ଆଦିବାସୀ ଓ ଅଧିକାର

ଭାଲଚନ୍ଦ୍ର ଷଡ଼ଙ୍ଗୀ

ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ଦେଶର ରାଷ୍ଟ୍ରପତି ପଦବୀରେ ବସିବାର ସୁଯୋଗ ପାଇଛନ୍ତି।
ଏହି ପରିପ୍ରେକ୍ଷୀରେ ଜାତୀୟ ରାଜନୀତିରେ ଆଦିବାସୀ ପ୍ରସଙ୍ଗଟି ଗତ କିଛିଦିନ ଧରି ଚର୍ଚ୍ଚାରେ ରହି ଆସିଛି। କିନ୍ତୁ ପରିତାପର ବିଷୟ ଉପରୋକ୍ତ ଚର୍ଚ୍ଚାରେ ଦେଶର ଜନସଂଖ୍ୟାର ଆଠ ଭାଗରୁ ଊର୍ଦ୍ଧ୍ୱ ଲୋକଙ୍କୁ ବୁଝାଉଥିବା ଆଦିବାସୀଙ୍କ ଜୀବନ ଜୀବିକାର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ସାମାନ୍ୟତମ ଉଲ୍ଲେଖ ଦେଖିବାକୁ ମିଳିଲାନି। ଦେଶ ସ୍ବଧୀନତାର ୭୫ ବର୍ଷ ପରିପ୍ରେକ୍ଷୀରେ ଦେଶର ସବୁଠାରୁ ଅବହେଳିତ ସମୁଦାୟର ସାମାଜିକ ଓ ଅର୍ଥନୈତିକ ସ୍ଥିତି ସମ୍ପର୍କରେ କୌଣସି ଆଲୋଚନା କରିବାକୁ ମୁଖ୍ୟଧାରାର ଗଣମାଧ୍ୟମ ଓ ରାଜନୀତି ଜାଣିଶୁଣି ଏଡ଼ାଇଗଲେ।
ତେବେ ଆମେ ଚର୍ଚ୍ଚା କରୁ ବା ନ କରୁ ଦେଶର ଆଦିବାସୀମାନେ ଆଜି କେଉଁଭଳି ସ୍ଥିତିରେ ରହିଛନ୍ତି, ତାହା ବିଭିନ୍ନ ଘଟଣା ମଧ୍ୟ ଦେଇ ବାରମ୍ବାର ସାମନାକୁ ଆସୁଛି। କେତେବେଳେ କଳିଙ୍ଗନଗରରେ ବିକାଶ ପାଇଁ ଆଦିବାସୀଙ୍କ ଗଣହତ୍ୟା ତ କେତେବେଳେ ନଗଡ଼ା ପୁଷ୍ଟିହୀନତାର ଶିକାର ହୋଇ ଆଦିବାସୀ ଶିଶୁଙ୍କ ମୃତ୍ୟୁ ଅଥବା କେତେବେଳେ ରାଷ୍ଟ୍ରପତିଙ୍କ ଗ୍ରାମକୁ ବିଦ୍ୟୁତ୍‌ ନ ଯିବା ହେଉ ଅଥବା କାଶୀପୁରରେ ହଇଜାରେ ଅନେକ ଆଦିବାସୀଙ୍କ ମୃତ୍ୟୁ ଘଟଣାରେ ରାଜ୍ୟର ଆଦିବାସୀଙ୍କ ସ୍ଥିତି ସାମନାକୁ ଆସିଯାଉଛି। ସ୍ବାଧୀନତାର ଅମୃତକାଳରେ ଆଦିବାସୀମାନେ ଯେ ଶୋଷଣ, ଅବହେଳା ଓ ପଶ୍ଚାପଦତାର ଶିକାର ହୋଇ ରହିଛନ୍ତି ଏବଂ ତାକୁ ଦୂର କରିବାରେ ଆମର ଶାସନ ବ୍ୟବସ୍ଥା ଏକଦମ ବିଫଳ ହୋଇଛି, ଏକଥା ଉପରୋକ୍ତ ଘଟଣାଗୁଡ଼ିକରୁ ଜଳ ଜଳ ହୋଇ ଦିଶୁଛି।
ଆଦିବାସୀ ହେଉଛନ୍ତି ଆମ ସଭ୍ୟତାର ଏକ ଅଭିନ୍ନ ଅଂଶ। ବର୍ତ୍ତମାନ ବିଶ୍ୱର ୭୦ଟି ଦେଶରେ ୩୭ କୋଟିରୁ ଅଧିକ ଆଦିବାସୀ ବସବାସ କରୁଛନ୍ତି। ଆମ ଦେଶର ଜନସଂଖ୍ୟାର ପ୍ରାୟ ୮ ଭାଗ ଅର୍ଥାତ୍‌ ପ୍ରତି ବାର ଜଣରେ ଜଣେ ଆଦିବାସୀ। ଆମ ରାଜ୍ୟର ପ୍ରତି ୪ ଜଣରେ ଜଣେ ଅର୍ଥାତ୍‌ ପ୍ରାୟ ଏକ ଚତୁର୍ଥାଂଶ (୨୦୧୧ ଜନଗଣନା ଅନୁଯାୟୀ ୨୨.୮୫%) ହେଉଛନ୍ତି ଆଦିବାସୀ। ଯଦିଓ ରାଜ୍ୟରେ ସରକାରୀ ଭାବେ ୧୩ଟି ଆଦିମ ଜନଜାତି ସମେତ ୬୨ଟି ଆଦିବାସୀ ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତିର ସ୍ବୀକୃତି ଦିଆଯାଇଛି ତଥାପି କୋଣ୍ଡାଦୋରା, ଶୁଦ୍ଧ ଶବର, ଝୋଡ଼ିଆ, ଅନୁଗୋଳର କାନ୍ଧିଆ ପରି ଆହୁରି ଅନେକ ଆଦିବାସୀ ସମ୍ପ୍ରଦାୟ ରହିଛନ୍ତି ଯେଉଁମାନେ ଆଜିଯାଏଁ ଆଦିବାସୀର ମାନ୍ୟତା ପାଇବାରୁ ବଞ୍ଚତ୍ତ ରହିଛନ୍ତି।
ବିଶ୍ୱରେ ଜଙ୍ଗଲ ପାହାଡ଼ରେ, ପ୍ରକୃତିର କୋଳରେ ପୁରୁଷ ପୁରୁଷ଼ ଧରି ବସବାସ କରୁଥିବା ଆଦିବାସୀମାନଙ୍କ ଅସ୍ତିତ୍ୱ ବିଭିନ୍ନ କାରଣରୁ ସଙ୍କଟଗ୍ରସ୍ତ।
ତଥାକଥିତ ବିକାଶ ସେମାନଙ୍କ ଜୀବନ, ଜୀବିକାକୁ ଧ୍ୱଂସ କରୁଥିବା ବେଳେ ପ୍ରକୃତି କୈନ୍ଦ୍ରିକ ସେମାନଙ୍କ ସାମୁଦାୟିକ ସଂସ୍କୃତି, ଭାଷା ଓ ଧର୍ମ ଆଜି ବିପଦାପନ୍ନ ହୋଇଛି। ଆଣ୍ଡାମାନର ଜାରୱା, ଓଡ଼ିଶାର ମାଙ୍କଡ଼ିଆ ପରି ବିଶ୍ୱର ଅନେକ ଆଦିବାସୀ ସମ୍ପ୍ରଦାୟ ଓ ସେମାନଙ୍କ ଭାଷା ଧୀରେ ଧୀରେ ବିଲୁପ୍ତି ହେବାରେ ଲାଗିଛି। ବିଶ୍ୱରେ ଆଦିବାସୀମାନଙ୍କ ଏହି ସଙ୍କଟମୟ ସ୍ଥିତିକୁ ଲକ୍ଷ୍ୟ କରି ମିଳିତ ଜାତିସଂଘ ୧୯୯୪ରୁ ପ୍ରତିବର୍ଷ ଅଗଷ୍ଟ ୯କୁ ବିଶ୍ୱ ଆଦିବାସୀ ବା ଆଦିମ ଜନଜାତି ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଛି।
ଆମ ଦେଶରେ ଅର୍ଥନୈତିକ ଭାବେ ଶୋଷିତ, ସାମାଜିକ ଭାବେ ନିର୍ଯାତିତ ଓ ବିକାଶର ମାପକାଠିରେ ଅବହେଳିତ ଆଦିବାସୀମାନେ ଅତ୍ୟନ୍ତ ଦାରିଦ୍ର୍ୟ ବୋଝ ତଳେ ବଞ୍ଚତ୍ବାକୁ ବାଧ୍ୟ ହୋଇଆସିଛନ୍ତି। ଦେଶର ବିଶାଳ ଜଙ୍ଗଲ ସମ୍ପଦକୁ ଲୁଟ୍‌ କରିବା ଲକ୍ଷ୍ୟରେ ବ୍ରିଟିଶମାନେ ୧୮୬୫ ରେ ଯେଉଁ ଜଙ୍ଗଲ ଆଇନ କରି ଜଙ୍ଗଲ ବିଭାଗ ଗଠନ କରିଥିଲେ, ତା’ ଫଳରେ ପ୍ରଥମ ଥର ପାଇଁ ଆଦିବାସୀମାନେ ଜଙ୍ଗଲ ଉପରେ ଥିବା ନିଜର ପାରମ୍ପରିକ ଅଧିକାରକୁ ହରାଇଥିଲେ। ପରେ ୧୮୯୪ର ଔପନିବେଶିକ ଜମି ଅଧିଗ୍ରହଣ ଆଇନ ‘ବିକାଶ’ର ନାଁରେ ସେମାନଙ୍କୁ ଭିଟାମାଟିରୁ ବଳପୂର୍ବକ ଉଦ୍‌ବାସ୍ତୁ କରିବାର ବାଟ ଖୋଲିଥିଲା। ତେବେ ପ୍ରଥମରୁ ନିଜର ଜମି, ଜଙ୍ଗଲ ଓ ସ୍ବାଧୀନତା ଉପରେ ବାହ୍ୟ ଆକ୍ରମଣକୁ ଆଦିବାସୀମାନେ ଦୃଢ଼ ପ୍ରତିରୋଧ କରିଥିଲେ।
ଆଦିବାସୀ ଓ ପାରମ୍ପରିକ ବନଜୀବୀଙ୍କ ଦୀର୍ଘ ଲଢ଼େଇର ଫଳସ୍ବରୂପ ୨୦୦୬ରେ ଦେଶରେ ଜଙ୍ଗଲ ଅଧିକାର ଆଇନ ପ୍ରଣୟନ ହୋଇଥିଲା। ପ୍ରଥମ ଥର ପାଇଁ ସରକାର ଜଙ୍ଗଲ ଜମିରେ ସେମାନଙ୍କୁ ଆଉ ଅପରାଧୀ ବୋଲି ନ କହି କିଛି ମାତ୍ରାରେ ମାଲିକାନା ପ୍ରଦାନ କରିଥିଲେ। ଏଥିରେ ଗ୍ରାମସଭାକୁ ଜଙ୍ଗଲ ଅଧିକାର ନିର୍ଦ୍ଧାରଣର କ୍ଷମତା ଦେବା ସହ ତା’ର ଅନୁମତି ବିନା ଜଙ୍ଗଲ ଅଞ୍ଚଳରେ କୌଣସି ପ୍ରକଳ୍ପ ପାଇଁ ସରକାର ଜଙ୍ଗଲ ଜମି ଦେଇପାରିବେନାହିଁ ବୋଲି ବ୍ୟବସ୍ଥା ରହିଲା। ତେବେ ଏହି ଆଇନକୁ ନିଜର ସ୍ବାର୍ଥର ପରିପନ୍ଥୀ ବୋଲି ବିଚାର କରି ବଡ଼ ବଡ଼ କମ୍ପାନୀ ତାକୁ ହଟେଇବାକୁ ଅଥବା ଅକାମୀ କରିଦେବାକୁ ଷଡ଼ଯନ୍ତ୍ର କରି ଆସିଛନ୍ତି। ସେମାନଙ୍କ ସ୍ବାର୍ଥରେ ହିଁ କେନ୍ଦ୍ରର ମୋଦି ସରକାର ଗତ ୮ବର୍ଷ ମଧ୍ୟରେ ଜଙ୍ଗଲ ଓ ପରିବେଶ ଆଇନରେ ଅନେକ ପରିବର୍ତ୍ତନ ଆଣି ଆଦିବାସୀଙ୍କ ଅଧିକାରକୁ ଦୁର୍ବଳ କରି ସରକାରଙ୍କ କ୍ଷମତାକୁ ବଢ଼ାଇବା ଦେଖାଯାଇଛି। ଜଙ୍ଗଲ ଅଧିକାର ଆଇନକୁ ଶକ୍ତି ପ୍ରଦାନ କରୁଥିବା ଜଙ୍ଗଲ ସଂରକ୍ଷଣ ନିୟମାବଳୀରେ ନିକଟରେ ସଂଶୋଧନ କରାଯାଇଛି। ଗତ ଜୁନ୍‌ ୨୮ରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତିରେ ଜଙ୍ଗଲ ଜମି ଉପରେ ଅଧିକାର ନିର୍ଦ୍ଧାରଣରେ ଗ୍ରାମସଭାର କ୍ଷମତାକୁ ଉଚ୍ଛେଦ କରାଯାଇଛି। ଏହାଫଳରେ ସରକାର ଏଣିକି କମ୍ପାନୀଗୁଡ଼ିକୁ ହଜାର ହଜାର ହେକ୍ଟର ଜଙ୍ଗଲ ଜମି ପ୍ରଦାନ କରିବା ପାଇଁ ଗ୍ରାମସଭାର ଅନୁମତି ନେବାକୁ ପଡ଼ିବନାହିଁ। ଫଳରେ ପୁରୁଷ ପୁରୁଷ ଧରି ଚାଷ ଓ ବାସ କରି ଆସୁଥିବା ଆଦିବାସୀମାନେ ପୂର୍ବଭଳି ସରକାରୀ ପ୍ରାୟୋଜିତ ବିସ୍ଥାପନର ଶିକାର ହେବେ।
ଆଦିବାସୀଙ୍କ ଆର୍ଥିକ, ରାଜନୈତିକ ଓ ସାଂସ୍କୃତିକ ବିକାଶ, ଭାରତ ପରି ଏକ ଜନମଙ୍ଗଳକାରୀ ରାଷ୍ଟ୍ରର ସାମ୍ବିଧାନିକ କର୍ତ୍ତବ୍ୟ। କିନ୍ତୁ ଏଥିପ୍ରତି ଘୋର ଅବହେଳା କାରଣରୁ ସେମାନଙ୍କ ଜୀବନ, ଜୀବିକା, ଭାଷା ଓ ସଂସ୍କୃତି ଭୟଙ୍କର ସଙ୍କଟର ସମ୍ମୁଖୀନ ହୋଇଛି। ସେମାନଙ୍କ ଭାଷା ଓ ସଂସ୍କୃତିର ସ୍ବାଧୀନ ବିକାଶ ପାଇଁ ସରକାର ସୁଯୋଗ ଦେବା ପରିବର୍ତ୍ତେ ତାକୁ ଅଣଦେଖା କରିବା ଓ ଦବେଇଦେବା ଦେଖାଯାଇଛି। ଅତ୍ୟନ୍ତ ସୁନିୟୋଜିତ ଭାବେ ଓଡ଼ିଆ, ତେଲୁଗୁ, ମରାଠୀ, ଗୁଜରାଟୀ, ହିନ୍ଦୀ ପରି ଅନ୍ୟାନ୍ୟ ପ୍ରଭାବଶାଳୀ ଭାଷା ଭିତରେ ଆଦିବାସୀମାନଙ୍କ ଭାଷାଗୁଡ଼ିକୁ ବଳପୂର୍ବକ ସମ୍ମିଳିତ କରିବାର ନୀତିକୁ ଆପଣାଯାଇଛି। ଓଡ଼ିଶାର ଆଦିବାସୀମାନେ ୭୪ଟି କଥିତ ଭାଷାରେ କଥାଭାଷା ହେଉଥିଲେ ବି ସେମାନଙ୍କ ଭାଷା ଓ ଲିପିକୁ ବିକଶିତ କରିବାକୁ ସରକାରମାନେ ଆନ୍ତରିକତା ଦେଖାଇନାହାନ୍ତି। ଆଜି ମଧ୍ୟ ଆଦିବାସୀ ପିଲାମାନେ ନିଜ ମାତୃଭାଷାରେ ଶିକ୍ଷା ପାଇବାରୁ ବଞ୍ଚିତ ରହିଛନ୍ତି। ଆଦିବାସୀଙ୍କ ଭାଷାରେ ସଙ୍ଗୀତ କିମ୍ବା ଚଳଚ୍ଚିତ୍ର ନିର୍ମାଣ ପାଇଁ ଉଦ୍ୟମ କରାଯାଇନାହିଁ କି ଆଦିବାସୀ ଭାଷାର ଲେଖକ ଲେଖିକାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ଦେଉନାହିଁ।
ଅନର୍ଜାତୀୟ ଆଦିବାସୀ ଦିବସ ଅବସରରେ ଆଜି ଏପରି ଏକ ସମୟରେ ହେଉଛି ଯେତେବେଳେ ଦେଶରେ ଆଦିବାସୀଙ୍କ ଜଙ୍ଗଲ ଅଧିକାରକୁ ଛଡ଼େଇ ନେବାକୁ ଆକ୍ରମଣ ଆରମ୍ଭ ହୋଇଛି। ଅତଏବ ଜମି, ଜଙ୍ଗଲ ଉପରେ ଆଦିବାସୀମାନଙ୍କ ଅଧିକାରର ପୂର୍ଣ୍ଣ ସ୍ବୀକୃତି ସହିତ ସେମାନଙ୍କ ଭାଷା, ସଂସ୍କୃତି ତଥା ସ୍ବୟଂଶାସନର ଅଧିକାରକୁ ସ୍ବୀକୃତି ଦେବାର ସମୟ ଆସିଛି। ସେମାନଙ୍କ ଉପରେ ଦମନ ଓ ଅତ୍ୟାଚାର ପରିବର୍ତ୍ତେ ପ୍ରାକୃତିକ ସମ୍ପଦ ଉପରେ ମାଲିକାନା ଦେଇ ମର୍ଯ୍ୟାଦାର ସହିତ ଜୀବନ ଯାପନ କରିବାର ସୁଯୋଗ ଦେବା ଜରୁରୀ ହୋଇପଡ଼ିଛି।
ମୋ : ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri