ଜନ୍ମନେଲେ ୨୮ ଘଡ଼ିଆଳ ଶାବକ

ବନ୍ତଳା,୨୩ା୫(ଡି.ଏନ.ଏ.): ସାତକୋଶିଆ ଅଭୟାରଣ୍ୟର ଅନୁଗୋଳ ଜିଲା ମହାନଦୀ ଗଣ୍ଡରେ ଶନିବାର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଗଣ୍ଡର ଉପରମୁଣ୍ଡ ବଳଦମରା ଠାରେ ୨୮ ଘଡ଼ିଆଳ ଶାବକ ଜନ୍ମ ନେବା ସହ ଦୀର୍ଘ ୪୦ ବର୍ଷର ଅଭିଯାନ ସଫଳ ହୋଇଛି। ଫଳରେ ସାତକୋଶିଆ ଅଭୟାରଣ୍ୟ ଆଉ ଏକ ଇତିହାସ ରଚିଛି।

ପ୍ରକାଶ ଯେ, ଘଡ଼ିଆଳ ପ୍ରଜାତିର କୁମ୍ଭୀରଙ୍କ ଆବାସସ୍ଥଳୀ ପାଇଁ ସାତକୋଶିଆ ଗଣ୍ଡ ଏକ ଉପଯୁକ୍ତ ସ୍ଥାନ। ହେଲେ ମଗର ପ୍ରଜାତିର କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ହେଉଥିବାବେଳେ ଏଠାରେ ଘଡ଼ିଆଳଙ୍କ ସଂଖ୍ୟା ହାତଗଣତିକୁ ଚାଲିଆସିଛି। ବାରମ୍ବାର ଉଦ୍ୟମ ସତ୍ତ୍ୱେ ଘଡ଼ିଆଳଙ୍କ ବଂଶ ବୃଦ୍ଧି ହୋଇପାରୁ ନାହିଁ। ତେବେ ଶନିବାର ଗଣ୍ଡର ଉପରମୁଣ୍ଡରେ ଥିବା ବଳଦମରା ଠାରେ ବନ କର୍ମଚାରୀମାନେ ସକାଳେ ପାଟ୍ରୋଲିଂ କରୁଥିବାବେଳେ ଏକ ବିରଳ ଦୃଶ୍ୟ ଦେଖିବାକୁ ପାଇଥିଲେ। ଘଡ଼ିଆଳ ଅଣ୍ଡାରୁ ଶାବକ ବାହାରି ନଦୀ କୂଳରେ ମା’ ସହ ଖେଳୁଥିବା କର୍ମଚାରୀମାନେ ଦେଖି ଟିକରପଡା ରେଞ୍ଜ ଅଧିକାରୀ ଓ ସାତକୋଶିଆ ଡିଏଫ୍‌ଓ ରବି ମିନାଙ୍କୁ ଜଣାଇଥିଲେ। ପରେ ଗଣ୍ଡକୁ ସମ୍ପୂର୍ଣ୍ଣ ସିଲ୍‌ କରାଯିବା ସହ ଶାବକ ଥିବା ସ୍ଥାନର ୨ଶହ ମିଟର ମଧ୍ୟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମାଛଧରା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଦୀପ ରାଜ କରାଟେ କହିଛନ୍ତି, ଦୀର୍ଘ ବର୍ଷର ଯୋଜନା ସଫଳ ହୋଇଛି। ପ୍ରାଥମିକ ତଦନ୍ତରୁ ୨୮ ଶାବକ ଜନ୍ମ ନେଇଥିବା ଜଣାପଡିଛି। ଆଗକୁ ଏହି ସଂଖ୍ୟା ବଢ଼ିପାରେ।