ଜନ୍ମମାଟି ବରପାଲିରେ ଶହୀଦ ପ୍ରେମରାଜଙ୍କୁ ଅଶ୍ରୁଳ ବିଦାୟ: ତୋପ ସଲାମୀ ସହ ସମ୍ପନ୍ନ ହେଲା…

ବରପାଲି, ୧୩।୫(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ବ୍ଲକର କୁମ୍ଭାରୀ ଗାଁର ବୀର ସନ୍ତାନ ପ୍ରେମରାଜ ମଲ୍ଲିକଙ୍କ ପାର୍ଥିବ ଶରୀର ନିଜ ଜନ୍ମମାଟିରେ ପହଞ୍ଚିବା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଭାରତୀୟ ନୌସେନାରେ କାର୍ଯ୍ୟରତ ପ୍ରେମରାଜ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଶହୀଦ ହୋଇଛନ୍ତି। ବୁଧବାର ଦିନ ତାଙ୍କ ଜନ୍ମମାଟି କୁମ୍ଭାରୀ ଗ୍ରାମରେ ନୌସେନା ବାହିନୀ ଓ ପୋଲିସ ପ୍ରଶାସନ ପକ୍ଷରୁ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମୀ ଦିଆଯାଇ ଶେଷ ବିଦାୟ ଦିଆଯାଇଛି।

କୁମ୍ଭାରୀ ହାଇସ୍କୁଲରୁ ଶିକ୍ଷା ସମାପ୍ତ କରିବା ପରେ ପ୍ରେମରାଜ ବରପାଲି କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢିଥିଲେ। ପିଲାବେଳୁ ତାଙ୍କ ମନରେ ଦେଶମାତୃକାର ସେବା ପାଇଁ ଏକ ଅଦମ୍ୟ ଇଚ୍ଛା ରହିଥିଲା। ନିଜ ସ୍ବପ୍ନକୁ ସାକାର କରି ସେ ୨୦୧୨ ମସିହାରେ ଭାରତୀୟ ନୌସେନା ବାହିନୀରେ ଯୋଗ ଦେଇଥିଲେ। ଆଉ ମାତ୍ର ଗୋଟିଏ ବର୍ଷ ପରେ ସେ ଚାକିରିରୁ ଅବସର ନେଇଥାନ୍ତେ, କିନ୍ତୁ ତାହା ପୂର୍ବରୁ ସେ ଶହୀଦ ହୋଇ ଦେଶ ପାଇଁ ଅମର ହୋଇଗଲେ।

ଶହୀଦଙ୍କ ଶେଷ ଦର୍ଶନ ପାଇଁ ହଜାର ହଜାର ଦେଶପ୍ରେମୀଙ୍କ ଭିଡ଼ ଜମିଥିଲା। ଏହି ଅବସରରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ବରପାଲି ତହସିଲଦାର ରୁକ୍ମଣ ମେହେର, ଥାନାଧିକାରୀ ପ୍ରମୋଦ କୁମାର ସାହୁ,ବିଡ଼ିଓ ସୁମନ୍ତ କୁମ୍ଭାର, ଏନ୍‌ଏସଇଓ ଭୁବନ ଶତପଥୀ ପ୍ରମୁଖ ଥିଲେ। ଏଥିସହ ପ୍ରଶାସନର ବିଭିନ୍ନ ବିଭାଗର କର୍ମଚାରୀମାନେ ଶହୀଦଙ୍କୁ ସମ୍ମାନ ଜଣାଇଥିଲେ। ଶହୀଦ ପ୍ରେମରାଜଙ୍କ ପଛରେ ତାଙ୍କ ପତ୍ନୀ ଏବଂ ଏକ କୋମଳମତି ଶିଶୁ କନ୍ୟା ରହିଛନ୍ତି। ତାଙ୍କର ଏହି ମହାନ ବଳିଦାନ କୁମ୍ଭାରୀ ଗାଁ ତଥା ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ ହୋଇ ରହିବ।

Dharitri – Odisha’s No.1 Odia Daily

Share