ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ, ସୋହେଲା ଥାନା ଶ୍ରୀଗିଡ଼ା ଗ୍ରାମର କମଳ ବାରିକ। ସେ ଜିଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ବୋଲି ପୋଲିସ୍‌ ସୂଚନା ଦେଇଛି। ଗିରଫ ଅଭିଯୁକ୍ତଙ୍କୁ ଶନିବାର ବରଗଡ଼ କୋର୍ଟକୁ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବା ଯୋଗୁ ତାଙ୍କୁ ବରଗଡ଼ ଜିଲା କାରାଗାରକୁ ପଠାଇ ଦିଆଯାଇଛି। ତାଙ୍କ ବିରୋଧରେ ଭଟଲି ଥାନା ପୋଲିସ୍‌ ଏକ ମାମଲା(ନଂ-୧୪୫/୨୬) ରୁଜୁ କରିଛି। ଏହା ସହିତ ପୋଲିସ୍‌ ଚୋରି ହୋଇଥିବା ଏଲଇଡି ଟିଭିକୁ ଉଦ୍ଧାର କରିଛି।
ସୂଚନା ଅନୁଯାୟୀ, ଜିଲା ମୁଖ୍ୟ ଡାକ୍ତରଖାନା ପ୍ରତୀକ୍ଷାଳୟରେ ଲାଗିଥିବା ଏଲ୍‌ଇଡି ଟିଭି ଚୋରି ହୋଇ ଯାଇଥିଲା। ଏ ନେଇ ଗତ ୨୮ତାରିଖ ଡାକ୍ତରଖାନା ଅଧୀକ୍ଷକ ଭଟଲି ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ଭିତ୍ତି ପୋଲିସ ଉପରୋକ୍ତ ମାମଲା ରୁଜୁ ସହିତ ତଦନ୍ତ ଚଲାଇଥିଲା। ତେବେ ଅଭିଯୁକ୍ତ ଜଣକ ସେଠାରେ ଲାଗିଥିବା ସିସିଟିଭିରେ ସାଲୋଟାବ୍‌ ଲଗାଇ ଚୋରି ଘଟଣାରୁ ଖସିଯିବାକୁ ଉଦ୍ୟମ କରିଥିଲେ ବୋଲି ପୋଲିସ୍‌ କହିଛି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
Dharitri – Odisha’s No.1 Odia Daily

Share