Categories: ଖେଳ

ଟୁର୍‌ ଡି ଫ୍ରାନ୍ସ ଆରମ୍ଭ: ଅଲାଫିଲିପ୍‌ ପ୍ରଥମ ଷ୍ଟେଜ୍‌ରେ ବିଜୟୀ

ପ୍ୟାରିସ୍‌,୨୭।୬: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ମଲ୍ଟିପଲ-ଷ୍ଟେଜ ବାଇସାଇକେଲ ରେସ୍‌ ଟୁର ଡି ଫ୍ରାନ୍ସ ଶନିବାରଠାରୁ ଆରମ୍ଭ ହୋଇଛି। ବିଶ୍ୱ ଚାମ୍ପିୟନ ଫ୍ରାନ୍ସର ଜୁଲିଆନ ଅଲାଫିଲିପ୍‌ ପ୍ରତିଯୋଗିତାରେ ଏହି ୧୦୮ତମ ସଂସ୍କରଣର ଘଟଣା ବହୁଳ ପ୍ରଥମ ପର୍ଯ୍ୟାୟ ତଥା ଷ୍ଟେଜ୍‌ ଓ୍ବାନ୍‌ ରେସ୍‌ରେ ବିଜୟୀ ହୋଇଛନ୍ତି। ରେସ୍‌ରେ ଅଷ୍ଟ୍ରେଲିଆର ମାଇକେଲ ମାଥ୍ୟୁସ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସ୍ଲୋଭେନିଆର ପ୍ରିମୋଜ ରୋଗଲିକ୍‌ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଫେଭରାଇଟ୍‌ ବିବେଚିତ ହେଉଥିବା ଗତଥରର ଚାମ୍ପିୟନ ତାଡେଜ ପୋଗାକାର ଓ ୨୦୧୮ ସଂସ୍କରଣ ଚାମ୍ପିୟନ ଗେରେଣ୍ଟ ଥାମାସ ମଧ୍ୟ ଏଥର ଅଂଶଗ୍ରହଣ କରିଛନ୍ତି।
ରେସ୍‌ ଅବସରରେ ଅଲାଫିଲିପ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଓ ତାଙ୍କ ଆଣ୍ଠୁରୁ ରକ୍ତ ବାହରିବାରେ ଦେଖାଯାଇଥିଲା। ପ୍ରଥମ ଷ୍ଟେଜ୍‌ରେ ବିଜୟୀ ହେବାକୁ ଚାହୁଁଥିଲି ଓ ମୋର ପ୍ରୟାସ ସଫଳ ହୋଇଛି ବୋଲି ସେ କହିଛନ୍ତି। ଟୁର ଡି ଫ୍ରାନ୍ସ ଜୁନ୍‌ ୨୬ ତାରିଖରୁ ଆରମ୍ଭ ହୋଇଛି ଓ ଏହା ଜୁଲାଇ ୧୮ ତାରିଖରେ ଶେଷ ହେବ। ୩,୪୧୪.୪ କି.ମି. ବିଶିଷ୍ଟ ଏହି ପ୍ରତିଯୋଗିତାରେ ୨୧ଟି ପର୍ଯ୍ୟାୟ ରେସ୍‌ ଆୟୋଜନ ହେବ।

Share