ମୋହନା,୨୮ା୧୧(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଗୁରୁବାର ରାତିରେ ଜରଉ ଘାଟିରେ ଏକ ମକା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ଜୀବନ ଚାଲିଯାଇଛି। ମୃତ ଡ୍ରାଇଭର ଜଣକ ହେଲେ ଗଞ୍ଜାମ ଜିଲା ଆସିକା ଅଞ୍ଚଳର ନୂଆଗାଁର ରମେଶ ଚନ୍ଦ୍ର ଦଳାଇ (୫୦)।
ସୂଚନାନୁଯାୟୀ, ମୋହନା ଅଞ୍ଚଳରୁ ମକା ବସ୍ତା ନେଇ ଗଞ୍ଜାମ ଜିଲା ବଡ଼ଗଡ଼ ଯିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ମୋହନା ଥାନାକୁ ଖବର ଦେଇଥିଲେ। ମୋହନା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ମୃତ ଡ୍ରାଇଭରଙ୍କୁ ଉଦ୍ଧାର କରି ମୋହନା ମେଡିକାଲରେ ପହଞ୍ଚାଇଥିଲେ। ମୋହନା ପୋଲିସ ଏକ ମାମଲା ରୁଜୁ କରି ଟ୍ରକ୍ ଓ ମୃତଦେହକୁ ଜବତ କରି ତଦନ୍ତ କରୁଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ କହିଛନ୍ତି।


