ଦୃଷ୍ଟି ଆଢୁଆଳରେ ପର୍ଯ୍ୟଟନ ବିଭାଗ

ଢେଙ୍କାନାଳ ଅଫିସ,୨୪ା୧୨: ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟ ଏବଂ ଜାତୀୟସ୍ତରରେ ଢେଙ୍କାନାଳ ଜିଲାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ପ୍ରସିଦ୍ଧ ଶୈବପୀଠ କପିଳାସ, ସବୁଜିମା ସପ୍ତଶଯ୍ୟା, ମହିମାଧର୍ମର ପୀଠ ମହିମାଗାଦି ଯୋରନ୍ଦା ପାଇଁ ଢେଙ୍କାନାଳ ଜିଲା ପ୍ରସିଦ୍ଧ। ପ୍ରତିବର୍ଷ ଦେଶର ବିଭିନ୍ନ ପ୍ରାନ୍ତରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଏପରିକି ବିଦେଶୀମାନେ ମଧ୍ୟ ବହୁ ସଂଖ୍ୟାରେ ଢେଙ୍କାନାଳ ଜିଲାର ପର୍ଯ୍ୟଟନକୁ ଉପଭୋଗ କରିବାକୁ ଆସିଥାନ୍ତି। ଏସବୁ ସତ୍ତ୍ୱେ ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ରହିଛି ଢେଙ୍କାନାଳ ଜିଲାର ପର୍ଯ୍ୟଟନ ବିଭାଗ। ଏପରି କି ଜିଲା କାର୍ଯ୍ୟାଳୟଠାରୁ ମାତ୍ର ୧୦୦ ମିଟର ଦୂରରେ ପୂର୍ତ୍ତ ବିଭାଗ ଦ୍ୱାରା ବିପଦସଙ୍କୁଳ ଘୋଷିତ ଏକ ସରକାରୀ ଘରେ ଚାଲିଛି ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ। ଅବସ୍ଥା ଏପରି ଯେ, କୌଣସି ମୁହୂର୍ତ୍ତରେ ଏହା ଭୁଶୁଡି ପଡିବାର ସମ୍ଭାବନା ରହିଛି।
ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଥିବା ୨ଟି ଜୁନିୟର ଆସିଷ୍ଟାଣ୍ଟ ପଦବୀ ଏବଂ ଗୋଟିଏ ପରିସଂଖ୍ୟାନ ସହାୟକ ପଦବୀ ଦୀର୍ଘଦିନ ହେବ ଖାଲି ପଡିଛି। ଗଞ୍ଜାମ ଜିଲାର ପରିସଂଖ୍ୟାନ ସହାୟକ ଢେଙ୍କାନାଳ ଜିଲା ସମେତ ୬ଟି ଜିଲା ଦାୟିତ୍ୱରେ ରହିଛନ୍ତି। କେବଳ ଜିଲା ପର୍ଯ୍ୟଟନ ଅଧିକାରୀ ଓ ୩ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନେଇ ଚାଲିଛି କାର୍ଯ୍ୟାଳୟ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧ କୋଟି ଟଙ୍କା ବ୍ୟୟରେ ଓଟିଡିସି ମାଧ୍ୟମରେ ନୂତନ କାର୍ଯ୍ୟାଳୟ ନିର୍ମାଣ କରାଯାଇଥିଲେ ମଧ୍ୟ ଠିକାସଂସ୍ଥା ଏହାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିନାହିଁ। ଏପରିକି ନବନିର୍ମିତ କୋଠାର ବହୁ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି। ପାଣି ବ୍ୟବସ୍ଥା ହୋଇ ନ ଥିବାବେଳେ ବାହାରେ ଗ୍ରୀଲ ଲାଗିନାହିଁ। ସେହିପରି ପାଚେରି ମଧ୍ୟ ତୋଳାଯାଇ ନାହିଁ। ଢେଙ୍କାନାଳ ଜିଲାରେ ପର୍ଯ୍ୟଟନର ବିକାଶ ପାଇଁ ୧୯୭୯ରେ ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ଖୋଲାଯାଇଥିଲା। ପ୍ରଥମେ ଏହା କିଛି ବର୍ଷ ଭଡାଘରେ ଚାଲିଥିଲେ ମଧ୍ୟ ସ୍ଥାୟୀ ଭାବେ ପର୍ଯ୍ୟଟନ ଅଧିକାରୀ ରହିଥିଲେ। ଏହାପରେ ୫୫ନଂ ଜାତୀୟ ରାଜପଥର ମହିଷାପାଟ ନିକଟରେ ପାନ୍ଥନିବାସ ନିର୍ମାଣ ହେବା ପରେ ସେଠାରେ ଦୁଇଟି ଗୃହରେ ଜିଲା କାର୍ଯ୍ୟାଳୟ ଚାଲିଥିଲା। ପରେ ପାନ୍ଥନିବାସକୁ ନିରୁପମା ଗ୍ରୁପ୍ସ ପିପିପି ମୋଡରେ ନେବାପରେ ଜିଲା କାର୍ଯ୍ୟାଳୟ ନିକଟରେ ଥିବା ଏକ ସରକାରୀ ଘରେ ପର୍ଯ୍ୟଟନ କାର୍ଯ୍ୟାଳୟ ଚାଲିଥିଲା। ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଘରଟି ଭାଙ୍ଗିରୁଜି ନଷ୍ଟ ହେବା ସହିତ ଏହାର କାନ୍ଥ ଗୋଟିଏ ପାର୍ଶ୍ୱକୁ ନଇଁ ଯାଇଥିବା ବେଳେ ପୂର୍ତ୍ତବିଭାଗ ପକ୍ଷରୁ ଏହାକୁ ବିପଦସଙ୍କୁଳ ବୋଲି ଘୋଷଣା କରାଯାଇଛି। ଜିଲା ବାହାରୁ ଏବଂ ବିଭିନ୍ନ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକମାନେ କୌଣସି ସୂଚନା ପାଇଁ ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ଖୋଜିଲେ, ଏହାକୁ ପାଇବା ମଧ୍ୟ କଷ୍ଟକର ହୋଇପଡିଛି। ଏ ସମ୍ପର୍କରେ ଜିଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ କୁହନ୍ତି, ନବନିର୍ମିତ ଗୃହ ହସ୍ତାନ୍ତର ହୋଇ ନ ଥିବାରୁ ବିପଦସଙ୍କୁଳ ଘୋଷିତ ଘରେ କାର୍ଯ୍ୟାଳୟ ଚାଲିଛି। ଭୟ ମଧ୍ୟ ଲାଗୁଛି। କର୍ମଚାରୀଙ୍କ ଅଭାବ ରହିଛି। ନୂତନ ଗୃହରେ ପାଣି ବ୍ୟବସ୍ଥା ହୋଇନାହିଁ। ଗ୍ରୀଲ ସହ ପାଚେରି କରାଯାଇନାହିଁ। ଏ ନେଇ ଜିଲାପାଳଙ୍କୁ ଅବଗତ କରାଇଛୁ ବୋଲି ପର୍ଯ୍ୟଟନ ଅଧିକାରୀ ପ୍ରକାଶ କରିଛନ୍ତି।

Share