ଓ୍ବାଶିଂଟନ/ତେହରାନ୍,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ପ୍ରଶମିତ କରିବା ପାଇଁ ଆମେରିକା ସମୁଦ୍ରରେ ଅଟକି ରହିଥିବା ଇରାନୀୟ ତୈଳ ବିକ୍ରି ଉପରୁ ସାମୟିକ ଭାବେ କଟକଣା ହଟାଇଛି। ମାସକ ପାଇଁ କଟକଣା ହଟାଯାଇଥିବାବେଳେ ବିଶ୍ୱ ବଜାରେ ୧୪୦ ନିୟୁତ ବ୍ୟାରେଲ୍ ଇରାନୀୟ ତୈଳ ଉପଲବ୍ଧ ହେବ ବୋଲି ଆମେରିକା ଟ୍ରେଜେରି ସଚିବ ସ୍କଟ୍ ବେସେଣ୍ଟ କହିଛନ୍ତି। ତେବେ ଏହି ସାମୟିକ ରିହାତି କେବଳ ଜାହାଜରେ ଲୋଡ୍ ହୋଇଥିବା ତୈଳ ପାଇଁ ସୀମିତ। ନୂଆ କ୍ରୟ କିମ୍ବା ଉତ୍ପାଦନକୁ ଅନୁମତି ମିଳିବ ନାହିଁ ବୋଲି ବେସେଣ୍ଟ Xରେ ଲେଖିଛନ୍ତି।
ଇରାନ ଯୁଦ୍ଧ ପୂର୍ବରୁ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ ଅଶୋଧିତ ତୈଳ ଦର ବ୍ୟାରେଲ୍ ପ୍ରତି ୭୦ ଡଲାର ରହିଥିବାବେଳେ ଏବେ ତାହା ୧୧୯.୫୦ ଡଲାରରେ ପହଞ୍ଚିଛି। ଦର ହ୍ରାସ ଲକ୍ଷ୍ୟରେ ଆମେରିକାର ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନ ସୀମିତ ସମୟ ପାଇଁ ଇରାନ ତୈଳ ଉପରୁ କଟକଣା ହଟାଇଥିବାରୁ ଭାରତୀୟ ରିଫାଇନେରି କମ୍ପାନୀଗୁଡ଼ିକ ସେଠାରୁ ତୈଳ କିଣା ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ଭାରତ ଏବେ ସମୁଦ୍ରରେ ଅଟକି ରହିଥିବା ରୁଷିଆ ତୈଳ କିଣୁଛି। ସେହିପରି ଅନ୍ୟ କେତେକ ଦେଶ ମଧ୍ୟ ଇରାନ ତୈଳ କିଣିବାକୁ ଆଗ୍ରହୀ ଥିବାବେଳେ ଅନ୍ତର୍ଜାତୀୟ କ୍ରେତାମାନଙ୍କ ପାଇଁ ସମୁଦ୍ରରେ ତେହରାନ୍ର ବଳକା ଅଶୋଧିତ ତୈଳ ଗଚ୍ଛିତ ନ ଥିବା ଏହାର ମନ୍ତ୍ରଣାଳୟ କହିଛି। ମୁମ୍ବାଇରେ ଥିବା ଇରାନ ବାଣିଜି୍ୟକ ଦୂତାବାସ ପକ୍ଷରୁ ଏକ ବିବୃତି ଜରିଆରେ କୁହାଯାଇଛି, ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ଯୋଗାଇବା ପାଇଁ ତେହରାନ୍ ପାଖରେ ଅତିରିକ୍ତ ତୈଳ ମହଜୁଦ ନାହିଁ। ତୈଳ କିଣୁଥିବା ଦେଶଗୁଡ଼ିକୁ ପୁନର୍ବାର ଆଶ୍ୱାସନା ଦେବା ଏବଂ ବଜାର ମନୋଭାବ ପରିଚାଳନା କରିବା ଲକ୍ଷ୍ୟରେ ଆମେରିକା ଟ୍ରେଜେରି ବିଭାଗ କଟକଣା ହଟାଇବା କଥା କହିଥିବା ଇରାନ କନ୍ସୁଲେଟ୍ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ କଟକଣା ଲାଗିଥିବା ଇରାନ ତୈଳକୁ ଚାଇନା ଶସ୍ତାରେ ମହଜୁଦ କରି ରଖିଥିବା ଆମେରିକୀୟ ଅଧିକାରୀ ଅଭିଯୋଗ କରିଛନ୍ତି।

