ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍ (ନଂ. OD 05 AE 1366) ଧକ୍କାରେ ୪ ଜଣ ମହିଳାଙ୍କ ସମେତ ସମୁଦାୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତମାନେ ହେଲେ ରାଜନାପଲ୍ଲୀ ଗ୍ରାମର ଲକ୍ଷ୍ମୀ ମଲ୍ଲିକ (୨୮), ଶ୍ୟାମ ମଲ୍ଲିକ (୨୭), ରଶ୍ମିତା ମଲ୍ଲିକ (୪୦), ନମିତା ମଲ୍ଲିକ (୩୯) ଏବଂ ରୀନା ମଲ୍ଲିକ (୪୦)।
ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାରୁ ଗ୍ରାମବାସୀ ଶବ ଶୋଭାଯାତ୍ରାରେ ମୃତଦେହ ନେଇ ଶ୍ମଶାନକୁ ଯାଉଥିଲେ। ଏହି ସମୟରେ ରାୟଗଡ଼ାରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ସେମାନଙ୍କୁ ସିଧାସଳଖ ଧକ୍କା ଦେବା ସହ କିଛି ବାଟ ଘୋଷାଡ଼ି ନେଇଥିଲା।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ତପ୍ତପାଣିରୁ ଫେରୁଥିବା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ବିନା ବିଳମ୍ବରେ ୩ ଜଣ ଗୁରୁତର ଆହତଙ୍କୁ ନିଜ ଗାଡ଼ିରେ ବସାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ଅନ୍ୟ ୨ ଜଣ ଗୁରୁତରଙ୍କୁ ଉଦ୍ଧାର କରି ସେହି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା (MKCG) କୁ ସ୍ଥାନାନ୍ତର କରାଯାଇଛି। ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ଅଧିକାରୀ ଏଏସଆଇ ପ୍ରଭାତ କୁମାର ବାଲିକାନା ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।