Posted inଫୁରସତ

ଶ୍ରଦ୍ଧାଞ୍ଜଳି ବିଡ଼ମ୍ବନା

ଜଣେ ଥା’ନ୍ତି ପ୍ରସିଦ୍ଧ ସଂଗଠକ। ସେ ସଙ୍ଗଠକ ହିସାବରେ ଯେତିକି ଖ୍ୟାତ ଥିଲେ ତା’ଠାରୁ ଅଧିକ ଜଣେ ଶ୍ରଦ୍ଧାଞ୍ଜଳି ଲେଖକ ଭାବେ ଖ୍ୟାତି ଅର୍ଜନ କରିଥିଲେ । ଜଣା ଅଜଣା ସେ ସମସ୍ତଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଲେଖୁଥିଲେ। ଏକ ବହୁଳ ପ୍ରସାରିତ ଖବରକାଗଜରେ ଏଥିପାଇଁ ତାଙ୍କର ଏକ ନିୟମିତ ସ୍ତମ୍ଭ ଥିଲା । ସେ ସଙ୍ଗଠକ ମହାଶୟ ଲେଖିଛନ୍ତି ମାନେ ଖବରକାଗଜରେ ପ୍ରକାଶିତ ହେବା ଥୟ ।

ତାଙ୍କର ବିଶେଷତ୍ୱ ଥିଲା ସେ ଜଣାଶୁଣା ଲୋକ ବ୍ୟତିରେକ କୌଣସି ଅଜଣା ଅପରିଚିତ ଲୋକଙ୍କ ପାଇଁ ଏପରି ଶୋକବାର୍ତ୍ତା ଲେଖୁଥିଲେ ଯେ ଖୋଦ୍‌ ଚିତ୍ରଗୁପ୍ତ ବି ଭାବୁଥିବେ ଆହା ମୁଖାଗ୍ନି ପୂର୍ବରୁ ଏ ମହାନ୍‌ ବ୍ୟକ୍ତିଙ୍କ ବିଷୟରେ ସୂଚନା ପାଇଥିଲେ ତାଙ୍କ ଜୀବନ ହୁଏତ ଫେରେଇ ଦେଇ ହୋଇଥାନ୍ତା। ଏପରି ଜଣେ ମହତ୍‌ ଆତ୍ମାଙ୍କର ସ୍ବର୍ଗ ଅପେକ୍ଷା ମୃତ୍ୟୁଲୋକରେ ବେଶି ଆବଶ୍ୟକତା ଅଛି । ଯମରାଜା ଯେମିତିକା ନ୍ୟାୟବନ୍ତ ଲୋକ ନା କେବେ କ୍ଷମା କରିବେନି । ଚାକିରି ଯିବା ଭୟରେ ଚିତ୍ରଗୁପ୍ତ ନିଜ ଟିପାଖାତାକୁ ବାରବାର ଦେଖୁଥିଲେ କେଉଁଠି ଭୁଲ୍‌ ହେଇଯାଇନି ତ!

ଥରେ କୌଣସି ଏକ କାମ ପାଇଁ ତାଙ୍କ ଘରକୁ ଯାଇ ଦେଖିଲି ଅନେକ ଲୋକ ତାଙ୍କୁ ଦେଖା କରିବା ପାଇଁ ଅପେକ୍ଷା କରିଛନ୍ତି। କଥା କଣ ବୁଝୁବୁଝୁ ଜାଣିଲି ଭିଡ଼ ଭିତରେ ଏପରି କିଛି ଜୀବିତ ଲୋକ ଅଛନ୍ତି, ଯେଉଁମାନେ ଆଗୁଆ ନିଜ ପାଇଁ ଶ୍ରଦ୍ଧାଞ୍ଜଳି ଲେଖେଇବା ପାଇଁ ଆସିଛନ୍ତି। ଏ କଥା ଯେତିକି ରୋଚକ ସେତିକି ମୋତେ ଆଶ୍ଚର୍ଯ୍ୟାନ୍ବିତ କରିଥିଲା।

ନିଜ ପ୍ରିୟଜନଙ୍କ ଉପରେ ଭରସା ନ ଥିବା ଲୋକମାନେ ଜୀବିତ ଅବସ୍ଥାରେ ନିଜର ପ୍ରତିମୂର୍ତ୍ତି କିମ୍ବା କୌଣସି ଅନୁଷ୍ଠାନରେ ଲାଗିବା ପାଇଁ ତୈଳଚିତ୍ର ଆଗୁଆ ତିଆରି କରିଥାନ୍ତି । ଅତୀତରେ ସହରର ଏକ ନିର୍ଦ୍ଦିଷ୍ଟ ଜାଗାରେ ନିଜର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜଣେ ମହାନୁଭବ ଜୀବିତ ଅବସ୍ଥାରେ ନିଜର ପ୍ରଭାବ ବିସ୍ତାର କରି ସରକାରୀ କଳରେ ଏଥିପାଇଁ ଆବଶ୍ୟକୀୟ ଅନୁମତି ନେଇଥିଲେ। ଏହାସହ ନିର୍ଦ୍ଧାରିତ ଜାଗାରେ ମୂର୍ତ୍ତି ସ୍ଥାପନା ପାଇଁ ସୁଦୃଶ୍ୟ ଷ୍ଟାଣ୍ଡ ସହ ନିଜ ତତ୍ତ୍ୱାବଧାନରେ ନିଜ ପସନ୍ଦ ମୁତାବକ ଏକ ସୁନ୍ଦର ପ୍ରତିମୂର୍ତ୍ତି ତିଆରିକରି ରଖିଥିଲେ; ଯାହା ତାଙ୍କ ମୃତ୍ୟୁ ପରେ ଏବେ ସେ ଜାଗାରେ ସଗର୍ବେ ଠିଆ ହୋଇଛି । ତେଣୁ ଜୀବିତ ଅବସ୍ଥାରେ ନିଜ ପାଇଁ ଶ୍ରଦ୍ଧାଞ୍ଜଳି ଲେଖେଇନେବାରେ କିଛି ନୂତନତ୍ୱ ନାହିଁ। ତାତ୍ତ୍ୱିକ ଦୃଷ୍ଟିରୁ ଦେଖିଲେ ଏହା ହେବା ଉଚିତ୍‌ । କାରଣ ମୃତ୍ୟୁଲୋକରୁ ସ୍ବର୍ଗଲୋକର ରାସ୍ତା ୱାନ୍‌ ୱେ । ଥରେ ଗଲେ ଆଉ ଫେରିବା ସମ୍ଭବ ନୁହେଁ । ଦୈବାତ୍‌ ଯଦି ନିଜ ମୁତାବକ ଶ୍ରଦ୍ଧାଞ୍ଜଳି କିମ୍ବା ପ୍ରତିମୂର୍ତ୍ତି ନ ହୋଇପାରିଲା ତେବେ ସ୍ବର୍ଗରେ ଥାଇ ଅସହାୟତାର ଜ୍ବାଳାରେ ଜଳିବା ଅପେକ୍ଷା ଯଦି ସାମର୍ଥ୍ୟ ଅଛି ତେବେ ଜୀବିତ ଅବସ୍ଥାରେ ନିଜ ପସନ୍ଦ ଅନୁଯାୟୀ ସବୁ କାମ କରେଇଦେବା ଉଚିତ। କିଏ ଜାଣେ କାହାର କେତେବେଳେ ଡାକରା ଆସିଯିବ ! କଳିଯୁଗରେ ଅନ୍ୟ କାହା ଉପରେ ଭରସା କରି ମରିବା ବିଜ୍ଞତା ନୁହେଁ। ନିଜ କିଳା ନିଜକୁ ଅସମ୍ଭାଳ ଯୁଗରେ କାହାର ସମୟ ଅଛି ଅନ୍ୟ ପାଇଁ ଶ୍ରଦ୍ଧାଞ୍ଜଳି ଲେଖିବା, ପ୍ରତିମୂର୍ତ୍ତି ସ୍ଥାପନ, ତୈଳଚିତ୍ର ଉନ୍ମୋଚନ କରିବା ପ୍ରଭୃତି କାମ କରିବାକୁ! ଏମିତିରେ ଜନ୍ମହୋଇ ଧରାପୃଷ୍ଠ ଉପରେ କେଉଁ ଦୟା କରିଥିଲେ ଯେ ମଲାପରେ ପୃଥିବୀ ଶୋକ କରିବ ! ବରଂ ଅତ୍ୟଧିକ ଭାରାକ୍ରାନ୍ତ ଧରିତ୍ରୀ ଉପରୁ ଅଶି ନବେ କିଲୋ ଓଜନ କମିଲା ବୋଲି ଧରିନେବାକୁ ହେବ। ଥରେ ଭୁଲ୍‌ରେ ଜଣେ ଜୀବିତ ଲୋକର ଶ୍ରଦ୍ଧାଞ୍ଜଳି ଖବରକାଗଜରେ ବାହାରିଗଲା। ମନଦୁଃଖରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ମହାଶୟଙ୍କୁ ଆପତ୍ତି ଜଣେଇ କହିଲେ, ଆଜ୍ଞା! ‘ମୋ ମଲାପରେ କାଳେ ପିଲାମାନେ ଶ୍ରଦ୍ଧାଞ୍ଜଳି ଲେଖିବେ କି ନାହିଁ ତେଣୁ ଆପଣଙ୍କ ପାଖରେ ଆଗୁଆ ଲେଖେଇ ନେଇଥିଲି ଅଥଚ ଆପଣ ତାକୁ ଏତେଶୀଘ୍ର ଛପେଇ ଦେଲେ?’ ମହାଶୟ ଦୁଃଖ ପ୍ରକାଶ କରି କହିଲେ ‘ପ୍ରତିଦିନ ଏତେ ଶ୍ରଦ୍ଧାଞ୍ଜଳି ଲେଖୁଛି ଯେ କେଉଁଟା କାହାର ଜାଣିହେଉନି। ଖବରକାଗଜର ଏ ସପ୍ତାହର ଶ୍ରଦ୍ଧାଞ୍ଜଳି ସ୍ତମ୍ଭ ପାଇଁ ଭୁଲ୍‌ରେ ତୁମ ପାଇଁ ଆଗୁଆ ଲେଖିଥିବା ଲେଖାଟି ଚାଲିଯାଇଛି। ହଉ ଆପଣ ବ୍ୟସ୍ତହୁଅନ୍ତୁ ନାହିଁ, ମୁଁ ଦେଖୁଛି। ‘ପରଦିନ ଖବରକାଗଜରେ ତ୍ରୁଟି ସଂଶୋଧନ ବାହାରିଲା- ଗତକାଲି ପ୍ରକାଶିତ ନାରଣ ଦାସଙ୍କ ଶ୍ରଦ୍ଧାଞ୍ଜଳିରେ କଟକ ଜାଗାରେ ଭୁବନେଶ୍ୱର ପଢ଼ିବାକୁ ଅନୁରୋଧ । ଆଗକୁ କଟକର ନାରଣ ଦାସଙ୍କ ବଦଳରେ ଭୁବନେଶ୍ୱରର ନାରଣ ଦାସ ସ୍ବର୍ଗାରୋହଣ କଲେ ବୋଲି ବୁଝିବାକୁ ହେବ। ଯାହାହେଉ ମହାଶୟ ଚତୁରତାର ସହ କଟକର ନାରଣ ଦାସଙ୍କ ନାମ ପୂର୍ବରୁ ଭୁଲ୍‌ରେ ଲାଗିଯାଇଥିବା ସ୍ବର୍ଗତକୁ ଭୁବନେଶ୍ୱରର ନାରଣ ଦାସଙ୍କ ପାଖକୁ ଟ୍ରାନ୍ସଫର କରି ଘଟଣାର ଆପୋଷ ସମାଧାନ କରିଦେଲେ ।

ଶ୍ରଦ୍ଧାଞ୍ଜଳି ଲେଖିବା ଗୋଟେ କଳା ମାନେ ଆର୍ଟ । ସମସ୍ତେ ଲେଖିପାରିବେ ନାହିଁ । ଏହା ସାହିତ୍ୟର ଏକ ବିଶେଷ ବିଭବ। ମୃତକଙ୍କ ପାଇଁ ଆପଣ କେତେ ଦୁଃଖିତ ସେଇଟା ମୁଖ୍ୟ ନୁହେଁ ବରଂ ଆପଣ ଆପଣଙ୍କ ଲେଖା ଦ୍ୱାରା କେତେ ଲୋକଙ୍କୁ ଦୁଃଖୀ କରେଇପାରୁଛନ୍ତି ସେଇଟା ମୁଖ୍ୟ। ଶ୍ରଦ୍ଧାଞ୍ଜଳି ଲେଖିବାର ଏହା ଏକ ବିଶେଷ ଶୈଳୀ। ସମକାଳୀନ ସାହିତ୍ୟରେ ଖୁବ୍‌ କମ୍‌ ସାହିତି୍ୟକ ଅଛନ୍ତି, ଯେଉଁମାନେ ଏପରି ଶ୍ରଦ୍ଧାଞ୍ଜଳି ଲେଖିବାରେ ମହାରଥ ପ୍ରାପ୍ତ କରିଛନ୍ତି।

କିଛି ଲୋକ ଜନ୍ମଦିନ ଶୁଭେଚ୍ଛା ଲେଖିବାରେ ଏପରି ପ୍ରସିଦ୍ଧି ପାଇଛନ୍ତି ଯେ ବର୍ଷେ ଆଗରୁ ଲୋକ ତାଙ୍କ ପାଖରେ ଦରଖାସ୍ତ ପକେଇଥାନ୍ତି। ଶୁଣାଯାଏ ସେ ଯାହା ପାଇଁ ଜନ୍ମଦିନ ଶୁଭେଚ୍ଛା ବାର୍ତ୍ତା ଲେଖନ୍ତି ସେ ଲୋକର ଆଗାମୀ ଦିନଗୁଡିକ ଖୁବ୍‌ ଐଶ୍ୱର୍ଯ୍ୟମୟ ହୋଇଯାଏ। ଲୋକ କୃତ୍ୟକୃତ୍ୟ ଅନୁଭବ କରନ୍ତି। ଏଯାଏଁ ଅନେକ ସାହିତି୍ୟକଙ୍କ ଶତଚେଷ୍ଟା ସତ୍ତ୍ୱେ ତାଙ୍କ ଶୈଳୀ ଓ ଲୋକପ୍ରିୟତାକୁ କେହି ଟପିପାରିନାହାନ୍ତି। ଜନ୍ମଦିନ ଶୁଭେଚ୍ଛା ତୁଳନାରେ ଶ୍ରଦ୍ଧାଞ୍ଜଳି ଲେଖିବା ଲୋକ କମ୍‌। ସାହିତ୍ୟର ଏ ବିଶେଷ ବିଭବରେ ଅଧିକ ସ୍କୋପ୍‌ ଅଛି । ନିଜ ଛଳ ଛଳ ଶବ୍ଦ ମାଧ୍ୟମରେ ପାଠକକୁ ଓଦା କରିପାରୁଥିବା ଅଥବା ଭିଜେଇ ପାରୁଥିବା ଭଳି ସୂକ୍ଷ୍ମକଳାର ଦକ୍ଷତା ରଖୁଥିବା ସାହିତି୍ୟକମାନେ ଏ ଦିଗରେ ଧ୍ୟାନ ଦେଲେ ଖୁବ୍‌ଶୀଘ୍ର ପ୍ରସିଦ୍ଧି ପାଇବାର ଅଧିକ ସମ୍ଭାବନା ଅଛି।

ଆମ ଗାଁରେ ଜଣେ ନେତା ଅଛନ୍ତି । ସେ ଯେଉଁ ଯୁବକକୁ ଦେଖିବେ ପଚାରିବେ ହଇରେ କ’ଣ ଖବର ? ପଢ଼ାପଢ଼ି ସରିଗଲାଣି? ଯଦି ଯୁବକ ଜଣଙ୍କ କହିବେ ହଁ, ପଢ଼ାସାରି ଏବେ ଚାକିରି କରୁଛି ତେବେ ନେତା କହିବେ ଆହା! ସମୟ ସବୁ କେତେଶୀଘ୍ର ଚାଲିଯାଉଛି । ତୁ ଛୋଟ ଥିଲାବେଳେ କେତେଥର ତୁମ ଘରକୁ ଯାଇଛି । ଆଉ ତୁମ ବାପା କେମିତି ଅଛନ୍ତି ? ଯଦି ଉତ୍ତର ମିଳିବ ଦୁଇ ବର୍ଷ ତଳେ ବାପାଙ୍କ ଦେହାନ୍ତ ହେଇଯାଇଛି ସେ ସଙ୍ଗେସଙ୍ଗେ ଆଶ୍ଚର୍ଯ୍ୟ ହେଲାଭଳି କହିବେ କେବେ? କେମିତି ? ଦୁଷ୍ଟ ପିଲାଟା କିରେ ! ଏତେବଡ଼ ଘଟଣା ଘଟିଗଲା ମୋତେ ଖବର ଦେଲୁନି? ତୋ ବାପାଙ୍କ ସହ ମୋର ବହୁଦିନର ପରିଚୟ। ମୋର ଭଲ ସାଙ୍ଗ ଥିଲେ । ମୋର ଅନେକ ସ୍ମୃତି ତାଙ୍କ ସହ ଜଡ଼ିତ ଅଛି। ସମସ୍ତେ ଜାଣନ୍ତି ଏଇଟା ତାଙ୍କର ଗୋଟେ ଷ୍ଟାଇଲ। ସେ କାହାକୁ ଜାଣନ୍ତି ନାହିଁ କି ୟାଙ୍କ ବାପା କେବେ ନେତାଙ୍କ ସାଙ୍ଗ ନ ଥିଲେ। ତଥାପି ଲୋକମାନେ ନେତାଙ୍କ ଏପରି କଥାକୁ ଭଲପାଆନ୍ତି । ଏପରି କଥାରେ କାଳେ ଅତ୍ମୀୟତା ଥାଏ । ପାଖ ଲୋକେ ହସିଦିଅନ୍ତି। ନେତା ପୁଣି ଆଗକୁ ଯାଇ ଆଉ କାହାସହ ପରିଚୟ ଯୋଡ଼ନ୍ତି।

ଶ୍ରଦ୍ଧାଞ୍ଜଳି ଲେଖିବା ପାଇଁ ମଧ୍ୟ ଏମିତି କିଛି ବିଶେଷ ଗୁଣର ଆବଶ୍ୟକତା ଅଛି। ଚିହ୍ନି ନ ଥିଲେ ବି ଲେଖିବାକୁ ପଡ଼େ ଧର୍ମପରାୟଣ ବ୍ୟକ୍ତି ଥିଲେ, ତାଙ୍କ ବିୟୋଗରେ ଦେଶର ଅପୂରଣୀୟ କ୍ଷତି ଘଟିଲା, ତାଙ୍କ ବିୟୋଗରେ ସହରରେ ଶୋକର ଛାୟା ଖେଳିଗଲା ଭଳି ଅତିଶୟ ଭାବସ୍ପର୍ଶୀ ବାକ୍ୟ। ପ୍ରାୟତଃ ସବୁ ଶ୍ରଦ୍ଧାଞ୍ଜଳିର ଫର୍ମାଟ୍‌ ଏକା । ହେତୁବାଦୀକୁ ଧର୍ମପରାୟଣ ବ୍ୟକ୍ତି ଓ ଖଣ୍ଟର ମୃତ୍ୟରେ ଦେଶର ଅପୂରଣୀୟ କ୍ଷତି ଲେଖିଲେ ବି କାହାର ଆପତ୍ତି ନ ଥାଏ। ମୃତ ବ୍ୟକ୍ତିକୁ ସମ୍ମାନ ଦେବା ଆମ ସଂସ୍କାରର କଥା। ମିଛ ହେଉ ପଛେ କିଛି ଭଲ କଥା ଲେଖାଯାଉ । କାରଣ ମୃତ ବ୍ୟକ୍ତି ପୁଣି ଫେରି ନିଜ ବିଷୟରେ ସଫେଇ ଦେଇପାରିବନି ।

ଏଇ ଗତକାଲି ସେଇ ବିଶିଷ୍ଟ ଶ୍ରଦ୍ଧାଞ୍ଜଳି ଲେଖକ ମହାଶୟଙ୍କ ସହ ଭେଟ ହେଲା । ମନଦୁଃଖରେ କହିଲେ, ସେ ଏବେ ଶ୍ରଦ୍ଧାଞ୍ଜଳି ଲେଖିବା ଛାଡ଼ିଦେଇଛନ୍ତି। କାରଣ କ’ଣ ପଚାରିଲାରୁ ଯାହା ଶୁଣିଲି ସେଥିରେ ମୋ ମୁଣ୍ଡ ଟିଣ। ଜଣେ ବିଶିଷ୍ଟ ଗାନ୍ଧିବାଦୀ ଲୋକଙ୍କ ମୃତ୍ୟୁରେ ମହାଶୟ ଜଣଙ୍କ ଏକ ଶ୍ରଦ୍ଧାଞ୍ଜଳି ଲେଖିଥାନ୍ତି। କିଛିଦିନ ପରେ ଜାଣିବାକୁ ପାଇଲେ ଉକ୍ତ ଗାନ୍ଧିବାଦୀ ବ୍ୟକ୍ତିଙ୍କ ସମ୍ମାନରେ ଏକ ସ୍ମରଣିକା ପ୍ରକାଶ ପାଇଛି ଓ ସେଥିରେ ତାଙ୍କ ଲିଖିତ ଶ୍ରଦ୍ଧାଞ୍ଜଳିକୁ ଅନ୍ୟ ଜଣେ ନିଜ ନାଁରେ ଛପେଇ ଦେଇଛି । ଗପ ଚୋରି ଶୁଣିଥିଲି କବିତା ଚୋରି ଶୁଣିଥିଲି ହେଲେ ଶେଷକୁ ଶ୍ରଦ୍ଧାଞ୍ଜଳି ବି ଚୋରି ହେଲାଣି। କି କଳିଯୁଗ ହେଲା ଆଜ୍ଞା। ଜୀବନବ୍ୟାପୀ ସତ୍ୟପଥରେ ଚାଲୁଥିବା ଗାନ୍ଧିବାଦୀଙ୍କ ସ୍ମରଣିକାରେ ପୁଣି ଚୋରି ଶ୍ରଦ୍ଧାଞ୍ଜଳି।
– ବନମାଳୀ ଭବନ, ଖାନ୍‌ ନଗର, କଟକ
ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri