ବଦଳି ଦଣ୍ଡ ନୁହେଁ

ପୁରୀ ସହର ଓ ସୁନ୍ଦରଗଡ଼ ଜିଲାର ବୀରମିତ୍ରପୁରରେ ପୋଲିସ ହେପାଜତରେ ଦୁଇ ଜଣଙ୍କ ମୃତ୍ୟୁ ଘଟଣା ସହ ପିପିଲିରେ ୫ ଜଣଙ୍କୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଛି। ପୋଲିସ ବର୍ବରତାକୁ ନେଇ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭର ଦୁଇ ଦିନ ହୋହଲ୍ଲାରେ ଯାଇଛି। ହାଜତ ମୃତ୍ୟୁ ହୋଇଥିବା ବିଷୟ ରାଷ୍ଟ୍ର ହେବା ପରେ ସବୁଆଡ଼ୁ ପୋଲିସକୁ ସମାଲୋଚନା କରାଯାଉଛି। ଅପରାଧୀ ଯେତେ ଭୟଙ୍କର ହେଲେ ମଧ୍ୟ ତାଙ୍କୁ ପିଟି ମାରିବାର ଅଧିକାର ପୋଲିସର ନାହିଁ। ପୁରୀ ବାସିନ୍ଦା କୁହାକୁହି ହେଉଛନ୍ତି ଯେ, ଥାନା ଭିତରେ ଉଚ୍ଚପାହ୍ୟା ଅଫିସର ଖୋଦ୍‌ ବାଡ଼େଇଥିବାରୁ ଜଣକ ମୃତ୍ୟୁ ଘଟିଥିଲା। କିନ୍ତୁ ଏହି ଘଟଣାରେ ‘ମାର୍‌ ମାର୍‌ ଭଣ୍ଡାରିଆକୁ ମାର୍‌’ ନ୍ୟାୟରେ ଜଣେ କନିଷ୍ଠ ଅଧିକାରୀ ଓ ଜଣେ କନଷ୍ଟେବଳଙ୍କୁ ନିଲମ୍ବନ କରାଗଲା। କୌଣସି ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ଆପରାଧିକ କାର୍ଯ୍ୟ ଧରାପଡ଼ିଗଲେ ଉତ୍ତ୍ୟକ୍ତ ଜନତା ତାଙ୍କୁ ସେହିଠାରେ ବାଡ଼େଇଥାଆନ୍ତି। ସେତେବେଳେ ପୋଲିସ ହସ୍ତକ୍ଷେପ କରି ଅପରାଧୀଙ୍କୁ ମୁକୁଳେଇ ଆଣେ। ସୁରକ୍ଷା ଦେବା ବଦଳରେ ପୋଲିସ ଯେତେବେଳେ ଅପରାଧୀଙ୍କ ପ୍ରତି ହିଂସ୍ର ହୋଇଯାଇଥାଏ, ସ୍ଥଳବିଶେଷରେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥାଏ। ଏହିଭଳି ହାଜତ ମୃତ୍ୟୁର ବିଭିନ୍ନ କାରଣ ଥାଇପାରେ ବୋଲି ମନେହେଉଛି।
ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଉଚ୍ଚପଦସ୍ଥ ଅଫିସରମାନେ ନିଜେ ତଦନ୍ତରେ ବିଶ୍ୱାସ କରୁ ନ ଥିବା ହେତୁ ତଳପାହ୍ୟା ଅଫିସର ସେଥିରେ ପଶୁନାହାନ୍ତି। ଫଳସ୍ବରୂପ ପିଟାମରା କରି ବୟାନ ଲେଖେଇନେବା ହୋଇଯାଇଛି ପୋଲିସର ଚରିତ୍ର। ଏଭଳି ସ୍ବଭାବକୁ ସାଧାରଣ ଲୋକଙ୍କ ବିପଜ୍ଜନକ ମତ ପ୍ରୋତ୍ସାହନ ଦେଉଛି। ଆମେ ସମସ୍ତେ ଭାବୁଛେ ଅପରାଧୀକୁ ତତ୍‌କ୍ଷଣାତ୍‌ ଦଣ୍ଡ ମିଳିବା ଉଚିତ, ସେଥିପାଇଁ ପୋଲିସ ଯେତେ ବାଡ଼େଇବ ସେତେ ଭଲ। ଏଭଳି ମାନସିକତା ପୋଷଣ କରୁଥିବା ନାଗରିକ ଭୁଲିଯାଆନ୍ତି ଯେ ଅପାରଗତା ଯୋଗୁ ବାଡ଼ଉଥିବା ପୋଲିସ ତା’ର ତଦନ୍ତ ଶକ୍ତି ନ ଥିବା ହେତୁ ଭୁଲ୍‌ ବ୍ୟକ୍ତି ବିରୋଧରେ ଦୋଷାରୋପ କରି ନିଜ ଦାୟିତ୍ୱ ଖସାଇ ଦେଇଥାଏ। ଆଜି ଅନ୍ୟ କାହାରି ଭାଇ କିମ୍ବା ପୁତ୍ରକୁ ପିଟିକରି ମାରିଦେଇଥିବା ପୋଲିସ ସପକ୍ଷରେ ଯାଉଥିବା ବ୍ୟକ୍ତିମାନେ ଭୁଲିଯାଉଛନ୍ତି ଯେ ଆଗାମୀ ଦିନଗୁଡ଼ିକରେ ସିଏ ନିଜେ କିମ୍ବା ତାଙ୍କରି କୌଣସି ଆତ୍ମୀୟ ପୋଲିସର ଏହି ଅପାରଗତାର ଶିକାର ହୋଇପାରନ୍ତି। ସେଭଳି ସ୍ଥିତି ଉପୁଜିଲେ ତାଙ୍କ ପାଇଁ କହିବାକୁ କେହି ଆସିବେ ନାହିଁ। ଏଭଳି ଘଟଣାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ଗତବର୍ଷ ନଭେମ୍ବରରେ ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦଠାରେ। ଜଣେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଦୁର୍ବୃତ୍ତମାନେ ଗଣବଳାତ୍କାର କରି ହତ୍ୟା କରିଥିଲେ। ପରେ ଅପରାଧୀଙ୍କୁ ପୋଲିସ ଏନ୍‌କାଉଣ୍ଟର କରି ମାରିଦେଇଥିଲା। ଦେଶବ୍ୟାପୀ ହାଇଦ୍ରାବାଦ ପୋଲିସକୁ ଲୋକେ ପ୍ରଶଂସା କରିଥିଲେ। ବାସ୍ତବରେ ଶିକ୍ଷିତ ସମାଜରେ ପୋଲିସ ଦଣ୍ଡ ଦେବା କେବେହେଲେ ଗ୍ରହଣୀୟ ହେବାକଥା ନୁହେଁ। ହାଇଦ୍ରାବାଦ ଘଟଣାକୁ ଦେଖିଲେ ଆଜି ମଧ୍ୟ କେହି କହିପାରିବେ ନାହିଁ ଯେ, ପୋଲିସ ମାରିଥିବା ସେହି ଚାରିଜଣ ବ୍ୟକ୍ତି ପ୍ରକୃତରେ ବଳାତ୍କାରୀ ଓ ହତ୍ୟାକାରୀ ଥିଲେ ବୋଲି। ପୋଲିସ ଯେକୌଣସି ଚାରିଜଣଙ୍କୁ ଆଣି ଗୁଳିକରି ମାରିଦେବା ଫଳରେ ଲୋକଙ୍କ ପ୍ରଶଂସା ପାଇଲା ଏବଂ ଉତ୍ତେଜନାକୁ ପ୍ରଶମିତ କରିବା ସହିତ ନିଜର ଅପାରଗତାକୁ ଲୁଚାଇ ଦେଇପାରିଲା।
ଏଠାରେ ମନେପଡ଼େ ବମ୍ବେ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଅଜମଲ୍‌ କସବଙ୍କ ଭଳି ଆତଙ୍କବାଦୀଙ୍କୁ ଜେଲରେ ସୁରକ୍ଷା ଦିଆଯିବାଠାରୁ ଆରମ୍ଭ କରି ତାଙ୍କ ଲାଗି ଅନେକ ଅର୍ଥ ଖର୍ଚ୍ଚ କରାଗଲା। ଯେହେତୁ ଏହା ଅନ୍ତର୍ଜାତୀୟ ଘଟଣାରେ ପରିଣତ ହୋଇଥିଲା, ସେଥିପାଇଁ ବିଦେଶୀ ତର୍ଜମାକୁ ଆଖିରେ ରଖି ସମ୍ପୂର୍ଣ୍ଣ ତଦନ୍ତ ଏବଂ ନ୍ୟାୟିକ ବ୍ୟବସ୍ଥା ଦେଇ କାର୍ଯ୍ୟ କରାଯାଇଥିଲା। ତାହା ହେଉଛି ଉଚିତ ପନ୍ଥା। ତତ୍‌କ୍ଷଣାତ୍‌ ନ୍ୟାୟ ଦେବା ପାଇଁ କୌଣସି ପୋଲିସ ବାହିନୀ ପାଖରେ ସାମର୍ଥ୍ୟ ନାହିଁ। ଭାରତରେ ପୋଲିସରେ ଭର୍ତ୍ତି ହେଉଥିବା ବ୍ୟକ୍ତିମାନେ କ୍ଷମତା ଦେଖାଇବାରେ ମତ୍ତ ହୋଇଯାଉଛନ୍ତି। ଅନେକ ସମୟରେ ନିରୀହଙ୍କୁ ଦଣ୍ଡିତ କରିବା ପୋଲିସର ଚରିତ୍ର ପାଲଟିଯାଇଛି। ଏହାର ଅନେକ ଦୃଷ୍ଟାନ୍ତ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଏବଂ ଆମ ରାଜ୍ୟରେ ଓଡ଼ିଶା ମାନବ ଅଧିକାର କମିଶନ (ଓଏଚ୍‌ଆର୍‌ସି) ପକ୍ଷରୁ ଦିଆଯାଉଥିବା ନିର୍ଦ୍ଦେଶରୁ ବୁଝାପଡ଼ିଯାଉଛି। କିନ୍ତୁ କୌଣସି ପରିବର୍ତ୍ତନ ହୋଇପାରୁ ନାହିଁ। ଏଭଳି ସ୍ଥଳେ ଦୋଷୀ ପୋଲିସଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବା ଦରକାର। ମାତ୍ର ବଦଳି ଏକ ଦଣ୍ଡ ନୁହେଁ।
ବହୁବର୍ଷ ଧରି ଭାରତରେ ପୋଲିସ ସଂସ୍କାର ସମ୍ପର୍କରେ ଅନେକ କଥା ଶୁଣିବାକୁ ମିଳୁଛି। ସେହି ସଂସ୍କାର ସମ୍ବନ୍ଧୀୟ ଆଲୋଚନା କେଉଁ ପ୍ରକାର ଗାଡ଼ି, ଭିଏଚ୍‌ଏଫ୍‌ ଯନ୍ତ୍ରପାତି, ଆଧୁନିକ ବନ୍ଧୁକ ଭଳି ବିଷୟରେ ସୀମିତ ରହିଯାଉଛି। ବାସ୍ତବରେ ଆବଶ୍ୟକତା ହେଉଛି ପୋଲିସ କର୍ମଚାରୀ ବିଶେଷକରି ଭାରତୀୟ ପୋଲିସ ସେବା (ଆଇପିଏସ୍‌) ସ୍ତରରେ ମାନସିକ ପରିବର୍ତ୍ତନ କରିବା ସକାଶେ ମନସ୍ତାତ୍ତ୍ୱିକ ପ୍ରଶିକ୍ଷଣ ନିତାନ୍ତ ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri