରୁ ବୋଲି ଅନୁମତି ଦେଉଛୁ । ବାର୍ତ୍ତା ପୂରା ସ୍ପଷ୍ଟ। ଆମେରିକା ଭାରତକୁ ଏକ ଆଞ୍ଚଳିକ ତଥା ଅର୍ଥନୈତିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ନିୟନ୍ତ୍ରଣ କରିବାକୁ ଚାହୁଁଥିବାବେଳେ ରଣନୀତିକ ଭାଗୀଦାରି ଭାବରେ କମ୍‌ ଦେଖୁଛି।
ଭାରତ ଏହି ନୂତନ ବାସ୍ତବତା ସହିତ ଖାପ୍‌ ଖୁଆଇବା ଆବଶ୍ୟକ, ଯାହା ପାଇଁ ରଣନୀତିକ ଚିନ୍ତାଧାରାରେ ଏକ ମୌଳିକ ପରିବର୍ତ୍ତନ ଦରକାର। ଦକ୍ଷିଣ ଏସିଆ ତଥା ଏହାର ବାହାରେ ପ୍ରଭାବ ବଜାୟ ରଖିବା ପାଇଁ ଭାରତ ଆମେରିକା ସହିତ ଏହାର ଘନିଷ୍ଠ ସମ୍ପର୍କ ଉପରେ ଆଉ ନିର୍ଭର କରିପାରିବ ନାହିଁ। ଏହା ବଦଳରେ, ଭାରତ ଆର୍ଥିକ ଯୋଗଦାନ, ପଡ଼ୋଶୀ ରାଜ୍ୟ ପ୍ରତି ରାଜନୈତିକ ସମ୍ବେଦନଶୀଳତା ଏବଂ ଛୋଟ ଛୋଟ ଦେଶକୁ ଆକର୍ଷିତ କରୁଥିବା ସାମଗ୍ରୀର ବିତରଣ ମାଧ୍ୟମରେ ଆଞ୍ଚଳିକ ପ୍ରଭାବ ବଢ଼ାଇବା ଆବଶ୍ୟକ ।
ଆମେରିକା ମଧ୍ୟ ଏହାର ଆଭିମୁଖ୍ୟରେ ପୁନର୍ବିଚାର କରିବା ଉଚିତ। ଏହା ହୁଏତ ଅଧିକ ବିବିଧ ଆଞ୍ଚଳିକ ବ୍ୟବସ୍ଥା ଚାହିଁପାରେ, କିନ୍ତୁ ଏହା ଭାରତ ସହ ସହଭାଗିତା ବିନିମୟରେ ଆସିପାରିବ ନାହିଁ, ଯେଉଁଥିପାଇଁ ଚାଇନା ଉତ୍‌ଥାନର ପରିଚାଳନାଠାରୁ ଆରମ୍ଭ କରି ଭାରତ-ପ୍ରଶାନ୍ତ ମହାସାଗରରେ ସ୍ଥିରତା ରକ୍ଷା କରିବା ପର୍ଯ୍ୟନ୍ତ ଏହା ଗୁରୁତ୍ୱପୂର୍ଣ୍ଣ ସ୍ବାର୍ଥରେ ସହଭାଗୀ ହେବାରେ ଲାଗିଛି। ଭାରତର ପଡ଼ୋଶୀ ଦେଶରେ ଏହାର ସ୍ଥିତିକୁ ଧୀରେ ଧୀରେ ଦୁର୍ବଳ କରୁଥିବା ନୀତିସବୁ ଏହି ଭାଗୀଦାରି ଲକ୍ଷ୍ୟକୁ ଦୁର୍ବଳ କରିପାରେ। ଟ୍ରମ୍ପ ପ୍ରଶାସନ ଆଶା କରୁଛି ଯେ ଆମେରିକା ଏବଂ ଭାରତ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ ହୋଇଥିଲେ ବି ବୈଶ୍ୱିକ ଭାଗୀଦାରି ହୋଇପାରିବେ। କିନ୍ତୁ ଏହା ଏତେ ସହଜ କାର୍ଯ୍ୟ ହେବ ନାହିଁ ।

ବ୍ରହ୍ମ ଚେଲାନି
– ପ୍ରଫେସର (ଏମରିଟସ ଅଫ୍‌ ଷ୍ଟ୍ରାଟେଜିକ ଷ୍ଟଡିଜ୍‌)
ସେଣ୍ଟର ଫର୍‌ ପବ୍ଲିକ ରିସର୍ଚ୍ଚ, ନୂଆଦିଲ୍ଲୀ

 

Dharitri – Odisha’s No.1 Odia Daily