ଗଛ ଓ ବିଧାୟକ

ଚଳିତବର୍ଷ ଭୁବନେଶ୍ୱରର ତାପମାତ୍ରା ୪୩ ଡିଗ୍ରୀ ସେଲ୍‌ସିୟସ ଉପରେ ରେକର୍ଡ କରିଛି। ଭୁବନେଶ୍ୱରକୁ ସବୁଜ ସୁନ୍ଦର ବୋଲି ପୂର୍ବରୁ ଯାହା କୁହାଯାଉଥିଲା, ଏହାର ବାସିନ୍ଦାମାନେ ଗ୍ରୀଷ୍ମ ଋତୁର କୋପ କିଛି ବର୍ଷ ଧରି ଭୋଗି ଆସୁଛନ୍ତି। କରୋନା ଯୋଗୁ କରାଯାଇଥିବା ଲକ୍‌ଡାଉନ୍‌ ହେତୁ ଯାନବାହନ ଚଳାଚଳ ବନ୍ଦ ହେବାରୁ ଗତ ଦୁଇବର୍ଷ ଧରି କିଛିଟା ଆଶ୍ୱସ୍ତି ମିଳିଥିଲା। କିନ୍ତୁ ଏହି ବର୍ଷ ପୂର୍ବଭଳି ତାପର ମାତ୍ରା ବଢ଼ିଯାଇ ସମସ୍ତଙ୍କୁ ସିଝାଇ ଦେଇଛି। ଏବେ ବିଧାୟକଙ୍କୁ ସୌଖୀନ ଫ୍ଲାଟ ଯୋଗାଇ ଦେବା ପାଇଁ ସପ୍ତାହ ମଧ୍ୟରେ ୟୁନିଟ୍‌ ୪ସ୍ଥିତ ଏମ୍‌ଏଲ୍‌ଏ କଲୋନୀରେ ପାଖାପାଖି ୮୦୦ ବୃହତ୍‌କାୟ ଗଛ କାଟି ଦିଆଯାଇଥିବା ଦେଖିବାକୁ ମିଳିଛି। ଏହି ଗଛ ଅନେକ ଦଶନ୍ଧିର ପୁରୁଣା ହୋଇଥିଲେ ମଧ୍ୟ ସେଥିପ୍ରତି କାହାର ନିଘା ନାହିଁ। ଜଙ୍ଗଲ ବିଭାଗର ସୂଚନା ଅନୁଯାୟୀ, ରାଜଧାନୀରେ ଗତ ୫ ବର୍ଷ ମଧ୍ୟରେ ୯୨ ହଜାର ଗଛ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ନଷ୍ଟ ହୋଇଥିବା ବେଳେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଲାଗି ପ୍ରାୟ ୧୦ ହଜାର ଗଛ କଟାଯାଇଛି। କିନ୍ତୁ ବେସରକାରୀ ହିସାବ ଦେଖିଲେ ସଂଖ୍ୟା ଯଥେଷ୍ଟ ଅଧିକ ବୋଲି କୁହାଯାଉଛି।
ରାସ୍ତାଘାଟ, ପୋଲ, ବିଭିନ୍ନ ସରକାରୀ କୋଠା ନିର୍ମାଣ ଲାଗି ଆବଶ୍ୟକ ସ୍ଥଳେ ଗଛ କଟାଯାଉଥିଲେ ମଧ୍ୟ ସେହି ଅନୁଯାୟୀ ଚାରାରୋପଣ ହେଉ ନ ଥିବାରୁ ଭୁବନେଶ୍ୱରର ତାପମାତ୍ରା ବଢ଼ିଯାଇଛି। ଚଳିତ ଗ୍ରୀଷ୍ମ ଋତୁରେ ରାଜଧାନୀବାସିନ୍ଦା ତାହା ଉପଲବ୍‌ଧି କରିଛନ୍ତି। ତେବେ ବିଧାୟକଙ୍କ ଲାଗି ନିର୍ମାଣ ହେବାକୁ ଥିବା ବହୁତଳ ଅଟ୍ଟାଳିକା ପାଇଁ ଅବିଚାରିତ ଭାବେ ଗଛ କଟା ଯାଉଥିବା ସମ୍ପର୍କରେ ସରକାରୀ ଭାବେ କୁହାଯାଉଛି ଯେ, ବିକାଶମୂଳକ କାର୍ଯ୍ୟ ଲାଗି ଏଭଳି ପଦକ୍ଷେପ ନିଆଯାଉଛି। ଏହାର କ୍ଷତିପୂରଣ ବାବଦରେ ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇଥିବା ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନ୍‌ଷ୍ଟ୍ରକଶନ କର୍ପୋରେଶନ ଲିମିଟେଡ୍‌ (ଓବିସିସି) ୬୮ ଲକ୍ଷ ଟଙ୍କା ଜମା କରିଥିବା ବିଷୟ ଉଲ୍ଲେଖ କରାଯାଉଛି। କଟାଯାଇଥିବା ଗଛକୁ ଭରଣା କରିବା ଲାଗି ପାତ୍ରପଡ଼ାଠାରେ ୧୨ ହଜାର ଚାରା ଲଗାଯିବ ବୋଲି ବିଭାଗୀୟ ଅଧିକାରୀ କହିବା ଅତ୍ୟନ୍ତ ହାସ୍ୟାସ୍ପଦ ମନେହେଉଛି। କାରଣ ଚାରା ଲଗାଯାଇ ଗଛ ହେବା ବେଳକୁ ଅନେକ ଯୁଗ ଲାଗିଯିବ। କାମ୍ପା (କମ୍ପେନ୍‌ସେଟୋରୀ ଆଫରେଷ୍ଟେଶନ ଫଣ୍ଡ୍‌ ମ୍ୟାନେଜମେଣ୍ଟ ଆଣ୍ଡ୍‌ ପ୍ଲାନିଂ ଅଥରିଟି) ନିୟମ ଅନୁଯାୟୀ ଗଛ କଟାଗଲେ ତାହାର କ୍ଷତି ଭରଣା କରିବା ସକାଶେ ବନୀକରଣ ଉପରେ ଗୁରୁତ୍ୱ ଦିଆଯିବା ସହ ଏଥିଲାଗି ଉଦ୍ଦିଷ୍ଟ ପାଣ୍ଠିରେ ଅର୍ଥ ଭରିବାର ବ୍ୟବସ୍ଥା ରହିଛି। କିନ୍ତୁ ପ୍ରତି କ୍ଷେତ୍ରରେ ଓ ସବୁ ଅଞ୍ଚଳରେ ଏହାକୁ ପ୍ରୟୋଗ କରାଯାଇ ବିକାଶ କଥା କୁହାଗଲେ ସ୍ଥିତିରେ ପରିବର୍ତ୍ତନ ଆସିପାରିବ ନାହିଁ। ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ଯୋଗୁ ପୃଥିବୀବ୍ୟାପୀ ଲୋକେ ପ୍ରଭାବିତ ହେଉଛନ୍ତି। ଓଡ଼ିଶାରେ ବିଶ୍ୱତାପନର ପ୍ରଭାବ କିଭଳି ରହିଛି ଚଳିତ ସମୟରେ କାହାରିକୁ ବୁଝାଇବା ଦରକାର ନାହିଁ। ଯଦି ସରକାର ଚାହୁଁଛନ୍ତି ସବୁ ବିଧାୟକ ଗୋଟିଏ ଜାଗାରେ ରହିବେ, ତେବେ ଯେଉଁ ପାତ୍ରପଡ଼ା ଅଞ୍ଚଳରେ ୧୨ ହଜାର ଚାରା ଲଗାଯିବା ଲାଗି ଯୋଜନା କରାଯାଇଛି, ସେହି ସ୍ଥାନରେ ସେମାନଙ୍କ ଲାଗି ଆବାସ ନିର୍ମାଣ କରାଯାଇପାରିଥାଆନ୍ତା। ସେଠାରେ ଅତି ସୁନ୍ଦର ଭାବେ ବିଧାୟକମାନଙ୍କ ବାସଭବନ ନିକଟରେ ନୂତନ ପ୍ରକାରର ଚାରା ରୋପଣ କରାଯାଇ ଉଦ୍ୟାନ ମଧ୍ୟ ସୃଷ୍ଟି କରାଯାଇପାରିଥାଆନ୍ତା। ସବୁଜ ବଳୟ ମଧ୍ୟରେ ରହିଥିଲେ ସରକାରୀ ଦଳର ବିଧାୟକ ଅତ୍ୟଧିକ ଅମ୍ଳଜାନ ପାଇ ରାଜ୍ୟକୁ ପ୍ରଗତି ପଥରେ ଟାଣି ନେଇଥାଆନ୍ତେ। ସେହିଭଳି ବିରୋଧୀ ଦଳର ବିଧାୟକମାନେ ଏବେ ଯେଉଁଭଳି ଭାବେ ଧରାପଡ଼ିଯାଉଛନ୍ତି ତାହା ନ ହୋଇ ଭଲ ଭାବେ ନିଜର ବିରୋଧୀ ମନ୍ତବ୍ୟକୁ ପ୍ରକାଶ କରିପାରିଥାଆନ୍ତେ।
ଏହା କହିବା ପଛରେ ବୈଜ୍ଞାନିକ ପ୍ରମାଣ ରହିଛି। ଚାରା ଲଗାଇଲେ ଅଳ୍ପ ଅମ୍ଳଜାନ ସୃଷ୍ଟି ହୁଏ। ଅନ୍ୟପଟେ ଅତି ପୁରୁଣା ବୃକ୍ଷରୁ ଅମ୍ଳଜାନ କ୍ଷୀଣ ହୋଇଆସେ। ମଧ୍ୟ ବୟସର ସବୁ ଗଛରୁ ଅମ୍ଳଜାନ ପରିମାଣ ଅଧିକ ରହିଥାଏ। ବିଧାନସଭା ସମ୍ମୁଖରେ କଟାଯାଇଥିବା ଗଛସବୁ ମଧ୍ୟ ବୟସରେ ପହଞ୍ଚତ୍ଥିଲେ। ଏବେ ସେହି ସ୍ଥାନରୁ ଅମ୍ଳଜାନର ଘୋର ଅଭାବ ଘଟିପାରେ। ସେଠାରେ ଯଦି ମାନ୍ୟବର ବିଧାୟକମାନଙ୍କୁ ରହିବାର ସୁବିଧା ଦିଆଯାଏ, ତେବେ ସେମାନଙ୍କର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ କିଭଳି ଭାବେ ପ୍ରଭାବିତ ହେବ ତାହା ଭବିଷ୍ୟତ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri