Categories: ଖେଳ

ମ୍ୟାଚ୍‌ ପୂର୍ବରୁ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି

ରିଓ ଡି ଜାନେଇରୋ,୧୬।୬: ଚିଲି ବିପକ୍ଷରେ ଆର୍ଜେଣ୍ଟିନା ତା’ର ପ୍ରଥମ ମ୍ୟାଚ୍‌ରେ କିମ୍ବଦନ୍ତୀ ଫୁଟ୍‌ବଲର ଡିଏଗୋ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲା। ମ୍ୟାଚ୍‌ ପୂର୍ବରୁ ମାରାଡୋନାଙ୍କ ଜୀବନୀକୁ ନେଇ ଲାଇଟ୍‌ ଓ ପ୍ରୋଜେକ୍ସନ ଦ୍ୱାରା ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ନିଲଟୋନ ସାଣ୍ଟୋସ ଷ୍ଟାଡିୟମରେ କୌଣସି ଦର୍ଶକ ଉପସ୍ଥିତ ନ ଥିଲେ ମଧ୍ୟ ଦକ୍ଷିଣ ଆମେରିକା ଫୁଟ୍‌ବଲ ପ୍ରଶାସନର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା କନ୍‌ମେବୋଲ ଦ୍ୱାରା ମାରାଡୋନାଙ୍କ ସମ୍ମାନରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ମାରାଡୋନା ମାତ୍ର ୬୦ ବର୍ଷରେ ମୃତ୍ୟୁବରଣ କରିଥିଲେ। ‘ଲିଭ୍‌ ଇଜ୍‌ ଲାଇଫ୍‌’ ନାମରେ ଏକ ୩ ମିନିଟ୍‌ର ଭିଡିଓ ମଧ୍ୟ କନ୍‌ମେବୋଲ ସୋସିଆଲ ମିଡିଆ ଚ୍ୟାନେଲରେ ପ୍ରସାରିତ କରାଯାଇଥିଲା। ଏହି ଗୀତ ମାରାଡୋନାଙ୍କ ପାଇଁ ବେଶ୍‌ ପ୍ରସିଦ୍ଧ ଥିଲା। ୧୯୮୯ରେ ବେୟନ୍ନ ମ୍ୟୁନିକ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ରେ ନାପୋଲି ତରଫରୁ ମାରାଡୋନା ପ୍ରତିନିଧିତ୍ୱ କରିଥିଲେ। ଏହି ମ୍ୟାଚ୍‌ ପୂର୍ବରୁ ନାପୋଲି ସହିତ ମାରାଡୋନା ଏହି ଗୀତ ସହିତ ଓ୍ବାର୍କଅପ କରିଥିଲେ। ସବୁ କ୍ଲବ ଓ ଆର୍ଜେଣ୍ଟିନା ତରଫରୁ ମାରାଡୋନା ଖେଳିଥିବା ମ୍ୟାଚ୍‌ର ଶାର୍ଟକୁ ମଧ୍ୟ ଏହି ଭିଡିଓରେ ପ୍ରଦର୍ଶନ କରାଯାଇଥିଲା। ମାରାଡୋନାଙ୍କ କ୍ରୀଡ଼ା ଜୀବନର ସବୁ ଗୌରବମୟ ମୁହୂର୍ତ୍ତକୁ ମଧ୍ୟ ଏଥିରେ ପ୍ରଦର୍ଶନ କରାଯାଇଥିଲା। ୧୯୮୬ରେ ମେକ୍ସିକୋ ରାଷ୍ଟ୍ରପତିଙ୍କଠାରୁ ମାରାଡୋନା ଗ୍ରହଣ କରୁଥିବା ବିଶ୍ୱକପ୍‌ ଟ୍ରଫିର ଦୃଶ୍ୟ ମଧ୍ୟ ଏହି ଭିଡିଓରେ ପ୍ରଦର୍ଶନ କରାଯାଇଥିଲା। ଇତିହାସର ଶ୍ରେଷ୍ଠ ଫୁଟ୍‌ବଲରଙ୍କୁ ଆମେ ସମ୍ମାନ ଜଣାଉଛୁ ବୋଲି କନ୍‌ମେବୋଲ ତରଫରୁ କୁହାଯାଇଛି। ୨୦୦୧ରେ ବୋକା ଜୁନିୟର୍ସ ଛାଡିବା ବେଳେ ମାରାଡୋନା ଦେଇଥିବା ଭାଷଣ ସହ ଏହି ଭିଡିଓ ଶେଷ ହୋଇଥିଲା। ମୋ ସହ ଆପଣଙ୍କର ଥିବା ଭଲ ପାଇବା କେବେ ଶେଷ ନ ହେଉ ବୋଲି ମାରାଡୋନା ତାଙ୍କର ଏହି ଭାଷଣରେ କହିଥିଲେ।

Share